ସାଇକଲ୍‌ ହ୍ୟାଣ୍ଡଲ୍‌ ବାଜିଯିବାରୁ ହତ୍ୟା

ସମ୍ବଲପୁର : ବନାରସରୁ ନିଜ ସମ୍ପର୍କୀୟ ଘରକୁ ବୁଲି ଆସିଥିବା ଜଣେ ୧୪ ବର୍ଷର ପିଲାକୁ ହତ୍ୟା କରାଯାଇଛି। ଦେହରେ ସାଇକଲ୍‌ ହ୍ୟାଣ୍ଡେଲ୍‌ ବାଜିଯିବାରୁ ଜଣେ ନାବାଳକ ତାଙ୍କୁ ଛୁରି ଭୁସି ହତ୍ୟା କରିଛି। ଉତ୍ତରପ୍ରଦେଶ ବନାରସର ସ୍ୱର୍ଗତ ଉମେଶ ରାଓ୍ଵତ ଏବଂ ଲକ୍ଷ୍ମୀ ଦେବୀଙ୍କ ୧୪ ବର୍ଷର ପୁଅ ତୁଷାର ସେଠାରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସ୍କୁଲ ଛୁଟି ହୋଇଥିବାରୁ କିଛି ଦିନ ତଳେ ସେ ସମ୍ବଲପୁରରେ ରହୁଥିବା ନିଜ ପିଉସୀ ସୋନି ଦେବୀଙ୍କ ଘରକୁ ବୁଲିବାକୁ ଆସିଥିଲେ। ସୋନି ଦେବୀ ବୁଢ଼ାରଜା ବାଳିକା ହାଇସ୍କୁଲ ନିକଟରେ ଏକ ଭଡ଼ା ଘରେ ରହୁଛନ୍ତି। ଶୁକ୍ରବାର ସଂଧ୍ୟା ୬ଟା’ରେ ତୁଷାର ସେହି ସ୍କୁଲ ପାଚେରି ନିକଟରେ ସାଇକଲ ଚଲାଉଥିଲେ। ସେତିକିବେଳେ ତା’ ସାଇକଲର ହ୍ୟାଣ୍ଡେଲ ପାଖରେ ବୁଲୁଥିବା ପଡ଼ୋଶୀ ପରିବାରର ଜଣେ ବାଳକ ଦେହରେ ବାଜି ଯାଇଥିଲା। ଏଥିରେ ରାଗି ଯାଇ ଉକ୍ତ ବାଳକ ଜଣକ ଘରକୁ ଯାଇ ଏକ ଛୁରୀ ଆଣି ତୁଷାରର ବାମ ପଟ ଛାତିରେ ଭୁସି ଦେଇଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ସଦର ଡାକ୍ତରଖାନାକୁ ଆଣିଥିଲାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଅଇଁଠାପାଲି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର