ସମ୍ବଲପୁର: ସମ୍ବଲପୁର ସହରରେ ଅପରାଧୀଙ୍କ ରାଜ୍ ଚାଲିଛି। ଏଠି ଦିନ ଦ୍ବିପହରେ ଦୁର୍ବୃତ୍ତମାନେ ଲୁଟ୍ କରୁଛନ୍ତି। ଏଟିଏମ୍ ତାଡ଼ିବା ଠାରୁ ସୁନାପାଲିର ଗଣହତ୍ୟା ଅଭି ଅପରାଧ ଘଟାଇବା ପରେ ଅପରାଧୀମାନେ ପୁଲିସକୁ ଚକମା ଦେଇ ଖୁବ ସହଜରେ ଫେରାର ହୋଇ ଯାଉଛନ୍ତି। ସେମାନଙ୍କ ଠିକ ପରିଚୟ ଜାଣିବା ବି ପୁଲିସ ପାଇଁ କଷ୍ଟକର ହୋଇପଡ଼ିଛି। ଲୋକଙ୍କ ଠାରୁ ପଚରା ଉଚରା ପରେ ଯାହା ଶୁଣୁଛି, ତାକୁ ବିଶ୍ବାସ କରିବାକୁ ବାଧ୍ୟ ହେଉଛି। ସମ୍ବଲପୁର ନାମକୁ ମାତ୍ର ମହାନଗର। ଏଠି ଉତ୍ତରାଞ୍ଚଳ ରେଞ୍ଜ୍ ଆଇଜି, ଉତ୍ତରାଞ୍ଚଳ ରାଜସ୍ବ କମିସନର୍ଙ୍କ କାର୍ଯ୍ୟାଳୟ ଅଛି। ସମ୍ବଲପୁର ଏସ୍ପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବି ସହରରେ ରହିଛି। ସବୁ ପ୍ରକାର ପ୍ରଶାସନିକ ବ୍ୟବସ୍ଥା ଥାଇ ମଧ୍ୟ ସମ୍ବଲପୁର ସହରରେ ଅପରାଧିକ ଗତିବିଧି ସବୁଠୁ ଅଧିକ। ଏସବୁ ପଛରେ ସମ୍ବଲପୁର ପୁଲିସ ଓ ପ୍ରଶାସନର ଅବହେଳା ଥିବା ବୁଦ୍ଧିଜୀବୀମାନେ ଅଭିଯୋଗ ଆଣିଛନ୍ତି। ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ସହର ହେଉଛି ସମ୍ବଲପୁର। ଅନେକ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ସଂସ୍ଥା ଥିବାରୁ ଏଠାକୁ ରୋଜଗାର ପାଇଁ ହଜାର ହଜାର ଲୋକ ଆସିଥାନ୍ତି। ସେମାନେ ଘର ଭଡ଼ା ନେଇ ସମ୍ବଲପୁରରେ ରହୁଛନ୍ତି। କିନ୍ତୁ ସେମାନଙ୍କ ନାଁ, ଠିକଣା ବିଷୟରେ କାହା ପାଖରେ ସଠିକ ତଥ୍ୟ ରହୁନାହିଁ।
କଟକ, ଭୁବନେଶ୍ବର ଭଳି ମହାନଗର ନିଗମ ଅଞ୍ଚଳରେ ଘର ଭଡ଼ା ଦେଉଥିବା ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ନିୟମ ରହିଛି। ଯିଏ ଭଡ଼ାରେ ରହିବେ, ତାଙ୍କ ପରିଚୟପତ୍ର ସହ ବାୟୋଡାଟା ଘର ମାଲିକ ରଖିବେ। ଉକ୍ତ ତଥ୍ୟ ତାଙ୍କ ଅଞ୍ଚଳର ଥାନାରେ ଦାଖଲ ମଧ୍ୟ କରିବେ। ଫଳରେ ଭଡ଼ାରେ ରହୁଥିବା ବ୍ୟକ୍ତି ଓ ପରିବାର ଲୋକଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମାଲିକ ଓ ପୁଲିସ ପାଖରେ ରହୁଛି। କିନ୍ତୁ ସମ୍ବଲପୁର ସହରରେ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଲୋକ ରାଜ୍ୟ ବାହାରୁ ଏମିତିକି ଦେଶ ବାହାରୁ ଆସି ସମ୍ବଲପୁରରେ ରହୁଛନ୍ତି। ଯେଉଁମାନଙ୍କ ବିଷୟରେ କାହା ପାଖରେ ସଠିକ ତଥ୍ୟ ବି ରହୁନି। ଅନ୍ୟ ରାଜ୍ୟର ଅପରାଧୀ ଆସି ସମ୍ବଲପୁରରେ ବିନା କୌଣସି ଅସୁବିଧାରେ ସୁରକ୍ଷିତ ରହୁଛନ୍ତି। ସମ୍ବଲପୁରରେ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଘର ଭଡ଼ା ଦେବାକୁ ନେଇ କୌଣସି ନିୟମ ନଥିବାରୁ ଅପରାଧୀମାନେ ତାର ଫାଇଦା ଉଠାଉଛନ୍ତି। ଭଡ଼ାରେ ରହି ନିଶା କାରବାର ଠାରୁ ଆରମ୍ଭ କରି ଅନେକ ଅସାମାଜିକ କାଣ୍ଡ ଘଟାଇ ପୁଲିସକୁ ଚକମା ଦେବାରେ ସଫଳ ମଧ୍ୟ ହେଉଛନ୍ତି। ନିକଟରେ ସୁନାପାଲିରେ ହୋଇଥିବା ଗଣହତ୍ୟାର ମୁଖ୍ୟ ଅଭିଯୁକ୍ତ ଭଡ଼ାରେ ଥିବା ଯୁବକ ବୋଲି ଅଭିଯୋଗ ହୋଇଛି। କିନ୍ତୁ ତାର ପ୍ରକୃତ ପରିଚୟ ପୁଲିସ ଆଜି ଯାଏ ଜାଣି ପାରିଲା ନାହିଁ।