ମାଟି ଖୋଳା ଛଡ଼ା କାମ ନାହିଁ ! ବଢ଼ୁଛି ପ୍ରବାସୀ ଶ୍ରମିକଙ୍କ ରୋଜଗାର ଚିନ୍ତା

ସମ୍ବଲପୁର (ଗାର୍ଗୀ ଶତପଥୀ) : ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏବେ ରୋଜଗାର ଚିନ୍ତା। ଯାହା କିଛି ଟଙ୍କା ପଇସା ଥିଲା ସରିଗଲାଣି। ଗାଁରେ କାମ ନାହିଁ। ଅଳ୍ପ କେତେକ ସ୍ଥାନରେ ମିଳୁଛି କେବଳ ମାଟି ଖୋଳା କାମ। ବାହାର ରାଜ୍ୟରେ ବିଭିନ୍ନ କଳକାରଖାନାରେ କାମ କରୁଥିବା କୁଶଳୀ ଶ୍ରମିକ ଏ ସବୁ କାମ କରିପାରୁନାହାନ୍ତି । ଯେଉଁ ମହିଳା ଓ ଯୁବତୀମାନେ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ଟ୍ରେନିଂ ସାରି ବାହାରେ କାମ ଥିଲେ ସେମାନେ ବି ଘରେ ହାତବାନ୍ଧି ବସିଛନ୍ତି। ଏମାନଙ୍କ ପାଇଁ କିନ୍ତୁ ସରକାର ଓ ପ୍ରଶାସନ ନିର୍ବିକାର। ସବୁ ଶ୍ରମିକଙ୍କୁ କାମ ମିଳିବ ବୋଲି ସରକାରଙ୍କ ଘୋଷଣା କେବଳ ପ୍ରଚାର ମଧ୍ୟରେ ରହିଯାଇଛି। ଖାଲି ମାଟି କାମ ଛଡ଼ା ଯେମିତି ଆଉ ପ୍ରଶାସନକୁ କିଛି କାମ ମିଳୁନି। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ଜାତୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଯେମିତି ଜିଲ୍ଲାରେ ଅସ୍ତିତ୍ବ ହରାଇଛି। ପ୍ରବାସୀ ଶ୍ରମିକମାନେ ପୁଣି ବାହାର ରାଜ୍ୟର ଅସୁରକ୍ଷିତ କାର୍ଯ୍ୟକ୍ଷେତ୍ରକୁ ଫେରିଯାଆନ୍ତୁ ବୋଲି ଚାହୁଛନ୍ତି ସରକାରୀ ବାବୁମାନେ। ଏଭଳି ଭାବେ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି ପ୍ରବାସୀ ଶ୍ରମିକମାନେ।

୫ ମାସ ହେଲା ଘରକୁ ଫେରିଥିବା ଯୁଯୁମୁରା ବ୍ଲକ ଲଙ୍ଗବାହାଲ ପଞ୍ଚାୟତର ଆର୍ତ୍ତ ବିଭାର(୨୩) କହନ୍ତି, ଏଠାରେ ରୋଜଗାର ନମିଳିବାରୁ ୩ ବର୍ଷ ତଳେ ତାମିଲନାଡ଼ୁ ଯାଇଥିଲେ। ସେ ତାମିଲନାଡ଼ୁରେ ଗାଡ଼ିର ନଟ୍‌, ବୋଲ୍ଡ ତିଆରି କରୁଥିବା କାରଖାନାରେ ମେସିନ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। କୋଭିଡ୍‌ ପରିସ୍ଥିତି ଦୃଷ୍ଟିରୁ ଗାଁର ୨୦ ଜଣଙ୍କ ସହ ସେ ବି ଫେରି ଆସିଲେ। ବର୍ତ୍ତମାନ ଗାଁରେ ମଝିମଝିରେ କେବଳ ମାଟି ଖୋଳା ଛଡ଼ା ଅନ୍ୟ କୌଣସି କାର୍ଯ୍ୟ ମିଳୁନି। ତାହାବି ନିୟମିତ ନୁହେଁ। ଏଥିରୁ ଦୈନିକ ମିଳୁଥିବା ୨୦୭ ଟଙ୍କା ଯଥେଷ୍ଟ ହେଉନାହିଁ। ଉପଯୁକ୍ତ ରୋଜଗାରର ମାଧ୍ୟମ ମିଳିଲେ ସେ ଆଉ ତାମିଲନାଡ଼ୁ ଯାଆନ୍ତେ ନାହିଁ ବୋଲି ଭାବୁଥିଲେ। ସ୍ଥିତି ଯେମିତି  ହେଲାଣି ତାମିଲନାଡ଼ୁ ଯିବାକୁ ବାଧ୍ୟ ହେବେ। ମଝିରେ କିଛି ସରକାରୀ କର୍ମଚାରୀ ଆସି ପାଇପ୍‌ ଲାଇନ୍‌, ଗ୍ୟାସ ସିଲିଣ୍ଡର ଫ୍ୟାକ୍ଟ୍ରିରେ କାର୍ଯ୍ୟ ଅଛି ବୋଲି କହିଥିଲେ। କିନ୍ତୁ କିଛି ମିଳୁନଥିବା ସେ କହିଛନ୍ତି।  ହାଇଦ୍ରାବାଦରେ  ବିପିଓରେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିବା ପଧାନପାଲିର ଇତାକୁଲୁ କୃପା କହନ୍ତି, ଆସିବା ଦିନ ଠାରୁ ହିଁ ସେ ବେକାର ଅଛନ୍ତି। ବିଭିନ୍ନ କ୍ଷେତ୍ରରେ ଆବେଦନ କରିଥିଲେ ମଧ୍ୟ କୌଣସି ଲାଭ ହେଉ ନାହିଁ। ମେଘପାଲର ଟୁକୁନା ସେଠ୍‌ କହନ୍ତି, ବାଙ୍ଗାଲୋରରେ ସେ ରାସ୍ତା କାମ କରୁଥିଲେ। ଏଠି ମନରେଗାରେ ମାଟି କାର୍ଯ୍ୟ କରୁଛନ୍ତି। ତାହା ବି ଆଉ ମିଳିବ ନାହିଁ ବୋଲି ଶୁଣାଯାଉଛି। ତାଙ୍କ ସ୍ତ୍ରୀ ତିଳୋତ୍ତମା ମିର୍ଧା ସେଠି କପଡ଼ା ଫ୍ୟାକ୍ଟିରେ କାର୍ଯ୍ୟ କରୁଥିଲେ। ଏଠି କିନ୍ତୁ ଆସିବା ଦିନ ଠାରୁ ଘରେ ଅଛନ୍ତି। ମେସିନ ଆଣି ଟେଲରିଂ ବ୍ୟବସାୟ ପାଇଁ ଚିନ୍ତା କରୁଥିଲେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଏହା ସମ୍ଭବ ହେଉ ନାହିଁ। ବର୍ତ୍ତମାନ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଛି। ଚାରପାଲିର ରିଙ୍କୁ ଧନାଓ(୧୯) କହନ୍ତି, ବାଙ୍ଗାଲୋରରେ ରଙ୍ଗ ମିସ୍ତ୍ରି କାର୍ଯ୍ୟ କରି ମାସକୁ ୧୩ ହଜାର ଟଙ୍କା ଆୟ କରୁଥିଲେ। କିନ୍ତୁ ୪ ମାସ ହେବ ଆସିବା ଦିନ ଠାରୁ ଏଠାରେ ବେକାର ଅଛନ୍ତି। ଅକ୍ଟୋବର ମାସରେ ଧାନ କଟା କାର୍ଯ୍ୟ କରି କିଛି ଆୟ କରିଛନ୍ତି। ଏହା ସ୍ଥାୟୀ ନୁହେଁ। ପରବର୍ତ୍ତୀ ସମୟରେ ମିଳିବା ନେଇ ଅନିଶ୍ଚିତତା ରହିଛି। ୩ ବର୍ଷ ହେଲା ବାଙ୍ଗାଲୋରକୁ ରୋଜଗାର ପାଇଁ ଯାଇଥିଲେ। ତାଙ୍କ ସହିତ ୩ ଜଣ ଫେରିଛନ୍ତି। କିନ୍ତୁ କାହାରି ପାଖରେ ସ୍ଥାୟୀ ରୋଜଗାର ନାହିଁ।

ସମ୍ବନ୍ଧିତ ଖବର

Comments are closed.