ବାମରା: ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ରେଳ ମଣ୍ଡଳର ବାମରା ଷ୍ଟେସନରେ କରୋନା ସମୟରେ ରହଣୀ ଉଚ୍ଛେଦ କରାଯାଇଥିବା ୫ଟି ଟ୍ରେନ୍ ଓ ଗଡ଼ପୋଷ ଷ୍ଟେସନରେ ୨ଟି ଟ୍ରେନର ପୁନଃ ରହଣୀ ପାଇଁ ରେଳ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ବାମରା ଷ୍ଟେସନରେ ଧନବାଦ ଆଲ୍ଲାପୂଜା ଏକ୍ସପ୍ରେସ, ଲୋକମାନ୍ୟ ତିଲକ ସାଲିମାର ଏକ୍ସପ୍ରେସ, ହାୱଡା-ଟିଟଲାଗଡ ଇସ୍ପାତ ଏକ୍ସପ୍ରେସ, ସମ୍ବଲପୁର-ଜମ୍ମୁ ତାୱି ଏକ୍ସପ୍ରେସ, ଟାଟାନଗର ଏର୍ଣ୍ଣାକୁଲମ ଏକ୍ସପ୍ରେସ ଏବଂ ଗରପୋଷ ଷ୍ଟେସନରେ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ, ହାୱଡା-କଣ୍ଟାବାଞ୍ଜି ଇସ୍ପାତ ଏକ୍ସପ୍ରେସ ରହଣୀ ପାଇଁ ରେଳ ବିଭାଗ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାକୁ ନେଇ ଅଞ୍ଚଳରେ ଖୁସିର ମାହୋଲ ଦେଖା ଯାଇଛି। ଏଥିପାଇଁ ବାମରା ବିଜେପି ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାମରା ଓ ଗଡ଼ପୋଷରେ ଉଚ୍ଛେଦ କରାଯାଇଥିବା ସମସ୍ତ ଟ୍ରେନର ରହଣି ପୁନଃ ଆରମ୍ଭ ପାଇଁ ଦାବି କରାଯାଇଥିଲା। ବାମରା ନାଗରିକ କମିଟି ଓ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଗତ ୨୮ ତାରିଖ ବାମରା ଟାଉନ୍‌କୁ ଏନଏସି ମାନ୍ୟତା ଦେବା, ତାଳଚେର ବିମଳାଗଡ଼ ରେଳପଥକୁ ବାମରା ଷ୍ଟେସନ ପର୍ଯ୍ୟନ୍ତ ସଂପ୍ରସାରଣ, ଟ୍ରେନ ରହଣୀ, ବାମରା ଷ୍ଟେସନର ଦୁଇ ପାର୍ଶ୍ଵରେ ଏଲ୍‌ସିଏଚ୍‌ ନିର୍ମାଣ ନେଇ ୧୨ ଘଣ୍ଟା ବନ୍ଦ ଡାକରା ଦିଆଯାଇଥିଲା। ଶନିବାର ଭାଜପାର ବରିଷ୍ଠ ନେତା ରବି ନାରାୟଣ ନାୟକ ଯୋଗଦେଇ ସମ୍ବଲପୁର- ଜମ୍ମୁ ତାୱି ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଦଳ ପକ୍ଷରୁ କୁହାଯାଇଛି।