ଜମନକିରା : ୧୦୮ ନମ୍ବରକୁ ବାରମ୍ବାର ଫୋନ୍‌ କରି ନୟାନ୍ତ ହେଲେ। ଘରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ରୋଗୀକୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସ ପହଞ୍ଚିଲାନି। ଶେଷରେ ଖଟରେ ରୋଗୀକୁ ୨ କିଲୋମିଟର ରାସ୍ତା ବୋହି ନେବାକୁ ବାଧ୍ୟ ହେଲେ ପରିବାର ଲୋକେ। ଡାକ୍ତରଖାନାରେ ଅସୁସ୍ଥ ଗୁରୁତର ରୋଗୀର ସ୍ବାସ୍ଥ୍ୟ ପରୀକ୍ଷା ନିରୀକ୍ଷା ପରେ କେବଳ ଇଞ୍ଜେକସନ ଦେଇ ବୁର୍ଲା ଭିମସାରକୁ ରେଫର୍ କରିଦେଲେ। କିନ୍ତୁ ଗରିବ ରୋଗୀର ଚିକିତ୍ସା ପାଇଁ ହାତରେ ଟଙ୍କାଟିଏ ମଧ୍ୟ ନଥିବାରୁ ପରିବାର ଲୋକ ଘରକୁ ପୁଣି ଫେରାଇ ନେଇଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ ଫାଶିମାଲ ପଞ୍ଚାୟତ ଗରିଆବାହାଲ ଗାଁରେ।

Advertisment

ସୂଚନାନୁସାରେ ଶନିବାର ପୂର୍ବାହ୍ଣ ୧୧ଟାରେ ଗାରିଆବାହାଲ ଲୁହୁରାପଡ଼ାର ତୁଳସୀ ରାଉତ (୬୬)ଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ଫାଶୀମାଲ ଡାକ୍ତରଖାନାକୁ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ରେ ଯୋଗାଯୋଗ କରିଥିଲେ। ହେଲେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବାକୁ ବିଳମ୍ବ ହେବ ବୋଲି ଉତ୍ତର ମିଳିଥିଲା। ୧୦୮ ଆମ୍ବୁଲାନ୍ସ ଆସିବା ଅପେକ୍ଷାରେ ପରିବାର ଲୋକ ଥିବା ବେଳେ ତୁଳସୀଙ୍କ ଦେହ ଆହୁରି ବିଗିଡ଼ି ଯାଇଥିଲା। ଏହି ସମୟରେ ତୁଳସୀଙ୍କ ଦୁଇ ପୁଅ ମଜୁରି କରିବାକୁ ଯାଇଥିବା ବେଳେ ଘରେ ଆଉ କେହି ନଥିଲେ। ତୁଳସୀଙ୍କ ଅବସ୍ଥା ଅଧିକ ଖରାପ ହେବା ଦେଖି ତାଙ୍କ ନାତି ରାଜୁ ଓ ତାଙ୍କ ସଂପର୍କୀୟ ଝୁଲୁ ଏକ ଖଟରେ ବୋହି ପ୍ରାୟ ୨ କିଲୋମିଟର ରାସ୍ତା ଫାଶୀମାଲ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ।

ସେଠାରେ ତୁଳସୀଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ବୁର୍ଲା ଭିମସାର୍‌କୁ ରେଫର କରିଥିଲେ। ହେଲେ ଚିକିତ୍ସାରେ ଅର୍ଥ ବାଧକ ସାଜି ଥିବାରୁ ଗୁରୁତର ରୋଗୀଙ୍କୁ ବୁର୍ଲା ଭିମାସାରକୁ ନ ନେଇ ତାଙ୍କୁ ଫାଶୀମାଲ ଡାକ୍ତରଖାନାରୁ ଘରକୁ ଫେରାଇ ନେଇଥିଲେ। ଫାଶୀମାଲ ଅଂଚଳରେ ଏପରି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ଫାଶୀମାଲ ସିଏଚ୍‌ସିରେ ଏକ ୧୦୮ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ପ୍ରତାପ ପଟେଲ, ରାଜୀବ ନାଏକ, ସୁନୀଲ ମୁଦୁଲି, ବସନ୍ତ ନାଏକ, ବବୁଲୁ ପଟେଲ, ହରମୋହନ ପଟେଲଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।