ଏସ୍‌ଏଚ୍‌ଜିଙ୍କ ଆଚାର ପ୍ରସ୍ତୁତି ଓ ଫୁଲ ଚାଷକୁ ଦେଖିଲେ ସମ୍ବଲପୁର ପ୍ରତିନିଧି ଦଳ

ଛତ୍ରପୁର: ଶୁକ୍ରବାର ସମ୍ବଲପୁର ଜିଲ୍ଲାର ଏକ ପ୍ରତିନିଧି ଦଳ ଗଞ୍ଜାମ ଗସ୍ତ କରି ଛତ୍ରପୁର ବ୍ଲକ୍‌ ନରେନ୍ଦ୍ରପୁର ପଂଚାୟତର ସ୍ବୟଂସିଦ୍ଧା ଆଚାର ଓ ଖାଦ୍ୟ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଉତ୍ପାଦକ ଗୋଷ୍ଠୀ ଦ୍ବାରା ବିଭିନ୍ନ ରକମର ଆଚାର, ପାମ୍ପଡ, ବଡି ଆଦି ପ୍ରସ୍ତୁତ କରାଯାଉଥିବା ସାମଗ୍ରୀକୁ ପ୍ରତିନିଧି ଦଳ ଦେଖିଥିଲେ। ପ୍ରସ୍ତୁତି ଓ ପ୍ରଣାଳୀ ସମ୍ବନ୍ଧରେ ସମ୍ବଲପୁର ଜିଲ୍ଲାର ପ୍ରତିନିଧି ଦଳ ଉତ୍ପାଦକ ମହିଳା ଗୋଷ୍ଠୀ ସହ ଆଲୋଚନା କରିଥିଲେ। ଏହାସହ ଏହି ପ୍ରତିନିଧି ଦଳ ଭିକାରିପଲ୍ଲୀ ପଂଚାୟତ ନୂଆପଲ୍ଲୀ ଗ୍ରାମରେ ୫ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ୧୨ ଶହ ବର୍ଗମିଟର ଅଂଚଳରେ ଗୋଲାପ, ଜର୍ବେରା ଓ ଅର୍କିଡ୍ ଭଳି ଦାମୀ ଫୁଲ ଚାଷ କାର୍ଯ୍ୟକୁ ଦେଖିଥିଲେ।

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କ ଏଭଳି ଉତ୍ତମ କାର୍ଯ୍ୟ ସଂପର୍କରେ ପ୍ରଶିକ୍ଷଣଙ୍କ ଠାରୁ ପ୍ରତିନିଧି ଦଳ ପଚାରି ବୁଝିଥିଲେ ଏବଂ ଆଗାମୀ ଦିନରେ ଏଭଳି କାର୍ଯ୍ୟ ତାଙ୍କ ଜିଲ୍ଲାରେ କରିବା ନେଇ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ସମ୍ବଲପୁର ଜିଲ୍ଲାର ଏହି ପ୍ରତିନିଧି ଦଳରେ ଓଡ଼ିଶା ଜୀବନଜୀବିକା ମିସନ୍‌ ଡିପିଏମ୍ ପୁଷ୍ପଶ୍ରୀ ନାୟକ, ଏପିଡି(ଜୀବନଜୀବିକା) ବିକାଶ ମହାନ୍ତି, ଡେପୁଟି ସିଇଓ ଓରମାସ୍‌ ଶ୍ରୀମନ୍ତ ହୋତା, ଜିତେସ୍‌ ରାଗି ପ୍ରମୁଖ ୨୨ ଜଣିଆ ସଦସ୍ୟ ରହିଛନ୍ତି। ଏହି ପ୍ରତିନିଧି ଦଳର ପରିଦର୍ଶନ ବେଳେ ଗଞ୍ଜାମ ଜିଲ୍ଲାର ଏପିଡି(ଜୀବନଜୀବିକା ମିସନ୍) ନଳିନୀକାନ୍ତ ମିଶ୍ର, ଛତ୍ରପୁର ବ୍ଲକ ବିପିଏମ୍ ମାନିନୀ ଜେନା, ନରେନ୍ଦ୍ରପୁର ସରପଂଚ ବାବୁଲା କୁମାର ବେହେରା, ସମିତି ସଭ୍ୟ ଜ୍ୟୋତିରଞ୍ଜନ ସାହୁ, ଜିପିଏଲ୍ଏଫ୍ ସୁମନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର