କଲେଜ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ:ଯୁବକ ଗିରଫ

ଧମା: ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଧମା ପୁଲିସ ବରଗଡ଼ ଜିଲ୍ଲା ସୋହେଲା ଥାନା ଚିଚିଣ୍ଡା ଗାଁର ଶିବ ନାଗ (୧୯)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଧମା ନିକଟସ୍ଥ ଏକ ଗାଁର ୧୬ ବର୍ଷୀୟା ନାବାଳିକା ଜଣକ ଜିଏମ ଜୁନିଅର କଲେଜରେ +୨ ପ୍ରଥମ ବର୍ଷ ପଢ଼ୁଥିଲେ। ୩ ବର୍ଷ ହେଲା ଅଭିଯୁକ୍ତ ଜଣକ ତାଙ୍କ ପଛରେ ପଡ଼ିବା ପରେ ସେ ଗତ ବର୍ଷ ଅକ୍ଟୋବର ୨୮ ତାରିଖ ବାହାରକୁ ବୁଲିବାକୁ ଯିବା ବାହାନାରେ କଲେଜ ଆସିଥିବା ଉକ୍ତ ଛାତ୍ରୀଙ୍କୁ ଅପହରଣ କରି ନେଇଥିଲେ। ନଭେମ୍ବର ୪ ତାରିଖରେ ଛାତ୍ରୀଙ୍କ ମା’ ଏ ସଂପର୍କରେ ଧମା ଥାନାରେ ଅଭିଯୋଗ କରିଥିଲେ। ଅପହରଣ ପରେ ଅଭିଯୁକ୍ତ ଛାତ୍ରୀଙ୍କୁ ନେଇ ବିଜେପୁର ଥାନା ଅନ୍ତର୍ଗତ ମାଝିପାଲି, ଛତିଶଗଡ଼ର ବରମକେଲାର ନିଜ ଭଉଣୀମାନଙ୍କ ଘରେ ୨୨ ଦିନ ରଖିବା ପରେ ଚେନ୍ନାଇର ଏକ ସୂତା କଳରେ ପତ୍ନୀର ପରିଚୟ ଦେଇ ୩ ମାସ ରଖିଥିଲେ। ଏହାପରେ ପୁଣି ଓଡ଼ିଶା ଫେରି ମାଝିପାଲିରେ କିଛି ଦିନ ରହିବା ପରେ ସୋହେଲାର ନିଜ ଏକ ଭଉଣୀ ଘରେ ରଖିଥିଲେ। ଅପହରଣର ୫ ମାସ ପରେ କୌଣସି ସୂତ୍ରରୁ ଖବର ପାଇ ବୁଧବାର ରାତିରେ ଧମା ପୁଲିସ ସୋହେଲାରୁ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ବିଭିନ୍ନ ସମୟରେ ଅଭିଯୁକ୍ତ ଜଣକ ବହୁବାର ତାଙ୍କ ଇଚ୍ଛା ବିରୋଧରେ ଦୁଷ୍କର୍ମ କରିଥିବା ଓ ବର୍ତମାନ ସେ ଅନ୍ତସତ୍ତ୍ୱା ଥିବା ପୁଲିସକୁ ଛାତ୍ରୀ ଦେଇଥିବା ବୟାନରୁ ଜଣା ପଡ଼ିଛି।

ସମ୍ବନ୍ଧିତ ଖବର