ସମ୍ବଲପୁର ଡିଆଇପିଆର୍‌ଓଙ୍କୁ ଅପହରଣ ପ‌ରେ ହତ୍ୟା ଧମକ ଘଟଣା : ନିଜ ଡ୍ରାଇଭର୍‌ ଓ ‌ଷ୍ଟୋର୍‌ କିପର୍‌ ସମେତ ୫ ଗିରଫ

ଏବେ ବି ରହସ୍ୟରେ ଘଟଣା, ଛୁଟିରେ ପଠାଇବାକୁ ସୁପାରି କିଲରଙ୍କୁ ବ୍ୟବହାର, ୩ ଦିନିଆ ରିମାଣ୍ଡରେ ଆସିବେ ସମସ୍ତ ଅଭିଯୁକ୍ତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(ଡିଆଇପିଆର୍‌ଓ) ହେମନ୍ତ ନାୟକଙ୍କୁ ଗତ ଗତ ୨୮ ତାରିଖ ଦିନ ସାଢ଼େ ୧୧ଟା ସମୟରେ ସମ୍ବଲପୁର ରେଳ ଷ୍ଟେସନ ସମ୍ମୁଖରୁ ବନ୍ଧୁକ ମୁନରେ ଅପହରଣ କରି ରିଂ ରୋଡ୍‌ରେ ବୁଲାଇବା ପରେ ହତ୍ୟା ଧମକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାଡ଼ି ଦିଆଯିବା ଘଟଣା ଏବେ ବି ରହସ୍ୟମୟ ହୋଇ ରହିଛି। ଶ୍ରୀ ନାୟକଙ୍କ ଅଭିଯାଗ କ୍ରମେ ସମ୍ବଲପୁର ପୁଲିସ୍‌ ଏକ ମାମଲା ରୁଜୁ କରି ଗୁରୁବାର ସମ୍ବଲପୁର ସମେତ ଦେବଗଡ଼, ବଲାଙ୍ଗୀର ଓ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଏହି ଘଟଣାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶ୍ରୀ ନାୟକଙ୍କ ସରକାରୀ ଡ୍ରାଇଭର ଦେବାନନ୍ଦ ରଣବିଡ଼ା (୫୭) ଓ ଷ୍ଟୋର୍‌ କିପର ଅଶ୍ବିନୀ ମାଲାକାର (୫୭) ସମେତ ମୋଟ ୫ ଜଣଙ୍କୁ ଶୁକ୍ରବାର ପୁଲିସ୍‌ ଗିରଫ କରିଛି। ସୁପାରି ନେଇ ଏହି ୨ ଅଭିଯୁକ୍ତଙ୍କ ଇସାରାରେ ବନ୍ଧୁକ ନେଇ ଶ୍ରୀ ନାୟକଙ୍କୁ ହତ୍ୟା ଧମକ ଦେଇଥିବା ସମସ୍ତ ୩ ଅଭିଯୁକ୍ତଙ୍କ ପରିଚୟ ପୁଲିସ୍‌ ଗୋପନ ରଖିଥିବା ବେଳେ ସେମାନେ ସମସ୍ତେ ସମ୍ବଲପୁରର ବୋଲି ଜଣାପଡ଼ିଛି। ଅନ୍ୟ ୩ ଅଭିଯୁକ୍ତଙ୍କର ଟିଆଇ ପରେଡ୍‌ ହେବାକୁ ଥିବାରୁ ସେମାନଙ୍କ ପରିଚୟ ଗୋପନ ରଖାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କୁ ୩ ଦିନିଆ ରିମ‌ାଣ୍ଡରେ ଆଣି ପଚରାଉଚରା କଲେ ଘଟଣାର ସବିଶେଷ ତଥ୍ୟ ମିଳିପାରିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି। ସେପଟେ, ଅଭିଯୁକ୍ତମାନେ ଶ୍ରୀ ନାୟକଙ୍କଠାରୁ ଜବରଦସ୍ତ ଦସ୍ତଖତ କରାଇ ନେଇଥିବା ଦସ୍ତାବେଜ୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି। ପୂର୍ବରୁ ଲାଗି ରହିଥିବା ଝଗଡ଼ାକୁ କେନ୍ଦ୍ର କରି ଡ୍ରାଇଭର ଦେବାନନ୍ଦ ଓ ଅଶ୍ବିନୀ ମାଲାକାର ଏଭଳି କାଣ୍ଡ ଭିଆଇଥିବା ନେଇ ସମ୍ବଲପୁର ଏସ୍‌ପି କନୱର ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ଅପରପକ୍ଷରେ ଶ୍ରୀ ନାୟକ ତାଙ୍କ ଅଭିଯୋଗପତ୍ରରେ କିନ୍ତୁ ଭିନ୍ନ ଘଟଣା ବଖାଣିଛନ୍ତି। ଅଭିଯୁକ୍ତମାନେ ‌ତାଙ୍କୁ ହତ୍ୟା ଧମକ ଦେବା ପଛରେ ଛୁଟିରେ ପଠାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ନାୟକ ତାଙ୍କ ଅଭିଯୋଗପତ୍ରରେ ଲେଖିଛନ୍ତି। ଶ୍ରୀ ନାୟକ ଦେଇଥିବା ଅଭିଯୋଗ ଅନୁସାରେ ଗତ ୨୮ ତାରିଖରେ ସେ ଡିଆଇପିଆର୍‌ଓ ଶ୍ରୀ ନାୟକ ଭୁବନେଶ୍ବର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍‌ ଯୋଗେ ସମ୍ବଲପୁରରେ ପହଞ୍ଚିବା ପରେ ତାଙ୍କୁ ନେବା ପାଇଁ ଡ୍ରାଇଭର ଦେବାନନ୍ଦ ରଣବିଡ଼ା ଆସିଥିଲେ। ସାଢ଼େ ୧୧ଟା ସମୟରେ ଶ୍ରୀ ନାୟକ ତାଙ୍କ ନିଜ କାର୍‌(ଓଆର୍‌ ୦୨ ବିଏଲ୍‌ ୭୫୪୪)ରେ ବସିବା ମାତ୍ରେ ୪ ଜଣ ଯୁବକ ବଳପୂର୍ବକ ଗାଡ଼ି ଭିତରକୁ ପଶି ଆସି ବନ୍ଧୁକ ମୁନରେ ଗାଡ଼ିକୁ ରିଂ ରୋଡ୍‌ ଆଡ଼କୁ ନେଇଯାଇଥିଲେ। ଏହା ପରେ ଉକ୍ତ ଯୁବକମାନେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ନିର୍ଦେଶକଙ୍କୁ ଲେଖାଯାଇଥିବା ଏକ ଦରଖାସ୍ତରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଏହାପରେ ଶ୍ରୀ ନାୟକଙ୍କୁ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାଡ଼ି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ ଓ ଗଲାବେଳକୁ ସନ୍ଧ୍ୟା ସୁଦ୍ଧା ସମ୍ବଲପୁର ଛାଡ଼ି ଯିବାକୁ ଧମକ ଦେଇଥିଲେ। ଏହାପରେ ସେ ଜିଲ୍ଲାପାଳ ଓ ସୂଚନା ଓ ଲୋକ ସମ୍ପର୍କ ନିର୍ଦେଶକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହା ପରେ ପୁଲିସ୍‌ ବିଭାଗର ଜଣେ ଏସ୍‌ଆଇ ତାଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ପଚାରିବୁଝିଥିଲେ। ଏହାର କିଛି ସମୟ ପରେ ଶ୍ରୀ ନାୟକଙ୍କ ଲ୍ୟାଣ୍ଡଲାଇନ୍‌ ନମ୍ବରକୁ ମଧ୍ୟ ୨ ଥର ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ଡ୍ରାଇଭର ଦେବାନନ୍ଦ ଓ ଷ୍ଟୋର୍‌ କିପର ଅଶ୍ବିନୀ ସହାୟତାରେ ସେ ଭୁବନେଶ୍ବରରେ ଯାଇ ପହଞ୍ଚିଥିଲେ। ସୂଚନା ପାଇ ଏସ୍‌ପି ସମ୍ବଲପୁରଙ୍କ ନିର୍ଦେଶରେ ସଦର ଏସ୍‌ଡିପିଓ ତପନ ମହାନ୍ତି ଓ ଟାଉନ୍‌ ଆଇଆଇସି ରମେଶ ଦୋରାଙ୍କ ନେତୃତ୍ବରେ ଟିମ୍‌ ଗଠନ ହୋଇ ସମ୍ବଲପୁର ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ତଦନ୍ତ ସମୟରେ ଡ୍ରାଇଭର ଦେବାନନ୍ଦଙ୍କ ସହ ଶ୍ରୀ ନାୟକଙ୍କର ଝଗଡ଼ା ହୋଇଥିବା ଓ ପ୍ରତିଶୋଧ ପରାୟଣ ହୋଇ ‌ସେ ଷ୍ଟୋର୍‌ କିପର ଅଶ୍ବିନୀ ସହ ମିଶି ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର