ସମ୍ବଲପୁର: ବୁର୍ଲା ଓଭର ବ୍ରିଜ ନିକଟରେ ବୁଲବୁଲ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ବୁର୍ଲାକୁ ପ୍ରବେଶ କରୁଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବସଟିକୁ ଧକ୍କା ଦେଇଥିଲା। ଫଳରେ ବସଟି ଓଲଟି ପଡିଥିଲା। ବସରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଆହତ ହୋଇଥିବାବେଳେ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଗୁରୁତର ଆହତ ହୋଇଥିବା ଜଣାପଡିଛି।

Advertisment

publive-image

ଘଟଣାସ୍ଥଳରେ ବୁର୍ଲା ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡ଼ିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଡ୍ରାଇଭର ଏବଂ କଣ୍ଡକ୍ଟରକୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରି ଛାଡିଦିଆଯାଇଛି ।

ମିଳିଥିବା ସୂଚନା ମୁତାବକ ଏହି ବସରେ କୋରାପୁଟ ମେଡ଼ିକାଲ୍ କଲେଜର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ବୁର୍ଲା ମେଡ଼ିକାଲ କଲେଜକୁ ଆସୁଥିଲେ | ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ବସଟି ବୁର୍ଲାକୁ ପ୍ରବେଶ କରୁଥିଲା । ନଚେତ ବସଟି ସମ୍ବଲପୁର ଯିବାର ଥିଲା | କୋରାପୁଟର ଜୟପୁରରୁ ସମ୍ବଲପୁର ଯାଉଥିବା ବୁଲବୁଲ ବସ(ଓଡି ୦୩ ଏଫ ୮୬୫୫)କୁ କୋଲକାତାରୁ ରାଞ୍ଚି ଯାଉଥିବା ଟ୍ରକ(ଡବ୍ଲ୍ୟୁବି ୩୩ ସି ୨୨୨୭) ପଛପଟୁ ଧକ୍କା ଦେଇଥିଲା | ଏଥିରେ ବସ ଡ୍ରାଇଭର ରାଜେଶ ରେଡ୍ଡୀ ଓ କଣ୍ଡକ୍ଟର ଗଣେଶ ରଥ ଗୁରୁତର ଆହତ ହୋଇଛନ୍ତି | ଏହି ଘଟଣାଟି ଆଜି ଭୋର ସମୟ ପ୍ରାୟ ୫:୩୦ ମିନିଟରେ ଘଟିଥିବା ସୂଚନା ମିଳିଛି।