ସମ୍ବଲପୁର: ବଦଳୁଛନ୍ତି ସମ୍ବଲପୁର ମହାନଗର ନିଗମର ଅଧିକାରୀ। ହେଲେ, ବଦଳୁନି ସମ୍ବଲପୁର ମହାନଗର ନିଗମର ଚିତ୍ର। ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍‌ସି) ଗଠନ ହେବା ପୂର୍ବରୁ ସମ୍ବଲପୁର, ବୁର୍ଲା ଓ ହୀରାକୁଦ ସହରାଂଚଳର ଅବସ୍ଥା ଯେମିତି ଥିଲା ପ୍ରାୟତଃ ସେମିତି ରହିଛି। ମହାନଗର ନିଗମର ସାମିଲ ହୋଇଥିବା ୧୨ଟି ପଞ୍ଚାୟତର ଅବସ୍ଥା ଏବେ ଶୋଚନୀୟ ହୋଇଯାଇଛି। ରାସ୍ତାଘାଟ, ନାଳିର ଅବସ୍ଥା ଯେମିତି ଥିଲା ସେମିତି ରହିଛି। ସଫେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସରକାର ଯେତିକି ପାଣ୍ଠି ଯୋଗାଉ ଦେଉଛନ୍ତି, ତାହାର ବି ଠିକଣା ସମୟରେ ଖର୍ଚ୍ଚ ହୋଇପାରୁ ନାହିଁ। ଅନକେ ପ୍ରକଳ୍ପ ନିମନ୍ତେ ଟେଣ୍ଡର ହେବା ପରେ ବି ଲମ୍ବା ସମୟ ପର୍ଯ୍ୟନ୍ତ କାମ ହୋଇନପାରି ପଡ଼ି ରହୁଛି।

Advertisment

ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)କୁ ୯ ବର୍ଷ ଅତିକ୍ରାନ୍ତ ହୋଇଛି। ଏହି ୯ ବର୍ଷର ଅବଧି ମଧ୍ୟରେ କମିସନର ପଦରେ କାର୍ଯ୍ୟରତ ଅଧିକାରୀମାନଙ୍କ ୧୫ ଥର ବଦଳି ଆଦେଶ ବାହାରିଲାଣି। ଅବଶ୍ୟ, କମିସନର ଦାୟିତ୍ବ ସମ୍ଭାଳିଥିବା ଅଧିକାରୀଙ୍କ ସଂଖ୍ୟା ୯ ହୋଇଥିବା ବେଳେ ୪ ଜଣ ଅଧିକାରୀ ୨ଟି ପର୍ଯ୍ୟାୟରେ କାମ କରିଛନ୍ତି। କେତେକ ଅଧିକାରୀଙ୍କୁ ପଦୋନ୍ନତି ପରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଅନ୍ୟ କେତେକ ଅଧିକାରୀ ୨ଟି ପର୍ଯ୍ୟାୟରେ ଆସି ଏହି ଗୁରୁଦାୟିତ୍ବ ସମ୍ଭାଳିଛନ୍ତି। ତ‌େବେ, ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ତାଙ୍କୁ ମହାନଗର ନିଗମ କମିସନର ଭାବେ ବଦଳି ହୋଇଥିବା ବେଳେ ସେ ଏଦିଗରେ ଅନାଗ୍ରହ ପ୍ରକାଶ କରିବାରୁ ତାଙ୍କ ବଦଳି ଆଦେଶ ବାତିଲ ହୋଇଛି। ଆଉ ନୂଆ କମିସନର ଭାବେ ବେଦଭୂଷଣ ଗତକାଲି ପ୍ରଦୀପ ସାହୁଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।

ରାଜ୍ୟ ସରକାର ସେପ୍‌ଟେମ୍ବର ୨୦୧୩ରେ ସମ୍ବଲପୁରକୁ ମହାନଗର ନିଗମ ଭାବେ ଘୋଷଣା କରିଥିଲେହେଁ ୨ ଡିସେମ୍ବର ୨୦୧୪ରେ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ସୁଧାଂଶୁ ଭୋଇ ଏହାର ପ୍ରଥମ କମିସନର ଭାବେ ଯୋଗ ଦେଇଥିଲେ। ସେ ୨୩ ଡିସେମ୍ବର ୨୦୧୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥି‌ଲେ। ୨୪ ଡିସେମ୍ବର ୨୦୧୪ରୁ ୧ ଏପ୍ରିଲ ୨୦୧୬ ପର୍ଯ୍ୟନ୍ତ ବରିଷ୍ଠ ଓଏଏସ୍‌ ଅଧିକାରୀ ତ୍ରିଲୋଚନ ମାଝୀ କମିସନର ଦାୟିତ୍ବ ସମ୍ଭାଳି ଥିଲେ। ଶ୍ରୀ ମାଝୀଙ୍କ ପରେ ବିମଳେନ୍ଦୁ ରାୟ ୧ ଏପ୍ରିଲ ୨୦୧୬ରୁ ୨୦ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟ କରିଥିଲେ। ଏହା ପରେ ପୁଣି ସୁଧାଂଶୁ ଭୋଇ ଏବଂ ଜ୍ଞାନରଂଜନ ଭଂଜଦେଓ କିଛି ସମୟ ନିମନ୍ତେ ଏହି ଗୁରୁଦାୟିତ୍ବ ସମ୍ଭାଳି ଥିଲେ। ତ୍ରିଲୋଚନ ମାଝୀ ପୁଣି ୧୦ ମାର୍ଚ୍ଚ ୨୦୧୯ରୁ ୨ଟି ପର୍ଯ୍ୟାୟରେ ୧୯ ସେପ୍‌ଟେମ୍ବର ୨୦୧୯ ପର୍ଯ୍ୟନ୍ତ କମିସନର ରହିଥିଲେ। ତେବେ, ଏସ୍‌ଏମ୍‌ସିର ପ୍ରଥମ ଆଇଏଏସ୍‌ କମିସନର ଭା‌ବେ ଲିଂଗରାଜ ପଣ୍ଡା ୧୯ ସେପ୍‌ଟେମ୍ବର ୨୦୧୯ରେ ଯୋଗଦେଇ ମାତ୍ର ୫ ମାସ ପାଇଁ ଏହି ପଦ‌ରେ ରହିଥିଲେ। ଏହା ପରେ ପ୍ରଥମ ମହିଳା କମିସନର ଭାବେ ଦାୟିତ୍ବ ନେଇଥିଲେ ଯୁଗଳେଶ୍ବରୀ ଦାଶ । ସେ ୨ ମାର୍ଚ ୨୦୨୦ରୁ ୧୩ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଦାୟିତ୍ବ ନିର୍ବାହ କରିଥିଲେ। ଯୁଗଳେଶ୍ବରୀଙ୍କ ପରେ ଅନିରୁଦ୍ଧ ପଧାନ ଦୁଇଟି ପର୍ଯ୍ୟାୟରେ ୨୧ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ କମିସନର ରହିଥିଲେ। ଶ୍ରୀ ପଧାନ ଆଗରୁ ସମ୍ବଲପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ମଧ୍ୟ ରହିଥିଲେ। ଶ୍ରୀ ପଧାନଙ୍କଠାରୁ ଦାୟିତ୍ବ ନେଇଥିବା ପ୍ରଦୀପ ସାହୁ ୧୨ ଜୁଲାଇ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀ ବେଦଭୂଷଣଙ୍କଠାରେ ସମ୍ବଲପୁରବାସୀଙ୍କ ବହୁତ ଆଶା ରହିଛି। ଦେଖାଯାଉ, ଏଠାକାର ବିକାଶ କାର୍ଯ୍ୟ ତାଙ୍କ ତତ୍ତ୍ବାବଧାନରେ ତ୍ବରାନ୍ବିତ ହେଉଛି ନା’ ସ୍ଥିତି ପୂର୍ବ ଭଳି ରହୁଛି।