୬୫ ହଜାର ଏକର ଜମିରେ ମରୁଡ଼ି ଆଶଙ୍କା:ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରାଓ

ଜଳସେଚନ ବିଭାଗର ଅପାରଗତା, କ୍ଷତିରେ ଚାଷୀ

ସମ୍ବଲପୁର: ୧୦ ଦିନ ହେଲା ଶୁଖିଲା ପଡ଼ିଛି ଜମି। ଦଳ ସଫା ପରେ ମଧ୍ୟ ଚାଷ ଜମିକୁ ପହଞ୍ଚିନି ଶାସନ କେନାଲ ପାଣି। ସ୍ଥିତି ଏଭଳି ହୋଇଛି ଯେ ଶାସନ କେନାଲ ନିର୍ଭରଶୀଳ ଜମିରେ ମରୁଡ଼ିର ଆଶଙ୍କା ସୃଷ୍ଟି ହୋଇଛି। ଏଥିଯୋଗୁଁ ଉତ୍ୟକ୍ତ ପରମାଣପୁର ଏବଂ ହୁମା ଚାଷୀ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଓ କରିଥିଲେ। ୨ଦିନ ମଧ୍ୟରେ ଚାଷ ଜମିରେ ପାଣି ନପହଞ୍ଚିଲେ ଭୟାବହ ପରିସ୍ଥିତି ସୃଷ୍ଟିର ଆଶଙ୍କା ସୃଷ୍ଟି ହୋଇଛି। ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ଶାସନ କେନାଲ ପାଣି ନିଷ୍କାସନ ନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଧ୍ୟାନ ଦିଆଯାଇ ନାହିଁ। ଏ ନେଇ ଜଳସେଚନ ବିଭାଗ ଯନ୍ତ୍ରୀ କୌଣସି ମତ ଦେଇ ନାହାନ୍ତି।
ଜଳସେଚନ ବିଭାଗର ଅପାରଗତା, କ୍ଷତିସହୁଛି ଚାଷୀ। ସ୍ଥିତି ଏଭଳି ହୋଇଛି ଯେ ୬୫ ହଜାର ଏକର ଜମିରେ ମରୁଡ଼ିର ଆଶଙ୍କା ସୃଷ୍ଟି ହୋଇଛି। ଫେବ୍ରୁଆରି ୧୧ ତାରିଖ ଶାସନ କେନାଲ ଘାଇ ସୃଷ୍ଟିର ଏକ ମାସ ପରେ ମଧ୍ୟ ଚାଷ ଜମିକୁ ପାଣି ସମସ୍ୟାର ସମାଧାନ ହୋଇ ପାରି ନାହିଁ। ଘାଇ ଯୋଗୁଁ ତଳମୁଣ୍ଡ ପର୍ଯ୍ୟନ୍ତ ଭଲ ଭାବରେ ପାଣି ପହଞ୍ଚି ପାରୁନଥିଲା। ଏହାପରେ ଦଳ ସଫା ପାଇଁ ଜଳସେଚନ ବିଭାଗ ଏବଂ ପାଣି ପଞ୍ଚାୟତ ପକ୍ଷରୁ ମିଳିତ ନିଷ୍ପତ୍ତି ନିଆଯାଇ ଥିଲା। ୧୯ ତାରିଖ ଶାସନ କେନାଲ ଦଳ ସଫା କରାଯାଇ ଥିଲା। ଏଥିଯୋଗୁଁ ୨୪ ତାରିଖ ପର୍ଯ୍ୟନ୍ତ ପାଣି ନିଷ୍କାସନ ବନ୍ଦ ରହିଥିଲା। ୨୪ ତାରିଖ ଶାସନରୁ ପାଣି ଛଡ଼ାଯିବା ପରେ ଆଶା ରହିଥିଲା, ଜଳସେଚନ ସମସ୍ୟାର ସମାଧାନ ହେବ। ମାତ୍ର ୫ ଦିନ ପରେ ମଧ୍ୟ ଉପରମୁଣ୍ଡରେ ଭଲ ଭାବରେ ପାଣି ଆସିନଥିବାବେଳେ ତଳମୁଣ୍ଡରେ ପାଣି ପହଞ୍ଚିପାରି ନାହିଁ। ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଅଧିକ୍ଷଣ ଯନ୍ତ୍ରୀ ପରମାଣପୁର ସେକ୍ସନ ଅଫିସକୁ ଆସିଥିବାବେଳେ ପରମାଣପୁର ଟେଲ ଡିଷ୍ଟ୍ରିବ୍ୟୁଟାରିର ଚନ୍ଦ୍ର ପଣ୍ଡା ଏବଂ ଦୋଳଗୋବିନ୍ଦ ନାୟକ, ହୁମା ଟେଲ ଡିଷ୍ଟ୍ରିବ୍ୟୁଟାରି ଅମରେଶ ପୁରୋହିତଙ୍କ ନେତୃତ୍ୱରେ ଉଭୟ ଅଧିକାରୀଙ୍କୁ ଘେରାଓ କରାଯାଇ ଥିଲା। ଏହି ଅବସରରେ ଚାଷୀଙ୍କ ପକ୍ଷରୁ ବୁର୍ଲା ଉପର ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇ ଥିଲା।

ସମ୍ବନ୍ଧିତ ଖବର