ସମ୍ବଲପୁର : ୬ ଲକ୍ଷ ଟଙ୍କା ଠକେଇ ମାମଲାର ବିଚାର କରି ମାନ୍ୟବର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନସ କୁମାର ପଣ୍ଡା ଏଟି ଗ୍ରୁପ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ୫ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି। ପ୍ରଦୀପ ସେଠୀଙ୍କୁ ଧାରା ୪୨୦, ୧୨୦(ବି)ରେ ୫ ବର୍ଷ, ୪(ପିସିଏମସି)ରେ ୨ ବର୍ଷ ଏବଂ ୫(ପିସିଏମସି)ରେ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହିତ ଅଭିଯୋଗକାରୀ ରଘୁମଣି ଦାସଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ହୋଇଛି। ଏହି ଅର୍ଥ ଦିଆ ନ ଗଲେ ତାଙ୍କୁ ଅତିରିକ୍ତ ବର୍ଷେ ସଶ୍ରମ କାରାଦଣ୍ଡ ପାଇଁ ମାନ୍ୟବର ଅଦାଲତ ନିର୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଦୀପ ସେଠୀ ୨୦୧୩ରୁ ଗିରଫ ହୋଇ ଜେଲରେ ରହିଛନ୍ତି। ତେଣୁ ଏହି ମାମଲାରେ ତାଙ୍କୁ ବର୍ତ୍ତମାନ କେବଳ ଆଉ ଦେଢ ବର୍ଷ ଜେଲରେ ରହିବାକୁ ପଡ଼ିବ। ଅର୍ଥ ତତ୍ତ୍ୱ ଗ୍ରୁପ ଜରିଆରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାୟ ୫୦୦ କୋଟି ଟଙ୍କାର ଉର୍ଦ୍ଧ୍ୱ ଟଙ୍କାର ଠକେଇ ନେଇ ମାମଲା ଜାରି ରହିଛି। ସମ୍ବଲପୁର ପର୍ଯ୍ୟନ୍ତ ମଧ୍ୟ ଏହାର ଚେର ଲମ୍ବିଥିଲା। ବୁର୍ଲା ଆନନ୍ଦ ବିହାର ରଘୁମଣି ଦାସଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।
ଅର୍ଥତତ୍ତ୍ୱ ଗ୍ରୁପ ପକ୍ଷରୁ ତାଙ୍କ ଜମାର ୩ ପ୍ରତିଶତ ସୁଧ ସହିତ ମାସକୁ ୩୦ ହଜାର ଟଙ୍କା ପାଇଁ ପ୍ରତିଶ୍ରୁତି ଦିଆଯାଇ ଥିଲା। ଏଥିଯୋଗୁଁ ୨୦୧୨ ମସିହା ଏପ୍ରିଲ ୩ ତାରିଖରେ ଏହି ଅର୍ଥ ଲଗାଣକାରୀ ସଂସ୍ଥାରେ ୬ ଲକ୍ଷ ଟଙ୍କା ଜମା କରିଥିଲେ। ମାତ୍ର ପ୍ରତିଶ୍ରୁତି ଅନୁଯାୟୀ ତାଙ୍କୁ କୌଣସି ଅର୍ଥ ମିଳି ନ ଥିଲା। ଠକେଇର ଶିକାର ହେବା ନେଇ ୨୦୧୪ ମସିହାରେ ବୁର୍ଲା ଥାନାରେ ଏତଲା ଦେଇଥିଲେ। ପ୍ରଦୀପ ସେଠୀ ଏଟି ଠକେଇରେ ଗିରଫ ହେବା ପରେ ବିଭିନ୍ନ ସମୟରେ ସମ୍ବଲପୁର ପୁଲିସ ତାଙ୍କୁ ରିମାଣ୍ଡରେ ଆଣିଛିି। କିଛି ମାସ ହେଲା ତାଙ୍କୁ ସିଜେଏମଙ୍କ କୋର୍ଟରେ ହାଜର କରାଯାଉଥିଲା। ସରକାରଙ୍କ ପକ୍ଷରୁ ଜ୍ଞାନ ରଂଜନ ପଣ୍ଡା ମାମଲା ପରିଚାଳନା କରୁଥିଲେ।
କେଉଁଠିକୁ ଯିବେ ପ୍ରଦୀପ
ସମ୍ବଲପୁର ଅଦାଲତରେ ପ୍ରଦୀପ ସେଠୀଙ୍କ ମାମଲା ସମାପ୍ତ ହୋଇଛି। ଏହାପରେ ବର୍ତ୍ତମାନ ସେ କେଉଁଠିକୁ ଯିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କର ଏକା ସହିତ ଭୁବନେଶ୍ୱର, ନୟାଗଡ଼, ବାଲେଶ୍ୱର, ଖୋର୍ଦ୍ଧା, ଯାଜପୁର ଅଦାଲତରେ ମାମଲା ଚାଲୁଛି। ଯେଉଁ ଅଦାଲତରୁ ପ୍ରଥମେ ଚିଠି ଆସିବ ସେଠିକୁ ପଠାଯିବ ବୋଲି ଜେଲ ପକ୍ଷରୁ କୁହାଯାଇଛି। ବୁଧବାର ତାଙ୍କ ମାମଲାର ଦଣ୍ଡାଦେଶ ନେଇ ସମ୍ବଲପୁର ଜେଲ ପକ୍ଷରୁ ଏକ ସୂଚନା ଭୁବନେଶ୍ୱର ଜେଲ ଏବଂ ଜେଲ ଆଇଜିଙ୍କୁ ଦିଆଯିବ।