ବଢ଼ିଲା ବିଜେଡି ବିବାଦ: ବିଧାୟିକାଙ୍କ ବିରୋଧରେ ଶୃଂଖଳା ଭଙ୍ଗ ଅଭିଯୋଗ ଆଣିଲେ ଜିଲ୍ଲା ସଭାପତି

ସମ୍ବଲପୁର: ବହୁ ଗୋଷ୍ଠୀରେ ବିଭକ୍ତ ସମ୍ବଲପୁର ଜିଲ୍ଲା ବିଜେଡିରେ ଅନ୍ତର୍ଦ୍ୱନ୍ଦ୍ୱ କୁହୁଳୁ ଥିବାବେଳେ ବୁଧବାର ତାହା ଫୁଟିକି ସାମ୍‌ନାକୁ ଆସିଛି। ମଙ୍ଗଳବାର ସମ୍ବଲପୁର ଜିଲ୍ଲା ବିଜେପି ସଂଖ୍ୟାଲଘୁ ସେଲ୍‌ରୁ ଇସ୍ତଫା ଦେଇଥିବା କିଛି କର୍ମକର୍ତ୍ତା ବୁଧବାର ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ। ସେମାନଙ୍କ ଯୋଗଦାନ ସଂପର୍କରେ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ପ୍ରତୀକାତ୍ମକ ଭାବେ କିଛି କର୍ମକର୍ତ୍ତା ଏଠାରେ ଯୋଗ ଦେଇଥିଲାବେଳେ ଆହୁରି ହଜାର ହଜାର ଯୁବକ ସମ୍ବଲପୁରରେ ଦଳରେ ଯୋଗ ଦେବେ।

ତେବେ ଏହାକୁ ସହଜରେ ଗ୍ରହଣ କରି ନାହାନ୍ତି ବିଜେଡି ଜିଲ୍ଲା ସଭାପତି ଡ. ପ୍ରମୋଦ ରଥ। ଦଳର ସଂଖ୍ୟାଲଘୁ ଶାଖାରେ ନୂଆ ସଦସ୍ୟଙ୍କ ଯୋଗଦାନ ସଂପର୍କରେ ବିଜେଡି ସଂଖ୍ୟାଲଘୁ ସେଲ୍‌ ରାଜ୍ୟ ସଭାପତିଙ୍କୁ ଜଣା ନାହିଁ କି ଜିଲ୍ଲା ସଭାପତିଙ୍କୁ ବି ସୂଚନା ନାହିଁ। ରାଜ୍ୟ ସଂଖ୍ୟାଲଘୁ ସେଲ ଉପସଭାପତି ଥିବା ଅବଦୁଲ ସୟଦ ସିରାଜଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଯାଇନାହିଁ। ଦଳରେ ଯେକେହି ଯୋଗଦାନ କଲେ ତାହା ଜିଲ୍ଲା ସଭାପତିଙ୍କ ଜରିଆରେ ହେବା କଥା। ହେଲେ ଜିଲ୍ଲା ବିଜେଡି ସଭାପତିଙ୍କୁ ଏ ସଂପର୍କରେ ସାମାନ୍ୟ ସୂଚନା ବି ଦିଆଯାଇ ନାହିଁ। ତେଣୁ ଦଳୀୟ ଶୃଂଖଳା କିଏ ଭାଙ୍ଗୁଛି ବୋଲି ଜିଲ୍ଲା ସଭାପତି ଶ୍ରୀ ରଥ ବିଧାୟିକା ଡା. ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି। ୨ ଦିନ ପୂର୍ବରୁ ବିଧାୟିକାଙ୍କ ସହ ଅନ୍ୟ ପ୍ରସଂଗରେ ବୈଠକ କରିଥିଲେ ବି ତାଙ୍କୁ ଏ ସଂପର୍କରେ କୁହାଗଲା ନାହିଁ, ଅଥଚ ଆଜି ନୂଆ ସଦସ୍ୟଙ୍କୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହାଜର କରାଯାଇ ଦଳରେ ସାମିଲ କରାଗଲା। ଏହା ଦ୍ୱାରା ଜିଲ୍ଲାରେ ଦଳୀୟ ବିଶୃଂଖଳା ବୃଦ୍ଧି ପାଇବ ବୋଲି ଡ. ରଥ ଅଭିଯୋଗ କରିଛନ୍ତି।
ତେବେ ବିଧାୟିକା ଡା. ପାଣିଗ୍ରାହୀ କହିଛନ୍ତି ଯେ ଛୋଟ କଥାକୁ ବଡ଼ କରାଯାଉଛି। ମୁଁ ଭୁବନେଶ୍ୱରରେ ଥିଲି। ବିଜେପିର କିଛି ଲୋକ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦଳରେ ମିଶିବାକୁ ଚାହିଁଲେ। ଏଥିରେ ସମସ୍ୟା କଣ? ସମସ୍ତଙ୍କୁ ସୂଚନା ଦେଲେ ଯାଇ ଜଣକୁ ଦଳରେ ସାମିଲ କରାଯାଇ ପାରିବ ବୋଲି କିଛି ନିୟମ ନାହିଁ ବୋଲି ସେ ମତ ଦେଇଥିଲେ। ତେବେ ନିର୍ବାଚନ ବର୍ଷରେ ବିଜେଡିର ଏହି ଅନ୍ତର୍ଦ୍ୱନ୍ଦ୍ୱ ଆଗକୁ କି ରୂପ ନେଉଛି ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର