ନେତାଙ୍କ ପାଖରେ ସାଢ଼େ ୧୧ କିଲୋର ସୁନା ଗହଣା:ରୋହିତଙ୍କ ସର୍ବାଧିକ ସୁନା ଓ ନିତେଶଙ୍କ ରୁପ‌ା

ସମ୍ବଲପୁର,: ସୁନାଗହଣା ପ୍ରିୟ ସମ୍ବଲପୁରର ନେତା। ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ସମ୍ବଲପୁରର ଏହି ନେତାଙ୍କ ପାଖରେ ମୋଟ ୧୧ କିଗ୍ରା ୪୮୯.୫ ଗ୍ରାମର ସୁନା ଗହଣା ରହିଛି। ଏଥି ମଧ୍ୟରେ ୫ କିଗ୍ରା ୩୦୯.୫ ଗ୍ରାମର ସୁନା ଓ ୬ କିଗ୍ରା ୧୮୦ ଗ୍ରାମର ରୂପା ରହିଛି। ମୋଟ ସୁନାର ମୂଲ୍ୟ ୧୬ କୋଟି ୯୯ ଲକ୍ଷ ୪ ହଜାର ଟଙ୍କା ହେଉଥିବା ବେଳେ ରୂପାର ମୂଲ୍ୟ ୨ ଲକ୍ଷ ୫୦ ହଜାର ୯୨ ଟଙ୍କା ରହିଛି। ତେବେ ସୁନାଗହଣା ପ୍ରିୟ ନେତାଙ୍କ ମଧ୍ୟରେ ରେଢ଼ାଖୋଲ ବିଧାନସଭା ବିଜେଡ଼ି ପ୍ରାର୍ଥୀ ଇଂ ରୋହିତ ପୂଜାରୀ ସର୍ବାଗ୍ରେ ରହିଛନ୍ତି। ରୋହିତ ଓ ତାଙ୍କ ପତ୍ନୀଙ୍କ ନିକଟରେ ମୋଟ ୧ କିଗ୍ରା ଶହେ ଗ୍ରାମର ସୁନା ରହିଥିବା ବେଳେ ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କ ନିକଟରେ ୧ କିଗ୍ରା ୩ଶହ ଗ୍ରାମର ରୂପା ରହିଛି। ଚଳିତ ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁରର ଗୋଟିଏ ଲୋକସଭା ଓ ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠରୁ ଏହି ତଥ୍ୟ ସମ୍ପର୍କରେ ସୂଚନା ମିଳିଛି। ସୁନାପ୍ରିୟ ନେତାଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ସମ୍ବଲପୁର ଲୋକସଭା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ରହିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ନିକଟରେ ୬ଶହ ଗ୍ରାମ ଓଜନର ସୁନା ରହିଛି। ସେହିପରି ସମ୍ବଲପୁରର ଲୋକସଭା ବିଜେଡ଼ି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ୫୫୫ ଗ୍ରାମ ସୁନା ସହ ତୃତୀୟ ସ୍ଥାନରେ ରହିଛନ୍ତି। ଆମ୍ବେଦକର ନ୍ୟାସନାଲ କଂଗ୍ରେସ ଦଳର ସମ୍ବଲପୁର ଲୋକସଭା ପ୍ରାର୍ଥୀ ସନ୍ତୋଷିନୀ କର୍ଣ୍ଣ ୧୦୯୦ ଗ୍ରାମ ରୂପା ସହ ରୂପା ତାଲିକାର ଦ୍ବିତୀୟ ସ୍ଥାନରେ, ନଳିନୀକାନ୍ତ ପ୍ରଧାନ ୯୩୦ ଗ୍ରାମ ରୂପା ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସମ୍ବଲପୁର ଲୋକସଭା ପାଇଁ ପ୍ରଗତିଶୀଳ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆତ୍ମାରାମ ସୂପକାରଙ୍କ ନିକଟରେ ୪୧୦ ଗ୍ରାମ, ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କ ନିକଟରେ ୨ଶହ ଗ୍ରାମ ଓ ସନ୍ତୋଷିନୀ କର୍ଣ୍ଣ ୧୩୦ ଗ୍ରାମ ସୁନା ରଖିଛନ୍ତି। ସମ୍ବଲପୁର ବିଧାନସଭାର ବିଜେଡ଼ି ପ୍ରାର୍ଥୀ ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ନିକଟରେ ୧୬୫ ଗ୍ରାମ ସୁନା, ସ୍ବ‌ାଧୀନ ପ୍ରାର୍ଥୀ ଜୟବ୍ରତ ଦେଙ୍କ ନିକଟରେ ୨୩୦ ଗ୍ରାମ, କଂଗ୍ରେସର ଡା.ଅଶ୍ବିନୀ ପୂଜାହାରୀଙ୍କ ନିକଟରେ ୧୨୦ ଗ୍ରାମ ଓ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ନିକଟରେ ୮୫ ଗ୍ରାମ ସୁନା ରହିଛି। କୁଚିଣ୍ଡା ବିଧାନସଭା କଂଗ୍ରେସ ପ୍ରାର୍ଥୀ ଶୋଭାରାମ ପ୍ରଧାନଙ୍କ ନିକଟରେ ୨୫୦ ଗ୍ରାମ, ବିଜେପି ପ୍ରାର୍ଥୀ ରବି ନାୟକଙ୍କ ନିକଟରେ ୭୦ ଗ୍ରାମ ଓ ବିଜେଡ଼ି ପ୍ରାର୍ଥୀ କିଶୋର ନାଏକଙ୍କ ନିକଟରେ ୬୦ ଗ୍ରାମ ସୁନା ରହିଛି। ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ରୀନା ତନ୍ତୀଙ୍କ ନିକଟରେ ୬୦ ଗ୍ରାମ, ବିଜେପି ପ୍ରାର୍ଥୀ ନାଉରୀ ନାୟକଙ୍କ ନିକଟରେ ୮୦ ଗ୍ରାମ ଓ କଂଗ୍ରେସ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସଙ୍କ ନିକଟରେ ୩୦ ଗ୍ରାମ ସୁନା ରହିଛି। ରେଢ଼ାଖୋଲ ବିଧାନସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ଜୟଲାଲ ବେହେରାଙ୍କ ନିକଟରେ ୩୪୬ ଗ୍ରାମ, କଂଗ୍ରେସ ପ୍ରାର୍ଥୀ ଆସଫ ଅଲ୍ଲୀଙ୍କ ନିକଟରେ ୨ଶହ ଗ୍ରାମ ଓ ସ୍ବାଧୀନ ପ୍ରାର୍ଥୀ ସମର ପ୍ରଧାନଙ୍କ ନିକଟରେ ୧୫୦ ଗ୍ରାମ ସୁନା ରହିଛି।

ସମ୍ବନ୍ଧିତ ଖବର