ସମ୍ବଲପୁର: ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍‌ୟୁ)ରେ ଅଣଛାତ୍ରଙ୍କ ଦାଦାଗିରି ଦେଖିବାକୁ ମିଳିଛି। ଏକାଧିକ ଅଣଛାତ୍ର ଜିଏମ୍‌ୟୁ ପରିସରରେ ମାରପିଟ୍‌ କରିବା ପରେ ଗେଟ୍‌ ବାହାରେ କେ‌ତେକ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଅନେକ ଛାତ୍ର ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ଥିବା ଜଣାଯାଇଛି। ଏ ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜିଏମ୍‌ୟୁରେ ଦିନ ସାଢ଼େ ୧୦ଟାରୁ ସମ୍ବଲପୁରୀ ଦିନ୍‌ ପାଳନ ଆରମ୍ଭ ହୋଇଥିଲା। ଏହି ସମୟରେ ଜଣେ ଛାତ୍ର ଗାଳିଗୁଲଜ କରୁଥିବାରୁ ଗୌରବ ଶତପଥୀ ନାମକ ଅନ୍ୟ ଜଣେ ଛାତ୍ର ତାଙ୍କୁ ବାରଣ କରିଥିଲେ। ଅନ୍ୟ ଛାତ୍ର ଜଣକ ଏଥିରେ ରାଗି ଯାଇ ବାହାରକୁ ଚାଲି ଆସି କିଛି ଅଣଛାତ୍ରଙ୍କୁ ଫୋନ କରି ଡାକିଥିଲା। ୪ରୁ ୫ ଜଣ ଅଣଛାତ୍ର ଅଧ୍ୟାପକଙ୍କ ସମ୍ମୁଖରେ ଗୌରବଙ୍କୁ ଗାଳିଗୁଲଜ କରିବା ସହ ୨ ଚାପୁଡ଼ା ମାରିଥିଲେ। ଏହା ପରେ ଗୌରବ ଓ ଅନ୍ୟ କିଛି ଛାତ୍ର କୁଳପତିଙ୍କୁ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ କରିବା ପରେ ଗୌରବଙ୍କ ସମେତ ଆଉ ୧୦ ଜଣ ମିଶି ବାହାରକୁ ବାହାରୁ ଥିଲେ। ସେହି ସମୟରେ ଗେଟ୍‌ ବାହାରେ ପାଖାପାଖି ୩୦ ପିଲା ସେମାନଙ୍କୁ ଦଳବଦ୍ଧ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପ୍ରୀତିଶ କରଙ୍କ ଗାଲରେ ଛୁରା ମାଡ଼ ହୋଇଥିବା ବେଳେ ୪ ଷ୍ଟିଚ୍‌ ହୋଇଛି। ଶ୍ବେତାଂଶୁ ବରେଇଙ୍କୁ ପଥରମାଡ଼ କରି ମୁଣ୍ଡ ଫଟାଇ ଦେଇଛନ୍ତି। ଉଭୟଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ଶୁଭମ ପ୍ରସାଦ ମିଶ୍ର ମଧ୍ୟ ପଥର ମାଡ଼ରେ ଆହତ ହୋଇଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅନ୍ୟପଟେ ବିଶ୍ବବିଦ୍ୟାଳୟ ସୂତ୍ରରୁ ଜଣେ ଅଧିକାରୀ କହିଛନ୍ତି, କାର୍ଯ୍ୟକ୍ରମ ଚାଲିଥିବାବେଳେ କଣ ହେଇଛି ଆମେ ଜାଣି ନଥିଲୁ। ଅଭିଯୋଗ ହେବା ପରେ ଜଣାପଡ଼ିଲା। ପିଲାମାନେ କୁଳ ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଛାନ୍‌ଭିନ୍‌ ପରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ବିଶ୍ବବିଦ୍ୟାଳୟ ବାହାର କଣ ହୋଇଛି ଆମେ ଜାଣି ନାହୁଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଟାଉନ୍‌ ଥାନା ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।