ପୁଣିଥରେ ଦୁର୍ଗ ଦଖଲ କଲା ବିଜେପି, ସମ୍ବଲପୁର ଜିଲ୍ଲାରେ ବିଜେଡି-ବିଜେପି ୨-୨ ଆସନ ଭାଗ

ବିଜେପି ପ୍ରଥମଥର ପାଇଁ ଜିତିଲା ଲୋକସଭା ଆସନ

ସମ୍ବଲପୁର: ସମ୍ବଲପୁରରେ ବିଜେପି ନିଜ ପୁରୁଣା ଦୁର୍ଗକୁ ପୁଣିଥରେ ଦଖଲ କରିବା ଦିଗରେ କିଛିକାଂଶରେ ସଫଳ ହୋଇଛି। ୨୦୧୪ ନିର୍ବାଚନରେ ସମ୍ବଲପୁର ଲୋକସଭା ଓ ଜିଲ୍ଲାର ୪ଟି ବିଧାନସଭା ମଧ୍ୟରୁ ୩ଟି ଆସନ ବିଜେଡି ଦଖଲରେ ଥିଲାବେଳେ ଏଥର ବିଜେପି ୩ଟିକୁ ଛଡ଼ାଇ ଆଣିବାରେ ସମର୍ଥ ହୋଇଛି କିନ୍ତୁ ବିଜେପି ନିଜ ଦଖଲରେ ଥିବା କୁଚିଣ୍ଡା ଆସନ ହରାଇଛି। ଫଳରେ ଜିଲ୍ଲାରେ ବିଧାନସଭା ଆସନ ଉଭୟ ଦଳ ଭାଗରେ ୨-୨ ହୋଇଛି। ସେହିପରି ପ୍ରଥମଥର ପାଇଁ ସମ୍ବଲପୁର ଲୋକସଭା ଆସନ ବିଜେପି କବ୍ଜାକୁ ଯାଇଛି। ସମ୍ମାନଜନକ ସମ୍ବଲପୁର ଆସନରେ ବିଜେଡିର ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କୁ କଡ଼ା ମୁକାବିଲାରେ ହରାଇ ବିଜେପିର ହେଭିୱେଟ୍‌ ଜୟ ନାରାୟଣ ମିଶ୍ର ଚତୁର୍ଥ ଥର ପାଇଁ ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଜୟ ନାରାୟଣଙ୍କ ଅତ୍ୟନ୍ତ ଘନିଷ୍ଟ ନାଉରୀ ନାୟକ ମଧ୍ୟ ବହୁ ବର୍ଷ ଧରି କରିଥିବା ପରିଶ୍ରମର ଫଳ ପାଇଛନ୍ତି।

ରୋମାଞ୍ଚକର ମୁକାବିଲାରେ ସେ ବିଜେଡିର ନବାଗତା ରୀନା ତନ୍ତୀଙ୍କୁ ପରାସ୍ତ କରିଛନ୍ତି କିନ୍ତୁ ଜିଲ୍ଲାର ଏକମାତ୍ର ବିଧାୟକ ଭାବେ ଇଂ ରୋହିତ ପୂଜାରୀ ନିଜ ଆସନ ବଞ୍ଚାଇ ରଖିବା ସହ ରେଢ଼ାଖୋଲରେ ବିଜେଡିର ଅପରାଜେୟ ରେକର୍ଡକୁ ବଜାୟ ରଖିଛନ୍ତି। ସେହିପରି ବିଜେପିରୁ ଆସି ବିଜେଡିରେ ଯୋଗ ଦେଇ ପ୍ରଥମଥର ପାଇଁ ବିଧାୟକଭାବେ ଲେଇରେ ଅବତୀର୍ଣ୍ଣ ହୋଇଥିବା କିଶୋର ନାଏକ କୁଚିଣ୍ଡାରେ ତିନିଥରର ବିଧାୟକ ରବି ନାୟକଙ୍କୁ ହରାଇ ବିଜେଡି ବିଜୟ ବାନା ଉଡ଼ାଇଛନ୍ତି।
ସେହିପରି ସମ୍ବଲପୁର ଲୋକସଭା ପ୍ରାର୍ଥୀଭାବେ ବିଜେପି ନିତେଶ ଗଂଗଦେବଙ୍କ ନାମ ଘୋଷଣା କଲାପରେ ଅନେକ ବିଶେଷଜ୍ଞ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ତାଙ୍କ ବିଜୟ ନେଇ ଶଂକାବ୍ୟକ୍ତ କରିଥିଲେ। ହେଲେ ସବୁ ଆକଳନକୁ ପଛରେ ପକାଇ ନିତେଶ ବିଜୟ ମୁକୁଟ ପିନ୍ଧିଛନ୍ତି।

ପୂର୍ତ୍ତ ସଚିବ ପଦ ତ୍ୟାଗ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ବିଜେଡିର ହାଇପ୍ରୋଫାଇଲ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଏବଂ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପରାସ୍ତ କରି ସମ୍ବଲପୁରର ନୂଆ ସାଂସଦ ହୋଇଛନ୍ତି ଜୟ, ନାଉରୀ ଏବଂ ନିର୍ବାଚନ ସମୟରେ ତାଙ୍କ ଗୋଷ୍ଠୀରେ ସାମିଲ ହୋଇଥିବା ନିତେଶ ମିଳିତଭାବେ ବିଜୟୀ ହୋଇଥିବାରୁ ସେମାନଙ୍କ ଶିବିରରେ ଉତ୍ସାହ ଭରି ଯାଇଛି। ଗୁରୁବାର ଭୋଟ ଗଣତି ଆରମ୍ଭ ହେବା ପରେ ଜୟ ନାରାୟଣ ପ୍ରଥମ ୪ ରାଉଣ୍ଡ ପଛୁଆ ରହିଥିଲେ। ପଞ୍ଚମ ରାଉଣ୍ଡରୁ ସେ ଆଗୁଆ ହୋଇ ଶେଷ ପର୍ଯ୍ୟନ୍ତ ତାକୁ ବଜାୟ ରଖିଥିଲେ। ସେ ଆଗୁଆ ହେବା ପରଠାରୁ ଭୋଟ ଗଣତି କେନ୍ଦ୍ର ଓ ପାର୍ଟି ଅଫିସ୍‌ ସମେତ ସହରର ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକମାନେ ବାଣ ଫୁଟାଇ, ଫଗୁ ଲଗାଇ ଉତ୍ସବ ମନାଇଥିଲେ। ରେଂଗାଲିରେ ନାଉରୀଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଥିଲାଯ ପ୍ରାରମ୍ଭିକ କିଛି ରାଉଣ୍ଡରେ କମ୍‌ ଭୋଟରେ ଆଗୁଆ ରହିବା ପରେ ସେ ଅଧିକାଂଶ ରାଉଣ୍ଡ ପଛରେ ଚାଲିଥିଲେଯ କିନ୍ତୁ ଶେଷ ଭାଗରେ ପ୍ରତ୍ୟାବର୍ତ୍ତନ କରି ବିଜୟ ନିଜ ନାମରେ କରିଥିଲେ।

ରେଢ଼ାଖୋଲରେ ଇଂ ରୋହିତ ପୂଜାରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ୍ର ଦୁଇ ପ୍ରତିଦ୍ଵନ୍ଦ୍ୱୀଙ୍କ ବିରୋଧରେ ଅଗ୍ରଣୀ ବଜାୟ ରଖିଥିଲେ। ଗଣତି ଆଗକୁ ବଢ଼ିବା ସହ ଧୀରେଧୀରେ ଭୋଟ ବ୍ୟବଧାନ ବିଥିଲା ଏବଂ ଶ୍ରୀ ପୂଜାରୀ ଶେଷରେ ବିଜୟୀ ହୋଇଥିଲେ। କୁଚିଣ୍ଡାରେ କିନ୍ତୁ ବିଜେଡି ପ୍ରାର୍ଥୀ କିଶୋର ନାୟକ ଏବଂ ବିଜେପି ପ୍ରାର୍ଥୀ ରବି ନାୟକଙ୍କ ମଧ୍ୟରେ ଜୋରଦାର ଲେଇ ହୋଇଥିଲା। ମାତ୍ର କିଛି ରାଉଣ୍ଡ ପଛରେ ରହିଥିବା କିଶୋର ପରେ ଆଗୁଆ ହୋଇ ତାକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖିବାରେ ସମର୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର