ଅଭିଯୋଗ ପରେ ଜାଣି ପାରିବେ ସ୍ଥିତି, ସମ୍ବଲପୁର ଜିଲ୍ଲା ପ୍ରଶାସନ ଆରମ୍ଭ କଲା ପୋର୍ଟାଲ ବ୍ୟବସ୍ଥା

ସମ୍ବଲପୁର: ଜିଲ୍ଲା ପ୍ରଶାସନ କାର୍ଯ୍ୟାଳୟରେ ଅଭିଯୋଗ କଲେ, ଏଣିକି ଏହାର ସ୍ଥିତି ମଧ୍ୟ ଜାଣିପାରିବେ ଅଭିଯୋଗକାରୀ। ଏଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆପ ଏବଂ ପୋର୍ଟାଲ ବ୍ୟବସ୍ଥା ଆରମ୍ଭ ହୋଇଛି। ପୂର୍ବରୁ ୧୮୦୦୩୪୫୬୭୨୩ ଦେୟମୁକ୍ତ ଟେଲଫୋନ ନମ୍ବର ଜାରି ହୋଇଥିଲା। ଫୋନ ଅଭିଯୋଗରେ ଜନସାଧାରଣ ଆବଶ୍ୟକ କାଗଜପତ୍ର ଦାଖଲ କରିପାରୁ ନ ଥିଲେ।

ଜନସାଧାରଣଙ୍କ ଏହି ସମସ୍ୟାକୁ ଅନୁଭବ କରି ଜିଲ୍ଲା ପ୍ରଶାସନର ଗ୍ରିଭାନ୍‌ସ ୱେବସାଇଟ ସ୍ୱତନ୍ତ୍ର ଏକ ଫର୍ଦ ଉପଲବ୍ଧ କରାଯାଉଛି, ଯେଉଁଥିରେ ଅଭିଯୋଗକାରୀ ନିଜର ନାମ ମୋବାଇଲ ନମ୍ବର ଦେଇ ନିଜ ଅଭିଯୋଗ ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ। ସିଟିଜେନ ସେକ୍ସନରେ ଏକ ମୋବାଇଲ ଆପ ମଧ୍ୟ ଉପଲବ୍ଧ ହେବ। ଏହି ଆପକୁ ଜନସାଧାରଣ ନିଜ ମୋବାଇଲରେ ଇନଷ୍ଟଲ କରି ଆପ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗଟି ସଂପୃକ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରିବା ପରେ ଅଭିଯୋଗକାରୀଙ୍କ ମୋବାଇଲରେ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ।

ଅଭିଯୋଗର ସମାଧାନ ହେବା ପରେ ଅଭିଯୋଗକାରୀଙ୍କ ମୋବାଇଲରେ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ଏହି ଆପ ମାଧ୍ୟମରେ ଅଭିଯୋଗକାରୀ ଦାଖଲ କରିଥିବାର ଅଭିଯୋଗର ଅବସ୍ଥିତି ସମ୍ପର୍କରେ ମଧ୍ୟ ଜାଣି ମତାମତ ଦେଇପାରିବେ। ଏହାର ଲାଭ ଉଠାଇବା ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର