ଭିମ୍‍ସାର୍‍: ଅନଲାଇନ୍‍ ବାୟୋମେଟ୍ରିକ୍ସ୍‍ ପ୍ରହସନ : ନେଟଓ୍ଵାର୍କ ଆସୁନି, ଅଧିକାଂଶ ଖରାପ

ବୁର୍ଲା,: ମେଡିକାଲ କାଉନସିଲ ଅଫ ଇଣ୍ଡିଆ(ଏମ୍‍ସିଆଇ) ନୂଆ ଗାଇଡଲାଇନରେ ବାୟୋମେଟ୍ରିକ୍ସ୍‍ ଉପସ୍ଥିତିକୁ ବାଧ୍ୟତାମୂଳକ କରିଛି। ଏହା ଭାରତ ସରକାରଙ୍କ ଡିଜିଟାଲ ମିସନ୍‍ ମୋଡ ପ୍ରୋଜେକ୍ଟ(ଡିଏମ୍‍ଏମ୍‍ପି)ର ଅନ୍ତର୍ଭୁକ୍ତ। ଦେଶର ୪୩୯ଟି ସରକାରୀ ଓ ବେସରକାରୀ ମେଡିକାଲ୍‍ କଲେଜରେ ଫେକଲ୍‍ଟି ଉପସ୍ଥାନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏହାର ମୂଳ ଲକ୍ଷ୍ୟ। ଏହା ମେଡିକାଲ୍‍ କଲେଜଗୁଡିକର ଭୂତ ଫେକଲ୍‍ଟି ଓ ଡାକ୍ତରଙ୍କ ଉପସ୍ଥାନକୁ ଧରାପକାଇବ ବୋଲି ଆଶା କରାଯାଇଛି। ଆଗାମୀ ଦିନରେ ବାୟୋମେଟ୍ରିକ୍ସ୍‍ ସହ ଡାକ୍ତରମାନଙ୍କ ଆଧାର ମଧ୍ୟ ସଂଯୋଗ କରାଯିବା ଯୋଜନା ରହିଥିବା ଜଣାପଡିଛି। ତେବେ ଖୋଦ ଏମ୍‍ସିଆଇ ପକ୍ଷରୁ ସମସ୍ତ ମେଡିକାଲ୍‍ କଲେଜକୁ ଏହି ବାୟୋମେଟ୍ରିକ୍ସ୍‍ ମେସିନ୍‍ ଯୋଗାଇ ଦିଆଯାଇଛି। ଭିମ୍‍ସାର୍‍ରେ ୧୩ଟି ଓ କଲେଜରେ ୩ ମୋଟ ୧୬ଟି ସ୍ଥାନରେ ଏମ୍‍ସିଆଇର ବାୟାମେଟ୍ରିକ୍ସ୍‍ ସଂଯୋଗ କରାଯାଇଛି।

ଭିମ୍‍ସାର୍‍ ଆଶୁ ଚିକିତ୍ସା ବିଭାଗ (କାଜୁଆଲଟି), ଆଉଟଡୋର୍‍ ସମେତ ସର୍ଜରୀ, ମେଡିସିନ୍‍, ମାନସିକ ରୋଗ, ଯକ୍ଷ୍ମା ଓ ଛାତି ରୋଗ, ଅନ୍ୟାନ୍ୟ ବିଭାଗରେ ଉକ୍ତ ବାୟୋମେଟ୍ରିକ୍ସ୍‍ ମେସିନ୍‍ ସଂଯୋଗ କରାଯାଇଛି। ବାୟୋମେଟ୍ରିକ୍ସ୍‍ ମେସିନ୍‍ରେ ଭିମ୍‍ସାର୍‍ର କାର୍ଯ୍ୟରତ ଡାକ୍ତର ତଥା ଫେକଲଟି ନିଜର ଉପସ୍ଥାନ ଦେବେ। ଏହି ବାୟୋମେଟ୍ରିକ୍ସ୍‍ ମେସିନ୍‍ ଅନଲାଇନ୍‍ରେ କାର୍ଯ୍ୟ କରିବ। ଏଥିରେ ଘରୋଇ୍‍ କଂପାନିର ଏକ ସିମ୍‍ କାର୍ଡ ରହିଛି। ବାୟୋମେଟ୍ରିକ୍ସ୍‍ ଡାକ୍ତରଙ୍କ ଫିଙ୍ଗର ପ୍ରିଣ୍ଟ ଉପସ୍ଥାନକୁ ରିଡ୍‍ କରି ଷ୍ଟୋର୍‍ କରିବ ଏବଂ ତାହା ନେଟଓ୍ଵାର୍କ ଜରିଆରେ ଏମ୍‍ସିଆଇ ରିଟ୍ରାଇବ୍‍ କରିବ ବୋଲି କୁହାଯାଉଛି। ମାତ୍ର ପ୍ରାୟତଃ ମେସିନ୍‍ରେ ନେଟଓ୍ଵାର୍କ ରହୁନଥିବା ଦେଖାଯାଉଛି।

ମେସିନ୍‍ ଗୁଡିକ ପ୍ରକୃତରେ କାର୍ଯ୍ୟ କରୁଛି ନା ନାହିଁ ସେନେଇ ମଧ୍ୟ ସନ୍ଦେହ ରହୁଛି। ବାୟୋମେଟ୍ରିକ୍ସ୍‍ ମେସିନ୍‍ର ପରିଚାଳନା ଓ ରକ୍ଷଣାବେକ୍ଷଣ ଏମ୍‍ସିଆଇ କୌଣସି ଏକ ଘରୋଇ ସଂସ୍ଥା ଦ୍ଵାରା କରାଉଥିବା ବେଳେ ଅଚଳ ମେସିନ୍‍ର ମରାମତି ମଧ୍ୟ କରାଯାଉନାହିଁ। ଯେଉଁ ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା ତାହା ବର୍ତ୍ତମାନ ଏକପ୍ରକାର ପ୍ରହସନ ପାଲଟିଛି। ଏହି ପରିପ୍ରେକ୍ଷୀରେ ଏମ୍‍ସିଆଇର ଏହି ନୂଆ ଗାଇଡ୍‍ଲାଇନ୍‍ କେତେ ଦୂର ସଫଳ ହୋଇଛି ନା ନାହିଁ ତାହା ପରବର୍ତ୍ତୀ ସମୟ କହିବ। ତେବେ ମେସିନ୍‍ ଖରାପ ଥିବାରୁ ପ୍ରାୟତଃ ଡାକ୍ତର ମଧ୍ୟ ବାୟୋମେଟ୍ରେିକ୍ସ୍‍ରେ ନିଜ ଉପସ୍ଥାନ ଦେଉ ନଥିବା ଦେଖାଯାଉଛି। ଅପରପକ୍ଷେ ଏମ୍‍ସିଆଇ ଯୋଗାଇଥିବା ଆଧାରୁ ଅଧିକ ମେସିନ୍‍ ଖରାପ ଅଛି ତାହା ମୂଳରୁ ହିଁ କାର୍ଯ୍ୟ କରୁନଥିବା ଜଣାପଡିଛି। ଏ ସଂପର୍କରେ ବାୟୋମେଟ୍ରିକ୍ସ୍‍ ଦାୟିତ୍ଵରେ ଥିବା ଡାକ୍ତର ସୁଦର୍ଶନ ପୋଥାଲ କହିଛନ୍ତି ଯେ ଏମ୍‍ସିଆଇକୁ ଅବଗତ କରାଯାଇଛି। କିଛି ମେସିନ୍‍ ମଧ୍ୟ କାମ କରୁନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର