ବର୍ଷେ ପରେ ସ୍ୱାମୀଙ୍କ ପାଖକୁ ଫେରିଲେ ଗଜାଲା

ସମ୍ବଲପୁର: ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା  ଦେଉଥିବା ନେଇ ମହିଳା ଥାନାରେ ଏତଲା ଦେଇଥିବା ଗଜାଲା ପରଓି୍ଵନ ବର୍ଷେ ପରେ ନିଜ ବାପଘର ଛାଡ଼ି ପୁଣି ସ୍ୱାମୀ ଅତିଫ ଆଲମଙ୍କ ପାଖକୁ ଫେରି ଆସିବା ଘଟଣା ଚର୍ଚାର ବିଷୟ ହୋଇଛି। ସମ୍ବଲପୁର ରାଜାନଗର ନିବାସୀ ସ୍ୱେଚ୍ଛାସେବୀ ଅତିଫ ଆଲମ୍‌ ଗତ ୨୮ ମାର୍ଚ ୨୦୧୬ରେ ପେନ୍‌ସନପଡ଼ାର ଗଜାଲା ପରଓ୍ଵିନଙ୍କୁ ବିବାହ କରିଥିଲେ। ବିବାହ ଭୋଜି ସ୍ଥଳରେ ରକ୍ତଦାନ ଶିବିର ଆୟୋଜନ କରି ନିଜେ ମଧ୍ୟ ରକ୍ତ ଦେଇଥିଲେ। ହେଲେ ଗତ ୨୩ ଫେବ୍ରୁଆରି ୨୦୧୭ରେ ଗଜାଲା ପରଓ୍ଵିନ ବାପଘରକୁ ଚାଲି ଯାଇ ଅତିଫଙ୍କ ବିରୋଧରେ ମହିଳା ଥାନାରେ ଏତଲା ଦେଇଥିଲେ। ଥାନାରେ ମାମଲାର ଆପୋଷ ସାମାଧାନ ପାଇଁ ସେତେବେଳେ ଚେଷ୍ଟା ହୋଇଥିଲା। ମାତ୍ର ଅଭିଯୋଗକାରଣୀ ଓ ତାଙ୍କ ସଂପର୍କୀୟମାନେ ମାମଲା ରୁଜୁ କରିବା ଜିିଦ୍‌ରେ ଅଟଳ ରହିବାରୁ ପୁଲିସ ଅତିଫଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେତେବେଳେ ଏହି ଘଟଣା ସହରରେ ଚର୍ଚାର ବିଷୟ ହୋଇଥିଲା।

ହେଲେ ଗାଜାଲା ପରିଓ୍ଵିନ ସମ୍ଭବତଃ ନିଜ ଭୁଲ ପାଇଁ ଅନୁତାପ କରିଥିଲେ। ବୁଧବାର ଅପରାହଣ ୩ଟାରେ ନିଜ ବାପଘର ଛାଡ଼ି ଅତିଫଙ୍କ ଘରକୁ ଚାଲି ଆସିଥିଲେ। ଏହା ପରେ ସେ ଅତିଫଙ୍କ ପରିବାର ଲୋକ ଓ ଆଇନଜୀବୀଙ୍କ ସହିତ ସଂଗେସଂଗେ କୋର୍ଟରେ ପହଂଚିଥିଲେ। ମାମଲା ପ୍ରତ୍ୟାହାର ପାଇଁ କୋର୍ଟରେ ବୟାନ ଦେଇଥିଲେ। ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ସେତେବେଳେ ଅଭିଯୋଗ ଆଣିଥିଲେ ବୋଲି କୁଆଡ଼େ କହିଥିଲେ। କୋର୍ଟରୁ ଫେରିବା ପରେ ଅତିଫ ରାଜାନଗର ବାସଭବନରେ ବାସଭବନରେ ମୌଲାନା ହବିବୁଲ୍ଲାଙ୍କ ଉପସ୍ଥିତିରେ ପୁଣି ଥରେ ସେମାନଙ୍କ ‘ନିକାହ’ ହୋଇଥିଲା। ତେବେ ସନ୍ଧ୍ୟାରେ ତାଙ୍କ ଶ୍ୱଶୁରଘର ଲୋକେ ଏବଂ ଜଣେ ବିଜେଡି ନେତା ଫୋନ୍‌ କରି ସେମାନଙ୍କୁ ଧମକ ଦେଉଥିବା ଅତିଫ ଅଭିଯୋଗ ଆଣିଛନ୍ତି। ଘଟଣା ସଂକ୍ରାନ୍ତରେ ସେମାନେ ଧନୁପାଲି ଥାନାରେ ଅଭିଯୋଗ କରିଥିବା ଅତିଫ୍‌ କହିଛନ୍ତି।

ସମ୍ବନ୍ଧିତ ଖବର