ବୁର୍ଲା: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଐତିହାସିକ ଅବତରଣ କରିଛି। ଇସ୍ରୋର ଏହି ଟିମରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ (ଭିସୁଟ୍)ର ବିଭିନ୍ନ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହୋଇଥିବା ୧୪ ଜଣ ବୈଜ୍ଞାନିକ ସାମିଲ ଥିବା ଜଣାପଡ଼ିବା ପରେ ଶିକ୍ଷାନୁଷ୍ଠାନରେ ଖୁସିର ଲହରି ଦେଖାଦେଇଛି। ଭିସୁଟ୍ ଆଲୁମିନିର ଏହି ୧୪ ଜଣ ବୈଜ୍ଞାନିକ ହେଲେ ଶିବାଶିଷ ମାଇତି, ମିହିରକାନ୍ତି ମିଶ୍ର, ଡ. ରାଧାକାନ୍ତ ପାଢ଼ୀ, ଲୋପାମୁଦ୍ରା ମିଶ୍ର, ସୁଶାନ୍ତ ପଣ୍ଡା, ମଧୁସୂଦନ ନାଥ, ଧର୍ମେନ୍ଦ୍ର ବେହେରା, ଆଶୁତୋଷ ମିଶ୍ର, ମାନସ ଭଦ୍ରା, ସୁଜିତ ନାଏକ, ରାଜ କିରଣ ସରବା, କେ.ନାଗରାଜୁ, ଲକ୍ଷ୍ମୀପ୍ରିୟା ପୃଷ୍ଟି ଓ ସୁରଭି ବୋଷ।
ଭିସୁଟ୍ ଆଲୁମିନି ଗ୍ରୁପର ଏହି ବୈଜ୍ଞାନିକଙ୍କୁ କୁଳପତି ପ୍ରଫେସର ବଂଶୀଧର ମାଝୀ ଅଭିନନ୍ଦନ ଜଣାଇବା ସହ ଦେଶ ତଥା ରାଜ୍ୟସ୍ତରରେ ଭିସୁଟକୁ ଗୌରବାନ୍ଵିତ କରିଛନ୍ତି ବୋଲି କହିଛନ୍ତି।