ବିଜେପିର ବିଶାଳ ଯୁବ ସମାବେଶ:‘ଶିଳ୍ପରେ ସ୍ଥାନୀୟ ନିଯୁକ୍ତି ବାଧ୍ୟତାମୂଳକ ହେଉ’

ସୁରେଶଙ୍କ ସମେତ ଶତାଧିକ ଗିରଫ

ସମ୍ବଲପୁର: ମହାବୀର ହନୁମାନ ଯେମିତି ନିଜ ଶକ୍ତି ସଂପର୍କରେ ଅଜ୍ଞ ଥିଲେ, ଆଜିକାର ଯୁବଗୋଷ୍ଠୀ ମଧ୍ୟ ସେମିତି ନିଜ ସାମର୍ଥ୍ୟ ସଂପର୍କରେ ସଚେତନ ନୁହନ୍ତି। ସେମାନେ ଉଦ୍ୟମ କଲେ କୌଣସି ଶକ୍ତି ତାଙ୍କୁ ରୋକି ପାରିବ ନାହିଁ ବୋଲି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି। ସମ୍ବଲପୁର ବିଜେପି ଜନମୋର୍ଚ୍ଚାର ଆହ୍ଵାନରେ ଶୁକ୍ରବାର ଆୟୋଜିତ ଯୁବ ସମାବେଶକୁ ଉଦ୍‌ବୋଧନ ଦେଇ ବିଜେପିର ରାଷ୍ଟ୍ରୀୟ ସଂପାଦକ ଶ୍ରୀ ପୂଜାରୀ କହିଲେ ଆମ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ବ୍ୟବସ୍ଥା କରୁଛନ୍ତି, ହେଲେ ସେମାନଙ୍କ ପୁଅ ନାତି ବେକାର ବୁଲୁଛନ୍ତି। ମୁଖ୍ୟମନ୍ତ୍ରୀ କାହିଁକି ସେହି ପିଲାମାନଙ୍କୁ ନିଯୁକ୍ତି ଯୋଗାଇ ଦେଉ ନାହାନ୍ତି ଯେମିତି ସେମାନେ ନିଜେ ନିଜ ରୋଜଗାରରେ ପିତାମାତା, ଅଜାଆଈଙ୍କୁ ତୀର୍ଥଯାତ୍ରାରେ ପଠାଇ ପାରିବେ। ବର୍ତମାନ ଆମର ସ୍ୱାସ୍ଥ୍ୟ, ଶିକ୍ଷା ସମେତ ସବୁ ପ୍ରାଥମିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ତେଣୁ ଆଜିଠୁ ଏସବୁ ବିରୋଧରେ ଯୁବଗୋଷ୍ଠୀର ଲଢ଼େଇ ଆରମ୍ଭ ହେଲା ବୋଲି ଶ୍ରୀ ପୂଜାରୀ କହିଥିଲେ।
ବିଜେପି ଯୁବମୋର୍ଚ୍ଚାର ଆହ୍ଵାନରେ ଶନିବାର ସମ୍ବଲପୁର ମହାନଗର ଓ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ବାଇକ୍‌ ଯୋଗେ ଆସି ଜେଲ ଛକରେ ଏକତ୍ରିତ ହୋଇଥିଲେ। ସେଠାରୁ ପଦଯାତ୍ରାରେ ବାହାରି ନେଲ୍‌ସନ୍‌ ମଣ୍ଡେଲା ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ସଭା ସ୍ଥଳରେ ପହଞ୍ଚିଥିଲେ। ସଭାରେ ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପ ସଂସ୍ଥା ଗୁଡ଼ିକରେ ସ୍ଥାନୀୟ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦିଆ ନଯିବା ନେଇ ପ୍ରତିବାଦ କରା ଯାଇଥିଲା। ବର୍ତମାନର ରାଜ୍ୟ ସରକାରଙ୍କ ଉଦାସୀନତା ଓ କମ୍ପାନି ପ୍ରୀତି ଯୋଗୁଁ ଜିଲ୍ଲାରେ ବେକାରି ସମସ୍ୟା ଉତ୍କଟ ହୋଇଥିବା ବକ୍ତାମାନେ ମତ ଦେଇଥିଲେ। ତେଣୁ ଶିଳ୍ପ ସଂସ୍ଥା ଗୁଡ଼ିକରେ ସେହି ଜିଲ୍ଲାର ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ଆଇନ୍‌ କରିବାକୁ ସେମାନେ ଦାବି କରିଥିଲେ। ସଭା ଶେଷରେ ଶ୍ରୀ ପୂଜାରୀଙ୍କ ନେତୃତ୍ୱରେ ଯୁବକମାନେ ନିଜ ସହ ଆଣିଥିବା ଶହଶହ ବାୟୋଡାଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ମାଡ଼ି ଯାଇଥିଲେ। ପୁଲିସ୍‌ ସେମାନଙ୍କୁ ଅଧା ବାଟରୁ ରୋକି ଗିରଫ କରିଥିଲା।
ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରିକନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରୀ ପୂଜାରୀଙ୍କ ସମେତ ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର, ବରିଷ୍ଠ ନେତା ଗୋବିନ୍ଦ ଅଗ୍ରଓ୍ଵାଲ, ସୀମାଞ୍ଚଳ ଖଟେଇ, ଦେବେନ୍ଦ୍ର ମହାପାତ୍ର, ସବିତା ନନ୍ଦ, ଶ୍ରୀକାନ୍ତ ପାଣିଗ୍ରାହୀ, ମାନସ ବକ୍ସି, ମୁକେଶ ଜରିଓ୍ଵାଲ, ସରୋଜ ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ହରିହର ମହାନନ୍ଦ, ଜୟନ୍ତ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଯୁବମୋର୍ଚ୍ଚା ସଦସ୍ୟ ଜୟନ୍ତ ସାହୁ, ଉତ୍ତମ ବିଶ୍ୱାଳ, ବିଜୟ ଅଗ୍ରଓ୍ଵାଲ, ସତୀଶ ଦୋରା, ରାହୁଲ ମୋଦକ, ବିକାଶ ଭୋଇ, ବିକାଶ ବେହେରା, ସୌରଭ ଦାନୀ, ସୁରେନ୍ଦ୍ର ପ୍ରଧାନ, ରିକି ବେହେରା, ବିଶ୍ୱଜିତ ବାଗ, ପ୍ରଭାସ ପୃଷେଟ୍‌, ସଂଜୟ ପାତ୍ର, ଜିତେନ୍ଦ୍ର ପଟ୍ଟନାୟକ, ମନରଂଜନ ଥାପା, କଂଚନ ଲୁହା, ରାଜ ଘୋଷ, ଅଜିତ ମହାପାତ୍ର, ଭାରତ ସାହୁ, ତ୍ରିଲୋଚନ ଗୌଡ଼, ପ୍ରଭୁଦତ୍ତ ପଣ୍ଡା, ଶେଖର ଅଗ୍ରଓ୍ଵାଲ, ଚନ୍ଦନ ସାହାଣୀ, ଚିନ୍ମୟ ସାହୁ, ଅନିଲ ପୃଷ୍ଟି, ଧ୍ରୁବ ବେହେରା, ସଂଜୀବ ମିଶ୍ର ପ୍ରମୁଖ ସମାବେଶର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର