ଜିଲ୍ଲାରେ ୫୫ ବ୍ଲାକ ସ୍ପଟ୍‌:ଗୋଡ଼ଭଗା ସବୁଠାରୁ ଅଧିିକ ବିପଦଜନକ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ୫୫ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାଜନିତ ତଥ୍ୟ ଏବଂ କ୍ଷେତ୍ର ପରିଦର୍ଶନ ପରେ ଦୁର୍ଘଟଣା ପ୍ରବଣ ଜାଗା ବଛାଯାଇଛି। ଗତ ୩ ବର୍ଷ ମଧ୍ୟରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥରେ ଗାଡ଼ଭଗାରେ ସର୍ବାଧିକ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଯନ୍ତ୍ରୀଙ୍କ ଦ୍ୱାରା ରାସ୍ତାର ତ୍ରୁଟିପୂର୍ଣ୍ଣ ଡିଜାଇନ(ଫଲ୍‌ଟି ରୋଡ୍‌ ଇଂଜିନିୟରିଂ) ପ୍ରସ୍ତୁତ ଯୋଗୁଁ ଏଭଳି ହୋଇଛି। ସେହିପରି ସମ୍ବଲପୁର-ଝାରସୁଗୁଡ଼ା ୧୦ ନମ୍ବର ରାଜ୍ୟ ରାଜପଥରେ ଥିବା ଶାସନ ବାଇପାସରେ ଗତ ୩ ବର୍ଷର ମଧ୍ୟରେ ସର୍ବାଧିକ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୩ଜଣ ଆହତ ହୋଇଛନ୍ତି। ସେହିପରି ସମ୍ବଲପୁର-କଟକ ରାସ୍ତାର ଯୁଯୁମୁରା ପାଖ ଅମଲିପାଣି ଛକରେ ଉକ୍ତ ଅବଧି ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ଓ ୧୩ ଜଣକ ଆହତ ହୋଇଛନ୍ତି। ଉଭୟ ସ୍ଥାନରେ ସତର୍କତା ସୂଚନାଫଳକ ଦିଆଯାଇ ନାହିଁ। ଅମଲପାଣି ଛକରେ ପୁଣି ଆଗକୁ ଦେଖାଯାଉନଥିବା ବିପଦଜନକ ବୁଲାଣି (ବ୍ଲାଇଣ୍ଡ କର୍ଭ ଟର୍ନିଂ) ଯୋଗୁଁ ଦୁର୍ଘଟଣା ଘଟୁଥିବା ସନ୍ଦେହ କରାଯାଉଛି ବୋଲି ଏସ୍‌ପି ସଂଜୀବ ଅରୋରା କହିଛନ୍ତି। ଏବେ ଦେଶରେ ରୋଗଠାରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଦୁର୍ଘଟଣାରେ ପରିବାରର ରୋଜଗାରକ୍ଷମ ବ୍ୟକ୍ତି ପ୍ରାଣ ହରାଇଲେ, ପୂରା ପରିବାରକୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ସଡ଼କ ଦୁର୍ଘଟଣାକୁ କଦାପି ବନ୍ଦ କରି ହେବ ନାହିଁ। ତେବେ ସଚେତନତା ଆଉ ସତର୍କତା ଜରିଆରେ ଏହାକୁ ରୋକାଯାଇପାରିବ। ୨୦୧୮ ମସିହାରେ ସମ୍ବଲପୁର ପୁଲିସ୍‌ ପୂର୍ବ ବର୍ଷ ତୁଳନାରେ ଦୁର୍ଘଟଣାଜନିତ ମୃତ୍ୟୁହାର ୨୫ ପ୍ରତିଶତ ହ୍ରାସ କରାଇବାକୁ ଲକ୍ଷ୍ୟ ରଖିଛି ବୋଲି ଏସ୍‌ପି ଶ୍ରୀ ଅରୋରା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ମସିହାରେ ସମ୍ବଲପୁର ପୁଲିସ୍‌ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ୪୩୨୪ ବ୍ୟକ୍ତିଙ୍କୁ ଧରିଛି। ସେମାନଙ୍କଠାରୁ ୭ ଲକ୍ଷ ୨୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ହେଲ୍‌ମେଟ୍‌ ନପିନ୍ଧି ଗାଡ଼ିଚଳାଉଥିବା ବ୍ୟକ୍ତିଙ୍କଠାରୁ ୨୦୧୫ରେ ୯୨୫ ଜଣଙ୍କଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା, ୨୦୧୬ରେ ୧୦୭୯ ଜଣଙ୍କଠାରୁ ୨ ଲକ୍ଷ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୨୦୧୫, ୨୦୧୬ ଓ ୨୦୧୭ରେ ତିନିଜଣିଆ ବାଇକ ଆରୋହୀଙ୍କଠାରୁ ଯଥାକ୍ରମେ ୨ ଲକ୍ଷ ୯୪ ହଜାର, ୪ ଲକ୍ଷ ୩୦ ହଜାର ଓ ୪ ଲକ୍ଷ ୨ହଜାର, ବିପଦପୂର୍ଣ୍ଣ ଜାଗାରେ ଗାଡ଼ି ପାର୍କିଂ/ଦ୍ରୁତ ଗାଡ଼ି ଚାଳନା/ ବିନା ପଂଜୀକରଣରେ ଗାଡ଼ି ଚାଳନାରେ ୫ ଲକ୍ଷ ୨୬ ହଜାର, ୭ ଲକ୍ଷ ୨୮ ହଜାର ୧୮ ଲକ୍ଷ ୭୪ ହଜା ଟଙ୍କା ଜରିମାନା ଆଦାୟ ହୋଇଛି। ନିଶା ଖାଇ ଗାଡ଼ି ଚଳାଉଥିବା ଲୋକଙ୍କଠାରୁ ୨୦୧୬ରେ ୩ ଲକ୍ଷ ୨୫ ହଜାର ଓ ୨୦୧୭ରେ ୧୪ ଲକ୍ଷ ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ପୁଲିସ୍‌ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର