ଝାରସୁଗୁଡ଼ା : ଲକ୍ଷେ ଟଙ୍କା ବଟି ମାଗି ୨ ଗିରଫ, ୩ ଫେରାର 

ଝାରସୁଗୁଡ଼ା : ଜଣେ ଟ୍ରକ ମାଲିକଙ୍କୁ ଧମକ ଦେଇ ଲକ୍ଷେ ଟଙ୍କା ବଟି ମାଗୁଥିବା ଅଭିଯୋଗରେ  ବେଲପାହାଡ଼ ପୁଲିସ  ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓରିଏଣ୍ଟ ଥାନା ଅଞ୍ଚଳରେ ରହୁଥିବା ପୁଷ୍ପଲତା ଗୁପ୍ତା ଏବଂ ତାଙ୍କ ସ୍ବାମୀ ଦିନେଶ ଗୁପ୍ତା ବ୍ୟବସାୟ କରନ୍ତି। ୨୦୧୮ରେ ଦିନେଶ ଆତ୍ମହତ୍ୟା କରିବା ପରେ ତାଙ୍କ ପାଖରେ ଥିବା ୪ ଟ୍ରକ ଓ ଗୋଟିଏ ସ୍କର୍ପିଓକୁ ତାଙ୍କ ଭାଇ ତାଙ୍କ ଅକ୍ତିଆରେ ରଖିଥିଲେ। ପୁଷ୍ପଲତା ତାଙ୍କ ଘର ଉତ୍ତରପ୍ରଦେଶ ଚାଲିଯାଇଥିଲେ। ପୁଷ୍ପଲତା ଓଡ଼ିଶା ଡିଜିପିଙ୍କ ନିକଟରେ ଏକ ପିଟିସନ୍‌ ଦାଖଲ କରି ଗାଡ଼ିଗୁଡ଼ିକୁ ତାଙ୍କୁ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ।

ଏନେଇ ଡିଜିପି ଝାରସୁଗୁଡା ଏସ୍‌ପିଙ୍କୁ ତଦନ୍ତ କରିବା ପାଇ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡା ଏସ୍‌ପିଙ୍କ ନିର୍ଦ୍ଦେଶରେ ବ୍ରଜରାଜନଗର ଏସ୍‌ଡିପିଓ ଓ ଓରିଏଣ୍ଟ ଆଇଆଇସି ତଦନ୍ତ କରି ଗାଡିଗୁଡିକୁ ଜବତ୍‌ କରିବା କରି ଥାନାରେ ରଖିଥିଲେ ଓ ଲିଗାଲହେୟାର ଦେଖାଇ ଗାଡ଼ି ନେଇ ଯିବାକୁ କହିଥିଲେ। ପୁଷ୍ପଲତାଙ୍କ ଜ୍ବାଇଁ ଅନିଲ ଗୁପ୍ତା ଉତ୍ତର ପ୍ରଦେଶରୁ ଆସି ପୁଲିସ ପାଖକୁ ଯିବା ଓ ସାହାଯ୍ୟ କରିବା ପାଇଁ ବେଲପାହାଡ଼ର ହୃଦାନନ୍ଦ ଭୋଇ ଏବଂ ଜୟକୃଷ୍ଣ ମହାପାତ୍ରଙ୍କ ସହିତ ପରିଚୟ ହୋଇ ତାଙ୍କ ସାହାଯ୍ୟ ନେଇଥିଲେ। ପରେ ପୁଲିସ ଗାଡ଼ି ରିଲିଜ କରିଥିଲା। ଏହାପରେ ଜୟକୃଷ୍ଣ ଓ ହୃଦାନନ୍ଦ ଉକ୍ତ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ଦେବାକୁ ଦାବି କରିବା ସହିତ ଧମକ ଚମକ ଦେଇଥିଲେ। ଅନିଲ ଏଥିରେ ରାଜି ନହେବାରୁ  ଗୋଟିଏ ଟ୍ରକ ନେଇ ଯାଇ ଏକ ଗ୍ୟାରେଜ୍‌ରେ ରଖି ଦେଇଥିଲେ। ଏଥିରେ ଭୟଭୀତ ଅନିଲ ଉତ୍ତରପ୍ରଦେଶ ଫେରି ଯାଇଥିବା ବେଳେ ଗତ ୧୭ ତାରିଖରେ ବେଲପାହାଡ଼ ଥାନାରେ ଆସି ଏକ ଏତଲା ଦେଇଥିଲେ। ପୁଲିସ ଏତଲା ଗ୍ରହଣ କରି କେସ୍‌ ନମ୍ବର ୨୬୯ରେ ଭାରତୀୟ ଦଣ୍ଡବିଧି ଆଇନର ୪୨୦, ୩୮୫, ୩୭୯, ୫୦୬, ୩୪ ଦଫା ରୁଜୁ କରି ଜୟକୃଷ୍ଣଙ୍କୁ ଯୁଯୁମୁରା ଓ ହୃଦାନ୍ଦକୁ ସୁନ୍ଦରଗଡ଼ରୁ ଗିରଫ କରିଥିଲା। ଏହି ଘଟଣାରେ ସଂପୃକ୍ତ ରମେଶ କୁମାର ସିଂହ, ପ୍ରତାପ ଓ ଆଉ ଜଣେ ଅଜଣା ବ୍ୟକ୍ତି ଫେରାର ଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର