ସମ୍ବଲପୁର: ମହିଳା ସୁରକ୍ଷା ଏବଂ ସଶକ୍ତିକରଣର ବାର୍ତ୍ତା ଦେଇ ସମଗ୍ର ଭାରତ ଭ୍ରମଣରେ ବାହାରିଛନ୍ତି ଆଶା ମାଲଭିଆ। ମଧ୍ୟପ୍ରଦେଶ ରାଜଘର ଜିଲ୍ଲା ନାଟାରାମ ଗାଁର ଆଶା ସୋମବାର ସମ୍ବଲପୁର ପହଞ୍ଚିଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ସାକ୍ଷାତ କରି ମହିଳା ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ। ଏହ ଯାତ୍ରା ଅବସରରେ ସେ ସାଉଁଟିଥିବା ଅନୁଭୁତିକୁ ମଧ୍ୟ ଜଣାଇଥିଲେ। ଆଶାଙ୍କ ଏହି ନିଆରା ପ୍ରୟାସକୁ ଅନନ୍ୟା ଦାସ ପ୍ରଶଂସା କରିବା ସହ ଆଗାମୀ ଯାତ୍ରା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇ ଉତ୍ସାହିତ କରିଛନ୍ତି। ଆଶା ମାଲଭିଆ ଏପର୍ଯ୍ୟନ୍ତ ୧୧ଟି ରାଜ୍ୟ ଗସ୍ତ କରିଛନ୍ତି। ଆଶା ଜଣେ ଜାତୀୟସ୍ତରର ଖେଳାଳି ଏବଂ ପର୍ବତାରୋହଣରେ ସେ ରେକର୍ଡ ହାସଲ କରିଛନ୍ତି।
ଏହି ଅବସରରେ ଆଶା କହିଛନ୍ତି, ‘ବିଶ୍ବରେ ଏକ ଛବି ସୃଷ୍ଟି କରାଯାଇଛି କି ଭାରତରେ ମହିଳା ଅସୁରକ୍ଷିତ। କିନ୍ତୁ ଭାରତରେ ମହିଳାମାନେ ଅସୁରକ୍ଷିତ ନୁହେଁ, ଏଠାରେ ମହିଳାମାନଙ୍କ ସୁରକ୍ଷାର ସଠିକ୍‌ ଭାବେ ଧ୍ୟାନ ରଖାଯାଏ। ଏହି ବାର୍ତ୍ତା ଦେବା ପାଇଁ ମୁଁ ସାଇକେଲ୍‌ ଯାତ୍ରାରେ ବାହାରିଛି। ମହିଳାଙ୍କ ସୁରକ୍ଷା ତଥା ସଶକ୍ତୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଭଲ କାମ କରୁଛନ୍ତି। ଆଜିର ଅନେକ ଯୁବପିଢ଼ି ଛୋଟ ଛୋଟ ସମସ୍ୟାରେ ନିଷ୍ପତ୍ତି ନେଇଯାଉଛନ୍ତି କି ଆମ ଜୀବନରେ ସବୁ କିଛି ଶେଷ ହୋଇଗଲା। ବହୁତ ଯୁବପିଢ଼ି ଆତ୍ମହତ୍ୟା ମଧ୍ୟ କରି ଦେଉଛନ୍ତି। ଆମକୁ ସବୁ ସମସ୍ୟାକୁ ସାହସର ସହ ସାମ୍ନା କରିବାର ଅଛି। ସାହସର ସହ ସାମ୍ନା କଲେ ସବୁ ସମସ୍ୟାର ସମାଧାନ ହୋଇପାରିବ।’
ଗତ ନଭେମ୍ବର୧ ତାରିଖରୁ ସେ ଭୋପାଳରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଦେଶର ରାଜଧାନୀ ଦିଲ୍ଲୀରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ସମୟ ମଧ୍ୟରେ ସେ ଭାରତର ୨୮ଟି ରାଜ୍ୟରେ ପ୍ରାୟ ୨୫ ହଜାର କିଲୋମିଟର ଯାତ୍ରା କରିବେ ବୋଲି କହିଛନ୍ତି। ଏପର୍ଯ୍ୟନ୍ତ ସେ ୧୧ଟି ରାଜ୍ୟରେ ୯୯୨୦ କିଲୋମିଟର ଦୂରତା ଅତିକ୍ରମ କରିସାରିଛନ୍ତି। ମହିଳାମାନଙ୍କ ପାଇଁ କରାଯାଉଥିବା କାର୍ଯ୍ୟ ବିଷୟରେ ସେ ଏହି ଯାତ୍ରା ମାଧ୍ୟମରେ ଜାଣିବାର ସୁଯୋଗ ପାଇଥିବା କହିଛନ୍ତି।