ସମ୍ବଲପୁର: ଖୋଲାରେ ମଳତ୍ୟାଗ କଲେ ୫ଶହ ଟଙ୍କା ଜରିମାନା

ସମ୍ବଲପୁର:ଭାରତ ସରକାରଙ୍କ ସ୍ୱଚ୍ଛ ଅଭିଯାନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡିଛି ସମ୍ବଲପୁର ମହାନଗର ନିଗମ। ଏଣିକି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଖୋଲାରେ ଯଦି କେହି ମଳତ୍ୟାଗ କରନ୍ତି ତେବେ ତାଙ୍କ ଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରିବାକୁ ମହାନଗର ନିଗମ ନିଷ୍ପତ୍ତି ନେଇଛି। ଏହି କ୍ରମରେ ଆଜି ମହାନଗର ନିଗମ ପ୍ରଶାସକଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମାତ୍ର କେବେଠାରୁ ଏହା କାର୍ଯ୍ୟକାରୀ ହେବ ତାହା ସ୍ଥିର ହୋଇ ନାହିଁ।

ସମ୍ବଲପୁର ମହାନଗର ନିଗମ ସମ୍ବଲପୁର ସହରକୁ ଖୋଲାରେ ଶୌଚମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି।ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରାଯାଇଛି। ଅଧିକଂଶ ଶୌଚାଳୟ ସର୍ବସାଧାରଣଙ୍କ ପାଇଁ ମାଗଣାରେ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତି ପରିବାର ଘରେ ଶୌଚାଳୟ ନିର୍ମାଣ ପାଇଁ କୁହାଯାଇଛି। ଯେଉଁମାନଙ୍କର ଶୌଚାଳୟ ନାହିଁ ସେମାନଙ୍କୁ ଶୌଚାଳୟ ନିର୍ମାଣ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ସେହିପରି ଖୋଲାରେ ମଳତ୍ୟାଗ ଦ୍ୱାରା ବିଭିନ୍ନ ରୋଗ ବ୍ୟାପୁ ଥିବାରୁ ଏହାର ପ୍ରତିକାର ପାଇଁ ସମ୍ବଲପୁର ମହାନଗର ନିଗମ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ନିଗମରେ ବିଶଦ ଭାବେ ଆଲୋଚନା କରାଯାଇ ବାହାରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କ ଠାରୁ ୫ଶହ ଟଙ୍କା ଜରିମାନା ଆଦାୟ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ମହାନଗର ନିଗମର ପ୍ରଶାସକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର