ସମ୍ବଲପୁର : ଶବ ଶବ ବୋଲି ହାଉଳି, ଶେଷରେ ମିଳିଲା ନଡ଼ିଆ । ଏଭଳି ଏକ ଦୃଶ୍ୟ ଗୁରୁବାର ସମ୍ବଲପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଦିନ ପ୍ରାୟ ୧୨ଟା ସମୟରେ କ୍ଷେତରାଜପୁର ଥାନା ରାଜଘାଟ ନିକଟସ୍ଥ ମହାନଦୀ କୂଳରେ ଏକ ବସ୍ତାଭିତରେ ଜଣେ ମହିଳାଙ୍କ ଗଳିତ ଶବ ଭାସୁଥିବା ନେଇ ଖବର ପ୍ରସାରିତ ହୋଇଥିଲା ।
ଉକ୍ତ ସମୟରେ ନଦୀକୁ ଗାଧୋଇବାକୁ ଯାଇଥିବା ମହିଳାମାନେ ଦୁର୍ଗନ୍ଧ ହେଉଥିବା ବସ୍ତାକୁ ଦୂରକୁ ଦେଖିବା ପରେ ସେମାନଙ୍କ ମନରେ ସନ୍ଦେହଜାତ ହୋଇଥିଲା। ସେପଟେ, ନାଲି ରଙ୍ଗ ଦେଖି କେହି ମହିଳାଙ୍କୁ ହତ୍ୟା କରି ବସ୍ତା ଭିତରେ ଫିଙ୍ଗି ଦେଇଥିବା ମଧ୍ୟ ଆଶଙ୍କା କରିବା ପରେ ଲୋକଙ୍କୁ ଜଣାଇଥିଲେ। ସୂଚନା ପାଇ ପୁଲିସ୍, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଅଧଘଣ୍ଟା କାଳ ମହାନଦୀର ଉକ୍ତ ପଚା ଦଳ ଭିତରେ ଖୋଜାଖୋଜି କରିବା ପରେ ପୁଲିସ୍କୁ ଉକ୍ତ ବସ୍ତା ମିଳିଥିଲା। ତାକୁ କୂଳକୁ ନେଇ ଖୋଲିବା ପରେ ସେଥିରୁ ୯ଟି ନଡ଼ିଆ, କିଛି ପଚିଯାଇଥିବା ଛଡ଼ା ଫୁଲ ଓ ସିନ୍ଦୁର ପୁଡ଼ିଆ ମିଳିଥିଲା। ନଡ଼ିଆଗୁଡ଼ିକ ଉପରେ କାଦୁଅ ଲାଗି ଯାଇଥିବାରୁ ତାହା ମଣିଷ ମୁଣ୍ଡର ଭ୍ରମ ସୃଷ୍ଟି କରୁଥିଲା। ଶେଷରେ ପୁଲିସ୍ ନିରାଶ ହୋଇ ଘଟଣାସ୍ଥଳରୁ ଫେରିଥିଲା ।