ସମ୍ବଲପୁର: ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ବାବୁସାନ ମହାନ୍ତି ଗତ ବର୍ଷ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ତାଙ୍କ ଘନିଷ୍ଠ ବନ୍ଧୁତାକୁ ନେଇ ବେଶ୍‌ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ପତ୍ନୀଙ୍କ ଦୃଢ଼ ପ୍ରତିବାଦ ସହିତ ଅନେକ କିଛି ଘଟଣା ଘଟିଯାଇଥିଲା। ଯାହା ସାରା ଓଡ଼ିଶାବାସୀଙ୍କୁ ଭଲ ଭାବେ ଜଣା। ତେବେ, ସମୟ ସହିତ ପରିସ୍ଥିତିରେ ବହୁତ ସୁଧାର ଆସିଛି। ଏବେ ସେ ନିଜ ପରିବାର ସହିତ ବେଶ୍ ଖୁସିରେ ଥିବା ଜଣାପଡ଼ୁଛି।

Advertisment

ଗତକାଲି ସମ୍ବଲପୁର ମନ୍ଦଳିଆ ପଡ଼ିଆରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଯୋଗଦେବା ଅବସରରେ ତାଙ୍କର ଏକ ଡାଇଲଗ୍ ବେଶ୍ ଚର୍ଚ୍ଚାର ଖୋରାକ ଯାଇଛି। ବାବୁସାନ ନିଜ ଅଭିନୀତ ଫିଲ୍ମର ଏକ ଚର୍ଚ୍ଚିତ ଡାଇଲଗ କରିବା ପରେ କହିଥିଲେ ‘ମୋ ବାପା ନାଁ ଉତ୍ତମ ମହାନ୍ତି, ସେ ଥିଲେ ଏକଦା ଦଣ୍ଡାବାଳୁଙ୍ଗା। ମୋ ନାଁ ବାବୁସାନ ମହାନ୍ତି... ହେଲେ ମୁଁ ସୁଧୁରିଯାଉଛି। କାହଁକିନା ଗାଡ଼ିରେ ମୋ ସ୍ତ୍ରୀ ବସିଛି। ’ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା। ସେ ‌ତାଙ୍କର ସମ୍ବଲପୁର ସହ ସଂପର୍କ ବିଷୟରେ ବି ପିଲାମାନଙ୍କୁ କହିଥିଲେ। ସମ୍ବଲପୁରରେ ତାଙ୍କ ମା’ଙ୍କ ଅଧ୍ୟୟନ, ତାଙ୍କ ଜନ୍ମ, ପିଲାଦିନେ ସେ ଅଜାଘରେ ଛୁଟି କଟାଇବାର ମଧୁର ସମୟ ଆଦି ଅନେକ ସ୍ମୃତି ମନେ ପକାଇ ଖୁସିବ୍ୟକ୍ତ କରିଥିଲେ। କେବଳ ସେତିକି ନୁହେଁ, ନିଜେ ଗାଇଥିବା ଅନେକ ଗୀତକୁ ଏଠାରେ ପରିବେଷଣ କରିଥିଲେ, ଯାହା ଛାତ୍ରଛାତ୍ରୀମାନଙ୍କୁ ଆମୋଦିତ କରିଥିଲା।

ମଞ୍ଚରୁ ବିଦାୟ ନେବା ପାଇଁ ଘୋଷଣା କରିବା ସମୟରେ କିନ୍ତୁ ସଂଗୀତପ୍ରେମୀ ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣଙ୍କ ପକ୍ଷରୁ ଆସିଥିଲା ଆଉ ଏକ ଗୀତ ‘ତୁମେ ଉଛୁଳା ନଦୀର ଜହ୍ନ..’ ପାଇଁ ଅନୁରୋଧ। ବାବୁସାନ ବି ହତାଶ କରିନଥିଲେ। ତ‌େବେ ତାଙ୍କର ଏହି ଗୀତ ଅନ୍ୟ ଗୀତ ଠାରୁ ବେଶ୍ ଭଲ ଲାଗିଥିଲା।