କଂଗ୍ରେସ ଏକ ବଡ଼ ସମ୍ଭାବନା ହାତଛଡ଼ା କରୁଛି!

ସମ୍ବଲପୁର (ଅରବିନ୍ଦ ଦାସ): ସ୍ଥଳ ଦୃଷ୍ଟିରେ ଦେଖିଲେ, ନବୀନ ନିବାସରେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ପହଞ୍ଚିବା ଦିନରୁ ହିଁ ଏହି ଉପନିର୍ବାଚନ ବିଜେଡି-ବିଜେପି ସର୍ବସ୍ୱ ହେବ ପରି ଲାଗୁଥିଲା। ସାଧାରଣତଃ, ସରକାରୀ କଳର ଦୁରୁପଯୋଗର ସୁବିଧା ଦୃଷ୍ଟିରୁ ଉପନିର୍ବାଚନ ଗୁଡ଼ିକ ଆଜିକାଲି ଶାସକ ଦଳକୁ ସୁହାଇବା ସମ୍ଭାବନା ଅଧିକ ରହେ। ତେଣୁ ବିଜେପୁର ପାଇଁ ଶହଶହ କୋଟିର ସରକାରୀ ଘୋଷଣା ଏବଂ ରୀତାଙ୍କ ସପକ୍ଷରେ ଅନୁକମ୍ପାଜନିତ ଅନ୍ତଃସ୍ରୋତର ସମ୍ଭାବନା ଦୃଷ୍ଟିରୁ ଏମିତିରେ ବିଜେଡି ପ୍ରଚାରରେ ଆଗୁଆ ରହିବା ମୂଳରୁ ଅନୁମାନ କରାଯାଉଥିଲା। ଅନ୍ୟପକ୍ଷରେ, ବିଜେପି ପାଇଁ ମଧ୍ୟ ମୂଳରୁ କିଛି କମ ସମ୍ଭାବନା ନ ଥିଲା। ଶେଷଥର ପାଇଁ ବିଜେପୁରରେ ହୋଇଥିବା ଗତ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୭ଟି ଜୋନରୁ ବିଜେପି ୬ଟିରେ ଜିତିଥିଲା। ବିଜେଡିକୁ ମାତ୍ର ଗୋଟିଏ ଆସନ ମିଳିଥିବା ବେଳେ ସେତେବେଳେ ଅସୁସ୍ଥ ସୁବଳଙ୍କ ଅନୁପସ୍ଥିତିରେ କଂଗ୍ରେସ ମୂଳପୋଛ ହୋଇଯାଇଥିଲା।

ବିଜେପି ମୋଟ ୮୯ ହଜାର ୫୬୮ ଭୋଟ ପାଇ ବିଜେଡି(୪୬ ହଜାର ୭୭୪ ଖଣ୍ଡ ଭୋଟ) ଓ କଂଗ୍ରେସ(୨୮ ହଜାର ୭୬୫ ଖଣ୍ଡ ଭୋଟ)ଠାରୁ ଢେର ଆଗୁଆ ରହିଥିଲା। ଏହା ସହିତ ବରଗଡ଼ ଜିଲ୍ଲା ପରିଷଦ ଜୋନରେ ଥିବା ବନ୍ଧପାଲି ଓ ଗୋପେଇପାଲି ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ଆସୁଛି। ଆହୁରି ମଧ୍ୟ ସେତେବେଳକୁ ଗୁଜରାଟ ନିର୍ବାଚନ ହୋଇନଥିଲା କି ବିଜେପି ରାଜସ୍ଥାନ ଉପନିର୍ବାଚନରେ ପରାଭବ ଭୋଗିନଥିଲା। ଅନ୍ୟ ଭାଷାରେ କହିବାକୁ ଗଲେ ତିନିଚାରି ମାସ ତଳେ ବିଜେପି ବର୍ତ୍ତମାନ ଅପେକ୍ଷା ଅଧିକ ଦୃଢ଼ ଲାଗୁଥିଲା। ତେଣେ ସେତେବେଳେ କଂଗ୍ରେସ ବର୍ତ୍ତମାନ ଅପେକ୍ଷା ଦେଶବ୍ୟାପି କେବଳ ଅଧିକ ଦୁର୍ବଳ ଲାଗୁନଥିଲା, ବିଜେପୁର ପ୍ରାର୍ଥିତ୍ୱକୁ ନେଇ ଅନିଶ୍ଚିତତା ଜନିତ ଦ୍ୱନ୍ଦ୍ୱ ମଧ୍ୟ ଦଳର କ୍ଷତି କରୁଥିଲା। ବିଜେଡି ଓ ବିଜେପି ଉଭୟେ ବିଜେପୁରକୁ ହାତେଇବା ପାଇଁ କୌଣସି କୌଶଳ ଛାଡ଼ିବେ ନାହିଁ –ଏ କଥା ଜଣାଥିଲା। ହେଲେ କଂଗ୍ରେସର ନେତୃବୃନ୍ଦ ସେଭଳି ଉଦ୍ୟମ କରିବେ ନା ନାହିଁ ସେ ନେଇ ସବୁ ମହଲରେ ସନ୍ଦେହ ରହୁଥିଲା। ତେବେ ପ୍ରଣୟ ସାହୁଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହେବା ପରେ ପରେ ଦଳର କର୍ମୀମହଲରେ ହଠାତ ଉତ୍ସାହ ଦେଖିବାକୁ ମିଳିଥିଲା। ଏପରିକି ପ୍ରଣୟଙ୍କ ନିଜ ବ୍ଲକ ଗାଇସିଲାଟରେ କଂଗ୍ରେସ ଏତେ ଭଲ କରିବ ଯେ, ଯଦି ବରପାଲି ଓ ବିଜେପୁର ବ୍ଲକରେ ନିଜର ସାମାନ୍ୟ ସ୍ଥିତି ବି ରକ୍ଷା କରେ, ପୂରା ନିର୍ବାଚନ ଜିତୁ ନଜିତୁ, ବିଜେପିକୁ ତିନି ନମ୍ବରକୁ ଠେଲିଦେଇପାରିବ ବୋଲି କର୍ମୀମାନେ ଆଶାବାଦୀ ହେଲେ। ତେବେ ଗତ ୮/୧୦ ଦିନର ଘଟଣାକ୍ରମ ଦଳର କର୍ମୀମହଲରେ ତଦନୁରୂପ ଉତ୍ସାହ ସୃଷ୍ଟି କରିପାରି ନାହିଁ। ଦଳ ପାଇଁ ଯେଉଁ ସମ୍ଭାବନା ଥିଲା ତାକୁ ଦଳର ହେଭିେଓ୍ଵଟମାନେ ହିଁ ଏକରକମ ନଷ୍ଟ କରିଦେଇଛନ୍ତି ବୋଲି ତାଙ୍କରି ମଧ୍ୟରୁ ହିଁ ଅନେକେ ଅନୌପଚାରିକ ବାର୍ତ୍ତାଳାପ ବେଳେ ସ୍ୱୀକାର କରିଛନ୍ତି।

ସୁବଳ ସାହୁଙ୍କ ବିୟୋଗ ଠିକ ପରର ଘଟଣାକ୍ରମକୁ ଅନୁଧ୍ୟାନ କରି ‘ବିଭିନ୍ନ କାରଣରୁ ବିଜେପି-ବିଜେଡି ଲଢ଼େଇରେ କଂଗ୍ରେସ ହଜିଯିବ’ ବୋଲି କହାଯିବା ପଛରେ ଅନେକ କାରଣ ଥିଲା। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ତ ଯଥେଷ୍ଟ ଆଗୁଆ ଥିଲା। ତା’ଛଡ଼ା, ପଡ଼ୋଶୀ ଛତିଶଗଡ଼ରେ ନିଜ ସରକାର ଥିବାରୁ ସବୁପ୍ରକାର ସାହାଯ୍ୟ ପାଇ ବିଜେଡି ଅପେକ୍ଷା ଏଥର ମଧ୍ୟ ସୁବିଧାଜନକ ସ୍ଥିତିରେ ବିଜେପି ରହିବାର ସମ୍ଭାବନା ଦଳର ନେତାମାନେ ଦେଖୁଥିଲେ। ଏହି ଉପନିର୍ବାଚନକୁ ଶାସକ ଦଳ ବିଜେଡି ଯେତେ ଦୃଢ଼ ଭାବେ ଲଢ଼ିଲେ ମଧ୍ୟ ପ୍ରାୟ ୪୩ ହଜାର ବ୍ୟବଧାନ ଖସିଖସି ଅତି ବେଶିରେ ୨୦ ହଜାରକୁ ଆସିବ ସିନା, ବିଜେପି