ଏସ୍‌ପ୍ଲାନେଡ ମଲ୍‌ରେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବନ୍ଦ କରିଦେଲେ ମଲ୍‌

ମାର୍କେଟିଂ ମ୍ୟାନେଜର ଶ୍ୟାମା ଝା ଓ ଦୁଇ ସୁରକ୍ଷା କର୍ମୀ ଗିରଫ, ଧାରଣାରେ ବସିଲେ ସାମ୍ବାଦିକ

ଭୁବନେଶ୍ବର : କାର୍ଯ୍ୟରତ ମହିଳା ସାମ୍ବାଦିକ ସ୍ୱାତୀ ଜେନା ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାରେ ସହିଦନଗର ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଏସପ୍ଲାନେଡ୍ ମଲ୍‌ର ମାର୍କେଟିଂ ମ୍ୟାନେଜର ଶ୍ୟାମା ଝା ଏବଂ ଦୁଇଜଣ ସୁରକ୍ଷାକର୍ମୀ ପଙ୍କଜ ସାହୁ ଓ ମହନ୍ତ ବିଶ୍ୱାଳ।

ମଲ୍ ଖୋଲିବା ପରେ ଆଜି ସାମ୍ବାଦିକମାନେ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ଏହାପରେ ପୁଲିସ ଦୁଇ ସୁରକ୍ଷାକର୍ମୀ ପଙ୍କଜ ଓ ମହନ୍ତଙ୍କୁ ଗିରଫ କରି ଥାନାକୁ ନେଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ମାର୍କେଟିଂ ମ୍ୟାନେଜର ଶ୍ୟାମା ଝାଙ୍କ ଗିରଫ ଦାବିରେ ସାମ୍ବାଦିକ ମାନେ ମଲ୍ ସମ୍ମୁଖରେ ଧାରଣା ଜାରି ରଖିଥିଲେ। ଧାରଣାସ୍ଥଳରେ ଡିସିପି ଅନୁପ କୁମାର ସାହୁ ପହଞ୍ଚି ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଧାରଣା ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ବହୁ ବରିଷ୍ଠ ସାମ୍ବାଦିକ ଯୋଗ ଦେଇ ଘଟଣାକୁ ନିନ୍ଦା କରିବା ସହିତ ବିକ୍ଷୋଭ କରିଥିଲେ। ଏହି କାରଣରୁ ଆଜି ମଲ୍‌ ବନ୍ଦ ରହିଥିଲା। ‌ଶେଷରେ ସଂଧ୍ୟାରେ ପୁଲିସ ଶ୍ୟାମାଙ୍କୁ ଗିରଫ କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସେହିପରି ବିଭିନ୍ନ ସଂଗଠନପକ୍ଷରୁ ଆଜି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଛି। ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି କି, ସାମ୍ବାଦିକମାନଙ୍କ ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଉ। ଏସ୍‌ପ୍ଲାନେଡ ମଲ ଦୀର୍ଘ ଦିନ ଧରି ବେଆଇନ ଭାବେ ପାର୍କିଂ ଫି ଆଦାୟ କରି ଆସୁଥିଲା। ଯାହାର ଖବର ପ୍ରସାରଣ କରିବାକୁ ଯାଇ ସ୍ବାତୀ ଏଭଳି ଆକ୍ରମଣର ଶିକାର ହେଲେ। ତେଣୁ ବିଏମ୍‌ସି ଓ ବିଡିଏ କତୃର୍ପକ୍ଷ ଏ ଦିଗରେ ଧ୍ୟାନ ଦେବାକୁ ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି। ପୁଲିସ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନେକ ସାମ୍ବାଦିକ ଏକାଠି ହୋଇ ପ୍ରତିବାଦ ଜଣାଇବା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ସ୍ବାତୀଙ୍କ ସପକ୍ଷରେ ରୢାଲି କରିବା ସହିତ ବିକ୍ଷୋଭ କରିଥିଲେ। ପରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ଏକ ସ୍ମାରକପତ୍ର ଡିସିପିଙ୍କୁ ପ୍ରଦାନ କରିଥିଲେ। କଂଗ୍ରେସ ପକ୍ଷରୁ ମଧ୍ୟ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି। କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ୟୁନିଟ୍-୮ ଡିଏଭି ସ୍କୁଲ ଛକରେ ଆବାହକ ୟାସିର ନୱାଜଙ୍କ ନେତୃତ୍ବରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ,ଏସପ୍ଲାନେଡ୍ ମଲରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଏହି ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ଏକ ଘରୋଇ ୱେବ୍ ଚାନେଲର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ କାର୍ଯ୍ୟରତ ସୁରକ୍ଷାକର୍ମୀ ଆକ୍ରମଣ କରିବା ସହ ମଲ୍‌ ଭିତରେ ବନ୍ଦ କରି ରଖିବା ନେଇ ଗତକାଲି ଅଭିଯୋଗ ହୋଇଥିଲା। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ଉଲ୍ଲେଖଯୋଗ୍ୟ, ବିଡିଏ ମଲ୍‌ଗୁଡ଼ିକରେ ପାର୍କିଂ ଫି ଆଦାୟ ଉପରେ କଟକଣା ଜାରି କରିଛି। ଏହା ସତ୍ତ୍ବେ ଏସ୍‌ପ୍ଲାନେଡ୍‌ ତିନିଦିନ ଧରି ପାର୍କିଂ ଫି ଆଦାୟ କରୁଛି।

ସମ୍ବନ୍ଧିତ ଖବର