କୁଚିଣ୍ଡା: ଗତକାଲି ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଳୀପୂଜାକୁ ଆଉ ମାତ୍ର କେଇଘଣ୍ଟା ବାକି ଥିବା ବେଳେ ଶନିବାର କୁଚିଣ୍ଡା ସହର ସର୍ଗିଡ଼ିହି ବଜାର ପଡ଼ାରେ ଥିବା ଶହେ ବର୍ଷ ପୁରୁଣା ମା’ କାଳୀଙ୍କ ମନ୍ଦିରରେ ବିଗ୍ରହ ଭଂଗାରୁଜା କରିଛି। ପୁଲିସ ଅଭିଯୁକ୍ତ ଅମିତ ଭୋଇ(୩୯)କୁ କାବୁ କରିଥିବା ବେଳେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ସର୍ଗିଡ଼ିହି ବଜାରପଡ଼ାର ଉପରକଟା ହିଡ଼ ଉପରେ କାଳୀ ମନ୍ଦିର ରହିଛି। ଉପରକଟା ଜଳାଶୟ ଠାରୁ ଶହେ ମିଟରରୁ ଅଧିକ ଦୂରରେ ଜନବସତି ରହିଛି। ମନ୍ଦିର ପୂଜକ ସନ୍ଧ୍ୟା ୬ଟାରେ ପୂଜାର୍ଚ୍ଚନା ତାଲା ପକାଇ ଘରକୁ ‌ଆସିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅମିତ ଭୋଇ ନାମକ ଜଣେ ଯୁବକ ମନ୍ଦିରର ତାଲା ଭାଂଗି ଭିତରେ ପଶିଥିଲା। ମା’ କାଳୀଙ୍କ ଶହେ ବର୍ଷ ପୁରୁଣା ବିଗ୍ରହ ସମେତ ଅନ୍ୟ ବିଗ୍ରହଗୁଡ଼ିକୁ ମଧ୍ୟ ଭାଙ୍ଗିରୁଜି ଚୁର୍‌ମାର କରି ପକାଇଥିଲା। ଏହା ପରେ ସମସ୍ତ ପୂଜା ସାମଗ୍ରୀକୁ ଏକ କପଡ଼ାରେ ବାନ୍ଧି ପଳାଇ ଯିବାକୁ ବାହାରିଥିଲା। ଅମିତ ଭଂଗାରୁଜା କରୁଥିବା ଦେଖି ଶୌଚ ପାଇଁ ଯାଇଥିବା କେହି ଜଣେ ବ୍ୟକ୍ତି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ଏହି ସମୟରେ କୁଚିଣ୍ଡା ଥାନା ପୁଲିସର ପିସିଆର୍ ଭ୍ୟାନ୍‌ ତୁରନ୍ତ ସେଠାରେ ପହଂଚି ଥିଲା। ଅମିତ ପଳାଇ ଯିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ କର୍ମଚାରୀମାନେ ତାକୁ କାବୁ କରିଥିଲେ। ମନ୍ଦିର କମିଟି ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ କୁଚିଣ୍ଡା ପୁଲିସ ଥାନାରେ ନଂ. ୨୫୪/୨୩ରେ ଏକ ମାମଲା ରୁଜୁ କରିଛି। ଘଟଣାକୁ ନେଇ ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ମିଳିବା ମାତ୍ରେ ସ୍ଥାନୀୟ ଏବଂ ଅନ୍ୟ ଅଞ୍ଚଳରୁ ଶତାଧିକ ବ୍ୟକ୍ତି ଥାନାରେ ପହଞ୍ଚିଛନ୍ତି। ଅଭିଯୁକ୍ତ ଅମିତ ଭୋଇ ସହରର ୪ ନମ୍ବର ଵାର୍ଡରେ ରହୁଥିବା ବେଳେ ତା’ର ବାପା ଝାରସୁଗୁଡ଼ାରେ ରହୁଥିବା ପ୍ରକାଶ କରିଛି। ତେବେ ସେ ସୁସ୍ଥ ମସ୍ତିଷ୍କରେ ଏହି କାମ କରିଛି ନା ତା’ର ମାନସିକ ବିକୃତି ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ଖବର ଲେଖାଯିବା ବେଳକୁ (ରାତି ୧୦ଟା) ଶହ ଶହ ଲୋକ ଥାନା ସମ୍ମୁଖରେ ରହିଛନ୍ତି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।