ସମ୍ବଲପୁର ବିଶ୍ବବିଦ୍ୟାଳୟ ଦୁର୍ନୀତି ଅଡ଼ିଟ୍ ଧୀମା

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ସମୟରେ ହୋଇଥିବା ଦୁର୍ନୀତି ଅଡିଟ୍‌ ଆରମ୍ଭ ହେବାକୁ ୪ ମାସ ଅତିକ୍ରାନ୍ତ ‌ହୋଇଛି। ଆଉ କିଛି ଦିନ ପରେ ୫ ମାସ ପୂରିଯିବ। ତଥାପି, ସରିନି ଅଡିଟ୍। ମନ୍ଥର ଗତିରେ କାମ ଚାଲିଛି।

ଉଲ୍ଲେଖଯୋଗ୍ୟ ଯେ, ଚାରି ବର୍ଷ ପାଇଁ ସମ୍ମାନଜନକ କୁଳପତି ପଦରେ ଅବସ୍ଥାପିତ ହୋଇଥିବା ପ୍ରଫେସର ସଂଜୀବ ମିତ୍ତଲ ୨ ବର୍ଷ ବି ପୂରଣ କରିପାରିନଥିଲେ। ଗତ ୨୮ ଅଗଷ୍ଟ ୨୦୨୨ରେ ପ୍ରଫେସର ମିତ୍ତଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଇସ୍ତଫାପତ୍ର କୁଳାଧିପତିଙ୍କ ପାଖକୁ ପଠାଇଥିଲେ। ଇସ୍ତଫାକୁ କୁଳାଧିପତି ଗ୍ରହଣ କରିନେବା ପରେ ବିଶ୍ବବିଦ୍ୟାଳୟ ପିଜି କାଉନ୍‌ସିଲ୍‌ର ଅଧ୍ୟକ୍ଷ ପ୍ରଫେସର ସଂଯୁକ୍ତା ଦାସ ଗତ ସେପ୍‌ଟେମ୍ବର ମାସରୁ ଭାରପ୍ରାପ୍ତ କୁଳପତି ଦାୟିତ୍ବ ନେଇଥିଲେ।

ଗତ ଜାନୁଆରି ମାସରେ ପ୍ରଫେସର ବିଧୁଭୂଷଣ ମିଶ୍ର ନୂଆ କୁଳପତି ଭାବେ ଦାୟିତ୍ବ ନେଇଥିଲେ। ପ୍ରଫେସର ମିତ୍ତଲଙ୍କ ସମୟରେ ବିଶ୍ବବିଦ୍ୟାଳୟ ପୁସ୍ତକ କିଣାରେ ହେର୍‌ଫେର୍‌, ସମାବର୍ତ୍ତନ ଉତ୍ସବରେ ଶିଳ୍ପୋଦ୍ୟୋଗୀଙ୍କୁ ଡକ୍ଟରେଟ୍ ପ୍ରଦାନ, ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ସ୍ବର୍ଣ୍ଣପଦକରେ ସୁନାର ପରିମାଣ ଓ ଶୁଦ୍ଧତା କମ୍ ରହିବା, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍‌ ଖାତାକୁ ସ୍ଥାନାନ୍ତର ଏବଂ ଧରାପଡ଼ିବା ପରେ ଟଙ୍କା ଫେରସ୍ତ କରିବା, ବହି ଓ କଂପ୍ୟୁଟର କିଣା ଆଦି ଅନିୟମିତତାରେ ସେ ଛନ୍ଦି ହୋଇଥିଲେ। ସିଣ୍ଡିକେଟ ବୈଠକରେ ତାଙ୍କ ସମୟରେ ହୋଇଥିବା ସବୁ କାର୍ଯ୍ୟର ସ୍ବତନ୍ତ୍ର ଅଡିଟ୍‌ କରାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ସିଣ୍ଡିକେଟ୍‌ ବୈଠକର ଏହି ନିଷ୍ପତ୍ତି ଆଧାରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଜିଲ୍ଲା ଅଡିଟ୍ ଅଧିକାରୀ, ସମ୍ବଲପୁରଙ୍କୁ ସ୍ବତନ୍ତ୍ର ଅଡିଟ୍ କରାଇବା ନିମନ୍ତେ ଅନୁରୋଧ କରାଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ ଗତ ଫେବ୍ରୁଆରି ମାସରେ ଅଡିଟ୍ ଆରମ୍ଭ ହୋଇଥିଲା। ୨ ଜଣ ଅଧିକାରୀଙ୍କ ତତ୍ତ୍ବାବଧାରେ ସବୁ ଆର୍ଥିକ କାରବାର ଅଡିଟ୍ କରାଯାଉଛି। ପ୍ରଫେସର ମିତ୍ତଲଙ୍କ ସମୟରେ ହୋଇଥିବା ଆର୍ଥିକ କାରବାରରେ ସରକାରୀ ନୀତି ନିୟମର ପାଳନ କରାଯାଇଛି କି ନାହିଁ, ଜିନିଷର ବଜାର ମୂଲ୍ୟ ସହିତ ସମାନ ରହିଛି ନା’ ଅଧିକ ଦରରେ କିଣାଯାଇଛି ? ସେସବୁ ଯାଂଚ କରାଯାଉଛି। ତେବେ, କେବଳ ମିତ୍ତଲଙ୍କ କାର୍ଯ୍ୟକାଳ ସମୟରେ ଅଡିଟ୍ କରାନଯାଇ ଆଗରୁ ଯେଉଁସବୁ କାମର ଅଡିଟ୍‌ ହୋଇନଥିଲା, ତାହା ବି ଅଡିଟ୍‌ କରାଯାଉଥିବାରୁ ବିଳମ୍ବ ହେଉଥିବା କହାଯାଇଛି।

ସମ୍ବନ୍ଧିତ ଖବର