ସମ୍ବଲପୁର (ରତ୍ନାକର ଭୋଇ): ସମ୍ବଲପୁର ଜ଼ିଲ୍ଲା ତଥା ଅଞ୍ଚଳ ନିମନ୍ତେ ଆଜି ଏକ ଐତିହାସିକ ଦିନ। ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲାକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ ଦାୟିତ୍ୱ ବହନ କରିଛି। ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉ ନଥିବା ନେଇ ଜନ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ରହୁଛିl କିନ୍ତୁ କମ୍ପାନି କର୍ତ୍ତୃପକ୍ଷ କହୁଛନ୍ତି ଏବେ ୬୫୦୦ ଲୋକ ନିଯୁକ୍ତି ପାଇଛନ୍ତିl ସେଥିରୁ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେଇଛନ୍ତିl କେତେ ନିଯୁକ୍ତି ଦିଆଯାଇଛି, ତାହାର ହିସାବ ନିକାସ ହେବ। କମ୍ପାନି କର୍ତ୍ତୃପକ୍ଷଙ୍କୁ ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେବାକୁ ପଡ଼ିବl ୮୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ଦେଲେ ଆମେ କାରଖାନାର ସମ୍ପ୍ରସାରଣରେ ସମର୍ଥନ କରିବୁ। ସ୍ଥାନୀୟ ଲଫଙ୍ଗାସ୍ଥିତ ଆଦିତ୍ୟ ଆଲୁମିନିୟମ ଶିଳ୍ପାନୁଷ୍ଠାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଟି ପ୍ରକଳ୍ପ ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଲାନ୍ୟାସ କରିବା ଅବସରରେ ଏହା କହିଛନ୍ତି। ସେ ଆଜି ୫ ହଜାର କୋଟିର ଆଲୁମିନିୟମ ଏଫ.ଆର.ପି ୟୁନିଟ ଓ ୮୩୪ କୋଟିର ସ୍ବତନ୍ତ୍ର ବ୍ୟାଟେରି ଫଏଲ ତିଆରି ୟୁନିଟର ଉଦଘାଟନ କରିଛନ୍ତି। ଏହା ସହ ୨୧ ହଜାର ୧୬୨ କୋଟି ଆଦିତ୍ୟ ଆଲୁମିନିୟମ ସ୍ମେଲଟର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପର ଶିଲାନ୍ୟାସ କରିଛନ୍ତି। 

Advertisment

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିତ୍ତିଭୂମି ସୁଦୃଢ଼ ହେଲେ ଏ ଅଞ୍ଚଳର ବିକାଶ ହେବ। ସେଥିଲାଗି ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବl ଯୁବକ ଯୁବତୀମାନଙ୍କୁ ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରାଯିବl ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ଯାହା ଦରକାର ରାଜ୍ୟ ସରକାର କରିବେ। କମ୍ପାନିକୁ ଜନପ୍ରତିନିଧି ମାନଙ୍କର କଥାକୁ ଗୁରୁତ୍ଵ ଦେଇ ସିଏସଆର୍ କାମ କରିବାକୁ ପଡ଼ିବl

G_qn26QXcAAHCWC.jfif

ଆହୁରି ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଆହୁରି ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ। ନୂଆନୂଆ ଶିଳ୍ପ ପ୍ରତିଷ୍ଠା ହେଲେ ୧୫ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇ ପାରିବେ। ଅଞ୍ଚଳର ଯୁବକମାନେ ଦକ୍ଷ ହେଲେ ଏଠିକାର କମ୍ପାନି ବାଧ୍ୟ ନିଯୁକ୍ତି ଦେବ। ବାହାର ରାଜ୍ୟର ଯୁବକ ଯୁବତୀମାନଙ୍କୁ ଯେଉଁ ଅଗ୍ରାଧିକାର ଦିଆଯଉଛି ତାହା ଆମ ଯୁବକ ଯୁବତୀମାନେ ପାଇବେ। ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ। ହିଣ୍ଡାଲକୋ ଏମଡି ସତୀଶ ପାଇଙ୍କୁ ମୁଖ୍ୟମନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି ୮୦ ପ୍ରତିଶତ ସ୍ଥାନୀୟ ଯୁବକମାନଙ୍କୁ ଚାକିରି ଦିଆଯାଉ।

ଆହୁରି ପଢ଼ନ୍ତୁ: Prithiviraj Harichandan: ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ପୁରାତନ ମନ୍ଦିର ସମ୍ପର୍କରେ ଅଧିକ ତଥ୍ୟ: ମନ୍ତ୍ରୀ

କମ୍ପାନି ଉପରେ ବିଧାୟକଙ୍କ ଅସନ୍ତୋଷ

ସେପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ୍ କମ୍ପାନି ଉପରେ ଅସନ୍ତୋଷ ଦେଖାଇଛନ୍ତିl ଜୟନାରାୟଣ ଆଜି କମ୍ପାନିମାନଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଛନ୍ତିl ସେ କହିଛନ୍ତି କମ୍ପାନିଗୁଡ଼ିକ ସ୍ଥାନୀୟ ନିଯୁକ୍ତିରେ ଅବହେଳା କରିଛନ୍ତି l ମୁଁ ମନ୍ତ୍ରୀ ଥିବା ବେଳେ ଏକ ଫାଇଲ ପଠାଇଥିଲି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଉl ସରକାରୀ ନିୟମକୁ ଏଠିକାର କମ୍ପାନି କର୍ତ୍ତ୍ୟପକ୍ଷ ଜଳାଞ୍ଜଳି ଦେଇ ଦେଉଛନ୍ତି l କୌଣସି କଳକାରଖାନା ସ୍ଥାନୀୟ ନିଯୁକ୍ତି ଦେଉନାହାନ୍ତି l ଏପରିକି ସ୍ଥାନୀୟ ଲୋକଙ୍କୁ ଝାଡୁଦାର ଚାକିରି ମଧ୍ୟ ଦେଉନାହାନ୍ତିl ଏଥିପାଇଁ ଆଜି ନିଜେ ମୁଖ୍ୟମନ୍ତ୍ରୀ ହିଣ୍ଡାଲକୋର ଏମଡିଙ୍କୁ ତାଗିଦ କରିବା ସହ ନିର୍ଦ୍ଦେଶ ଦେଇଛନ୍ତିl ସେପଟେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁଦର୍ଶନ ହରିପାଲ ମଧ୍ୟ କମ୍ପାନି ବିରୁଦ୍ଧରେ ବର୍ଷିଥିଲେl ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୁଝାରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ପୂର୍ବତନ ବିଧାୟକ ନାଉରି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: FIR: ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ, ଖୋଜି ଆଣିବା ପାଇଁ ସ୍ତ୍ରୀର ଆକୁଳ ନିବେଦନ