ସମ୍ବଲପୁର: ସୋମବାର ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଅବସରରେ ‘ସମ୍ବାଦ’ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ମୁଖ୍ୟ ଶୋଭାଯାତ୍ରା ବ୍ୟତୀତ ଆହୁରି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ବଡ଼ି ସକାଳୁ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରୁ ବୀରଜ୍ୟୋତି (ମଶାଲ) ଏକ ସୁସଜ୍ଜିତ ଗାଡ଼ିରେ ବାହାରି ସମ୍ବଲପୁର ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ପହଞ୍ଚିଥିଲା। ସେଠାରୁ ଏକ ମୋଟର୍ସାଇକଲ୍ ରାଳି ସହ ମଶାଲ ଶୋଭାଯାତ୍ରା କମିସନର୍ସ କଲୋନିସ୍ଥିତ ଗାନ୍ଧୀ ପାର୍କରେ ପହଞ୍ଚି ଥିଲା । ସେଠାରେ ସମବେତ ବିଦ୍ୟାଳୟ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଦେଶପ୍ରେମୀ ସଚେତନ ନାଗରିକ ତା’ର ସ୍ବାଗତ କରିଥିଲେ।
ଏହାପରେ ସମସ୍ତେ ସେଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଜେଲ୍ ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସେଠାରୁ ଭୁତାପଡ଼ା, ଜେଲ୍ ଛକ, ଭିଏସ୍ଏସ୍ ମାର୍ଗ, ଲକ୍ଷ୍ମୀଟକିଜ୍ ଛକ, ଗୋଲବଜାର, ମୁନ୍ସିପାଲ୍ଟି ଛକ, ନେଲ୍ସନମାଣ୍ଡେଲା ଛକ, ଜେଲ୍ ଛକ ଦେଇ ପୁଣି ଗାନ୍ଧୀ ପାର୍କକୁ ଫେରିଥିଲା । ଛାତ୍ରଛାତ୍ରୀମାନେ ଏହି ଶୋଭାଯାତ୍ରାରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଶୀର୍ଷକ ସ୍ଳୋଗାନ୍ ଲେଖାଥିବା ପ୍ଲାକାର୍ଡ ଧରି ସାମିଲ ହୋଇଥିଲେ। ଏହାସହ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବୀରବେଶରେ ସଜ୍ଜିତ ହୋଇ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ଶେଷରେ ଗାନ୍ଧୀ ପାର୍କରେ ଆୟୋଜିତ ସଭାରେ ଶ୍ରେଷ୍ଠ ପ୍ଲାକାର୍ଡ ଓ ଶ୍ରେଷ୍ଠ ବୀରବେଶଧାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାଛଡ଼ା ଏହି ପ୍ରତିଯୋଗିତା ପାଇଁ ‘ସମ୍ବାଦ’ ଖବରକାଗଜ ଜରିଆରେ କରା ଯାଇଥିବା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ କୁଇଜ୍ର ଭାଗ୍ୟଶାଳୀ ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଗୁରୁ ଅସୀମ ପ୍ରଧାନଙ୍କ ନୃତ୍ୟ ଦଳ ଓ ବିଭିନ୍ନ ସ୍କୁଲ୍ର ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।