ସମ୍ବଲପୁର: ସମ୍ବଲପୁର ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ (ସିଡିଭିଓ)ଙ୍କ ଅଫିସ୍ରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି। ଅଡିଟ୍ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି। ଅଧିକାରୀ, କର୍ମଚାରୀଙ୍କୁ ଦିଆଯାଇଥିବା ଅଗ୍ରୀମ ଅର୍ଥର ହିସାବ ମିଳୁନାହିଁ। ସେହିପରି ଅଗ୍ରୀମ ଅର୍ଥ ନେଇଥିବା କର୍ମଚାରୀମାନେ ବିଲ୍ ଦେବା ପରେ ବି ଆଡ୍ଜଷ୍ଟ କରାଯାଇ ନାହିଁ। ଫଳରେ ସଂପୃକ୍ତ କର୍ମଚାରୀଙ୍କ ନାଁରେ ଲକ୍ଷାଧିକ ଅର୍ଥ ଗଡ଼ୁଛି। ଏହି କାରଣରୁ ସଂପୃକ୍ତ କର୍ମଚାରୀମାନେ ଅବସର ନେବା ପରେ ବି ପେନ୍ସନ୍ ହୋଇପାରୁ ନାହିଁ।
ସିଡିଭିଓଙ୍କ ଅଫିସ୍ରେ ହୋଇଥିବା ଆର୍ଥିକ ଅନିୟମିତତା ପ୍ରଧାନ ମହାଲେଖାକାର ୨୦୧୭ ମାର୍ଚ୍ଚରେ ଦେଇଥିବା ଅଡିଟ୍ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି। ଅଧିକାରୀ, କର୍ମଚାରୀଙ୍କୁ ଦିଆଯାଇଥିବା ଅର୍ଥର ରେଜିଷ୍ଟର ଠିକ୍ରେ ପରିଚାଳନା ହୋଇନଥିବାରୁ ସଠିକ୍ ଭାବେ ଜଣାପଡ଼ୁ ନାହିଁ। କେସ୍ବୁକ୍ରେ ୩୨ ଲକ୍ଷ ୮୮ ହଜାର ୯୭୫ ଟଙ୍କା ଅଗ୍ରୀମ ଦିଆଯାଇଥିବା ଉଲ୍ଲେଖ କରାଯାଇଥିଲେ ହେଁ ତାହା ଆଡ୍ଭାନ୍ସ ରେଜିଷ୍ଟର ସହ ମେଳ ଖାଉ ନାହିଁ ବୋଲି ଏହି ରିପୋର୍ଟରେ ମନ୍ତବ୍ୟ ଦିଆଯାଇଛି। ଜାନୁଆରି ୨୦୧୩ରୁ ଫେବ୍ରୁଆରି ୨୦୧୬ ପର୍ଯ୍ୟନ୍ତ ଦିଆଯାଇଥିବା ଅଗ୍ରୀମ ଅର୍ଥ ଆଦୌ ଆଡ୍ଜଷ୍ଟ ହୋଇ ନାହିିଁ। ଏହି ରିପୋର୍ଟ ଅନୁସାରେ, ଏହି ଅଫିସ୍ର ଡ୍ରାଇଭର ବି. କେ. ପଣ୍ଡାଙ୍କ ନାଁରେ ୩ ଲକ୍ଷ ୧୯ ହଜାର ୮୩୯ ଟଙ୍କା, ଅପରେଟର୍ ଜେ. ପି. ପଣ୍ଡାଙ୍କ ନାଁରେ ୨୧ ହଜାର ୧୩ ଟଙ୍କା, ଏଲ୍ଆଇ ଏସ୍. ପି. ହୋତାଙ୍କ ନାଁରେ ୫୦ ହଜାର ୪ଶହ ଟଙ୍କା, ଷ୍ଟେନୋ ଡି. ଭୋରାସାଗରଙ୍କ ନାଁରେ ୫୬ ହଜାର ୩୮୨ ଟଙ୍କା, ଜୁନିୟର କ୍ଲର୍କ ଏସ୍. ଏସ୍. ରେଡ୍ଡିଙ୍କ ନାଁରେ ୬୬ ହଜାର ୬୪୩ ଟଙ୍କା, ଏଫ୍ଏମ୍ଡି ବି. କେ, ସାହୁଙ୍କ ନାଁରେ ୩ ଲକ୍ଷ ୭୯ ହଜାର ୭୯୫ ଟଙ୍କା, ଡିଡିଭିଏଚ୍ ବି. କେ. ନାୟକଙ୍କ ନାଁରେ ୪୦ ହଜାର ଟଙ୍କା ଗଡ଼ୁଥିବା ଜଣାଯାଇଛି। ତେବେ ସଂପୃକ୍ତ କର୍ମଚାରୀମାନେ ବିଲ୍, ଭାଉଚର ଦେବା ପରେ ବି ଏହି ଅଗ୍ରୀମ ଅର୍ଥ ଆଡ୍ଜଷ୍ଟ ହେଉନଥିବାରୁ ସେମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଏପରିକି କିଛି କର୍ମଚାରୀ ଅବସରଗ୍ରହଣ କରିଥିଲେ ହେଁ ଏହି କାରଣରୁ ସେମାନଙ୍କ ପେନ୍ସନ୍ ହୋଇପାରୁ ନାହିଁ। ସଂପୃକ୍ତ କର୍ମଚାରୀମାନେ ତତ୍କାଳୀନ ସିଡିଭିଓଙ୍କୁ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳିଲା ନାହିଁ। ଫଳରେ ବାଧ୍ୟ ହୋଇ ସେମାନେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଚିଠି ଦ୍ୱାରା ଅନେକ ଥର ଅବଗତ କରାଇଛନ୍ତି। ତଥାପି ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ଏହି ଅଡିଟ୍ ରିପୋର୍ଟ ଅନୁସାରେ, ସମ୍ବଲପୁର ସିଡିଭିଓଙ୍କ ଅଫିସ୍କୁ ବିଭିନ୍ନ ଯୋଜନାରେ ମିଳିଥିବା ଅର୍ଥ ଫ୍ଲେକ୍ସି ଆକାଉଣ୍ଟରେ ରଖିବା ବଦଳରେ ସେଭିଂ ଆକାଉଣ୍ଟରେ ରଖିଥିବାରୁ ବିଭାଗକୁ ସୁଧ ବାବଦକୁ ୧୪.୪୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଦର୍ଶା ଯାଇଛି। ଏ ନେଇ ସିଡିଭିଓ ନବୀନ କୁମାର ମିଶ୍ରଙ୍କୁ ପଚାରିବାରୁ, ତାଙ୍କ କାର୍ଯ୍ୟକାଳରେ (ଜୁଲାଇ ୨୦୧୭ରୁ) ଏହା ହୋଇ ନାହିଁ। ଯଦି ହୋଇଥିବ ପୂର୍ବରୁ ହୋଇଥିବ। ଏ ସଂପର୍କରେ ସେ ଜାଣି ନାହାନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।
ସିଡିଭିଓ କାର୍ଯ୍ୟାଳୟର କାରନାମା:ଅଡିଟ୍ ରିପୋର୍ଟରେ ଧରାପଡ଼ିଲା ୩୩ ଲକ୍ଷର ଅନିୟମିତତା
/sambad/media/post_attachments/wp-content/uploads/2018/03/money-04-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)