ହାରିବା ଅସମ୍ଭବ ବୋଲି ଦଳର ନେତାମାନେ ଗଣିତ କଷୁଥିଲେ। ଆହୁରି ମଧ୍ୟ, ୨୦୧୪ରେ ବିଜେଡିର ବିଦ୍ରୋହୀ ଭାବେ ଲଢ଼ି ଅଶୋକ ପାଣିଗ୍ରାହୀ ହେଭିେଓ୍ଵଟ ପ୍ରସନ୍ନ ଆଚାର୍ଯ୍ୟଙ୍କର ପରାଜୟର କାରଣ ବନିଥିଲେ। ତେଣୁ ସେଥର ସେ ପାଇଥିବା ୧୮ ହଜାର ୨୩୨ ଖଣ୍ଡ ଭୋଟରୁ ଅଧିକାଂଶ ସେ ଏଥର ମଧ୍ୟ ବିଜେପି ପ୍ରାର୍ଥୀ ଭାବେ ପାଇଯିବେ ବୋଲି ଦଳ ଆକଳନ କରୁଥିଲା। କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା, ମୋଦି ମ୍ୟାଜିକ, ବ୍ୟବସ୍ଥା-ବିରୋଧୀ ସ୍ରୋତର ଫାଇଦା ବିଜେପି ଉଠାଇବ ବୋଲି ମଧ୍ୟ ଧାରଣା ହେଉଥିଲା।

ସେହିପରି, ବିଜେଡି ଶିବିର ମଧ୍ୟ ମୂଳରୁ ଏହି ନିର୍ବାଚନକୁ ଯୁଦ୍ଧଭଳି ଭାବିବା ଆରମ୍ଭ କରିଦେଇଥିଲା। ରୀତା ସାହୁଙ୍କ ଯୋଗଦାନ ଜନିତ ଅନୁକମ୍ପାକୁ ତ ସ୍ୱାଭାବିକ ଭାବେ ଦଳର ଶକ୍ତି ବୋଲି ଧରାଗଲା। ନିର୍ବାଚନ ଘୋଷଣାରେ ବିଳମ୍ବ ମଧ୍ୟ ବିଜେଡିକୁ ସୁହାଇଲା ଭଳି ଲାଗିଲା। କାରଣ, ଦଳର ସ୍ଥିତି ସୁଧାରିବା ପାଇଁ ଶାସକ ଦଳକୁ ଢେର ସମୟ ମିଳିଗଲା। ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ବିଜେପୁରକୁ ଏନଏସି ଘୋଷଣା, ୧୨୫୦ କୋଟିର ଭୂତଳ ଉଠାଜଳସେଚନ ଆଦି ପ୍ରକଳ୍ପ ଘୋଷଣାରେ ମତଦାତା ପ୍ରଭାବିତ ହେବା ସ୍ୱାଭାବିକ। ପ୍ରଥମ ଦିନରୁ ମନ୍ତ୍ରୀ ନିରଂଜନ ପୂଜାରୀ ଓ ସୁଶାନ୍ତ ସିଂହଙ୍କୁ ସେଠାରେ ସଂଗଠନ କରିବା ପାଇଁ ନବୀନ ଏକରକମ ଡେପ୍ୟୁଟେସନରେ ପଠାଇବା ଦ୍ୱାରା ଦଳ ପୂର୍ବାପେକ୍ଷା ଅଧିକ ସଂଗଠିତ ହେଲା। ପରିଣାମ ସ୍ୱରୂପ, ବିଜେପୁର ବ୍ଲକରେ ସୁଶାନ୍ତ ସିଂହଙ୍କ ପରିଶ୍ରମ ଏବେ ଜଳଜଳ ଦିଶୁଛି। କୁଲତା ଭୋଟ ନିର୍ଣ୍ଣାୟକ ହେବ ବୋଲି ସିନା ଗଣମାଧ୍ୟମରେ କୁହାଗଲା! ସୁଶାନ୍ତ ସିଂହ ସମସ୍ତଙ୍କ ଅଲକ୍ଷ୍ୟରେ ବିଜେପୁର ବ୍ଲକର ବୁଣାକାରଙ୍କୁ ଏକାଠି କଲେ। ଏଥିସହ ପାନୀୟ ଜଳଯୋଗାଣ ନେଇ ଲୋକଙ୍କୁ ସଂଗଠିତ ଭାବେ ନିର୍ଭର ପ୍ରତିଶ୍ରୁତି ଦେଇ ବିଜେଡି ସପକ୍ଷରେ ବାତାବରଣ ସୃଷ୍ଟି କଲେ। ସେହିପରି ବରପାଲି ଏନଏସି ଅଞ୍ଚଳରେ ବିଜେଡି ଓ ବରପାଲିର କେତେକ ଗ୍ରାମାଂଚଳରେ ବିଜେପିର ଅଶୋକ ପାଣିଗ୍ରାହୀଙ୍କ ସ୍ଥିତି କଂଗ୍ରେସକୁ ଅସୁବିଧାରେ ପକାଇଲା। ଏ ସବୁ ଦୃଷ୍ଟିରୁ ଏହା କେବଳ ବିଜେପି-ବିଜେଡି ଭିତରେ ଖେଳ, କଂଗ୍ରେସ ଏଥିରେ ବହୁତ ପଛରେ ବୋଲି ଧରାଗଲା।

ତେବେ ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଦଳ ଅହେତୁକ ବିଳମ୍ବ କରିବା ଦ୍ୱାରା କଂଗ୍ରେସ ଆହୁରି କ୍ଷତିଗ୍ରସ୍ତ ହେଉଥିଲା। ଝାରସୁଗୁଡ଼ା ବିଧାୟକ ନବ ଦାସ ଓ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପରପର ଦୁଇଟି କମିଟି ଗଠନ ଜନିତ ଦ୍ୱନ୍ଦ୍ୱ ସଂଗଠନକୁ ଆହୁରି ଦ୍ୱିଧାଗ୍ରସ୍ତ କଲା। ଏ ସବୁ ସତ୍ତ୍ୱେ ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ଚୂଡ଼ାନ୍ତ ଘୋଷଣା କରିବା ଦ୍ୱାରା କଂଗ୍ରେସର ତଥ୍ୟାଭିଜ୍ଞ ମହଲ ତାଙ୍କୁ ନେଇ ଅନେକ ସମ୍ଭାବନା ଦେଖିପାରିଲେ। ଏକ ପକ୍ଷରେ ବିଜେଡି ଓ ବିଜେପି ପ୍ରାର୍ଥୀଦ୍ୱୟଙ୍କୁ ନେଇ ତାଙ୍କ ନିଜ ନିଜ ଦଳୀୟ ମହଲରେ ଯେପରି ଅସନ୍ତୋଷ ପ୍ରକଟିତ ହେଲା, ତାହା କଂଗ୍ରେସ ପ୍ରାର୍ଥିତ୍ୱକୁ ନେଇ ହେଲାନାହିଁ। ପରଲୋକଗତ କଂଗ୍ରେସ ବିଧାୟକଙ୍କ ପତ୍ନୀ ରୀତା ସାହୁଙ୍କୁ ବାଧ୍ୟବାଧକତାରେ ବିଜେଡିର ପୁରୁଣା ସ୍ଥାନୀୟ ନେତା ଓ କର୍ମୀମାନେ ଗ୍ରହଣ କରିଥିଲେ। ସେମାନେ ଭାବିଲେ, ‘୨୦୧୯ ବେଳକୁ ପୁଣି ଦେଖିବା, ଅତି କମରେ ଏଇ ଥରକ ଦଳକୁ ନ ଜିତାଇଲେ ଜିଲ୍ଲା ପରିଷଦ ଫଳାଫଳର ପ୍ରତିଶୋଧ ନେଇହେବ ନାହିଁ। ବିଜେପି ଆଗକୁ ମାଡ଼ିଯିବ।’ ଅନ୍ୟ ପକ୍ଷରେ, ୨୦୦୦-୦୪ରେ ବିଧାୟକ ଥିବାବେଳେ ବିକାଶକୁ ନେଇ ତାଙ୍କ ଲଢ଼ୁଆ ମନୋଭାବ ସତ୍ତ୍ୱେ ଭୋଟରଙ୍କ ସହ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ବ୍ୟକ୍ତିଗତ ଆଭିମୁଖ୍ୟକୁ ଅନେକେ ପ୍ରଶ୍ନ କଲେ। ତେଣେ କଂଗ୍ରେସ ପ୍ରାର୍ଥୀ ପ୍ରଣୟଙ୍କୁ ଏକାଧିକ କାରଣ ପାଇଁ ତିନିଜଣଙ୍କ ମଧ୍ୟରୁ ପ୍ରାର୍ଥୀ ହିସାବରେ ସବୁଠୁ ଭଲ ବୋଲି କୁହାଗଲା।

ପ୍ରଥମତଃ, ଗାଇସିଲାଟ ବ୍ଲକରେ ସେ ଅପ୍ରତିଦ୍ୱନ୍ଦ୍ୱୀ ବୋଲି ଗତ ପାଞ୍ଚଥର ସେ ନିଜେ କିମ୍ବା ତାଙ୍କ ମନୋନୀତ ବ୍ୟକ୍ତି ଗାଇସିଲାଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତିଆସୁଛନ୍ତି। ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଗାଇସିଲାଟରେ ବହୁଭୋଟରେ ଜିତିବାର ଶ୍ରେୟ ମଧ୍ୟ ତାଙ୍କୁ ଦିଆଯାଏ। ବିଜେପୁର ନିର୍ବାଚନମଣ୍ଡଳୀ ଇତିହାସରେ ଆଜିଯାଏ ନିତ୍ୟାନନ୍ଦ ଗଡ଼ତିଆଙ୍କୁ ଛାଡ଼ିଦେଲେ ବରପାଲି ବାହାରୁ କେହି ବିଧାୟକ ହୋଇନାହାନ୍ତି। ଏଥର ପ୍ରଣୟଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇଜଣ ମୁଖ୍ୟ ପ୍ରାର୍ଥୀ ବରପାଲିର ହୋଇଥିବା ଦୃଷ୍ଟିରୁ ଗାଇସିଲାଟ ବ୍ଲକ ତାଙ୍କ ପଛରେ ଦୃଢ଼ଭାବେ ଛିଡ଼ା ହେବାର ସମ୍ଭାବନା ମଧ୍ୟ ସ୍ୱାଭାବିକ। ଆହୁରି ମଧ୍ୟ, ତିନି ମୁଖ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ଏକମାତ୍ର ପ୍ରଣୟ ନିର୍ଣ୍ଣାୟକ କୁଲତା ଜାତିର ହେବା ମଧ୍ୟ ତାଙ୍କ ସପକ୍ଷରେ ଯାଉଥିଲା। ଏ ସବୁ ସତ୍ତ୍ୱେ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାରରେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିଠାରୁ ସେତେ ପଛେଇଯାଉଥିବା ଜଳଜଳ ଦିଶୁଛି। ଗାଇସିଲାଟକୁ ଛାଡ଼ିଦେଲେ ଅନ୍ୟ ଦୁଇଟି ବ୍ଲକରେ ଦଳର ପତାକା, ବ୍ୟାନର ସୁଦ୍ଧା କୋଉଠି କେମିତି କାଁଭାଁ ଦେଖିବାକୁ ମିଳୁଛି। ଦଳରେ ରଥୀମହାରଥୀମାନେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଦୋଷ କଟାଇବାକୁ ଆସୁଛନ୍ତି ବୋଲି ଦଳୀୟ ମହଲରେ ଖୋଲା ଆଲୋଚନା ହେଉଛି। ଯେଉଁଠି ଅନ୍ୟ ଦୁଇଦଳ କୋଟିରେ ଖର୍ଚ୍ଚ କରୁଛନ୍ତି, ଏହାକୁ ମ୍ୟାଚ କରିବା ପାଇଁ ପ୍ରାୟ ସାତଆଠ ଜଣ କଂଗ୍ରେସ ନେତାଙ୍କର ସାମର୍ଥ୍ୟ ଥିଲେ ମଧ୍ୟ ତାଙ୍କ ଭିତରୁ ଦି’ତିନି ଜଣ ଲୋକଦେଖାଣିଆ ଦି’ଚାରି ଲକ୍ଷ ଦେଇକି କାମ ସାରିଦଉଛନ୍ତି। ଏହି ନିର୍ବାଚନରେ ଦଳର ପ୍ରତ୍ୟାବର୍ତ୍ତନ ରାଜ୍ୟରେ ଆଗକୁ ବହୁବର୍ଷ କଂଗ୍ରେସକୁ ସଂଜୀବନୀ ଦେବ ବୋଲି ଜାଣି ସୁଦ୍ଧା ଏଆଇସିସି କିମ୍ବା ପିସିସି ଅର୍ଥଯୋଗାଡ଼ ତ କରୁନାହିଁ, ବରିଷ୍ଠ ନେତାମାନଙ୍କୁ ଯୋଜନାବଦ୍ଧ ଭାବେ ପ୍ରଚାରରେ ମଧ୍ୟ ଲଗାଉନାହିଁ।

‘ନବ ଦାସଙ୍କ ଭଳି ରିସୋର୍ସଫୁଲ ନେତାଙ୍କୁ ଯଦି ଏମାନେ କନ୍‌ଷ୍ଟିଚ୍ୟୁଏନ୍‌ସିକୁ ଆଣିପାରୁ ନାହାନ୍ତି, ଏମାନେ ଜିତିବା ପାଇଁ ଲଢ଼ୁଛନ୍ତି ତ’ ବୋଲି ଜଣେ ବରିଷ୍ଠ ନେତା ପ୍ରଶ୍ନ କରିଛନ୍ତି। ପ୍ରଥମରୁ ପ୍ରଣୟଙ୍କୁ ଶ୍ରୀକାନ୍ତ ଜେନା ନିଜ ପ୍ରାର୍ଥୀ ବୋଲି ଧାରଣା ସୃଷ୍ଟି କରିବା ଅନ୍ୟ ନେତାମାନଙ୍କ ଉଦାସୀନତାର କାରଣ ହୋଇଛି। ରୀତା ସାହୁଙ୍କ ପ୍ରାର୍ଥିର୍ତ୍ୱ ସତ୍ତ୍ୱେ ନବୀନଙ୍କ ତାଗିଦାରେ ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ ତାଙ୍କ ଦଳର ବିଶେଷ କ୍ଷତି କରିପାରୁନାହିଁ। ସେହିପରି ଅଶୋକଙ୍କ ପ୍ରାର୍ଥିର୍ତ୍ୱକୁ ନେଇ ଦ୍ୱନ୍ଦ୍ୱ ସତ୍ତ୍ୱେ ଅବଶିଷ୍ଟ ବିଜେପି ର‍୍ୟାଙ୍କ-ଆଣ୍ଡ-ଫାଇଲଙ୍କର ସଂପୃକ୍ତି ଦଳୀୟ ଅନ୍ତର୍ନ୍ଦ୍ୱନ୍ଦ୍ୱକୁ ପଛକୁ ଠେଲିଦେଇଛି। ନାରାୟଣ ସାହୁ-ପ୍ରଭାତାଦିତ୍ୟ ମିଶ୍ର-ଗୋରହରି ମିଶ୍ରଙ୍କ ଭଳି ନେତାମାନଙ୍କ ସନ୍ତୋଷ-ଅସନ୍ତୋଷ ହେଉ କି ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ଜନିତ ଅନିଶ୍ଚିତତା ହେଉ, ଏସବୁ ବିଜେଡି-ବିଜେପିକୁ ଲାଭଗ୍ରସ୍ତ ବା କ୍ଷତିଗ୍ରସ୍ତ କରିବା ଦିଗରେ ବହୁତ ଫରକ ପକାଉନାହିଁ। ହେଲେ କଂଗ୍ରେସର ଅନ୍ତର୍ଦ୍ୱନ୍ଦ୍ୱ ଦଳର ପ୍ରଭୂତ କ୍ଷତି କରୁଛି। କୌତୁହଳର ବିଷୟ, ପ୍ରାର୍ଥୀଙ୍କ ସପକ୍ଷରେ ଏତେ ସବୁକିଛି ଅନୁକୂଳ ଥିବା ସତ୍ତ୍ୱେ ଏବେ କଂଗ୍ରେସର ସ୍ଥିତି ଯାହା, ଗତ ପଂଚାୟତ ନିର୍ବାଚନର ସ୍ଥିତି ଅପେକ୍ଷା ଚଳିତ ଉପନିର୍ବାଚନରେ ଦୁଇ ନମ୍ବରକୁ ଉନ୍ନୀତ କରିପାରିଲେ ବହୁତ ବଡ଼ ଉପଲବ୍‌ଧି ଧରାଯିବ ବୋଲି ଖୋଦ୍‌ ଦଳର ବରିଷ୍ଠ ନେତାମାନେ କହୁଛନ୍ତି।

ସମ୍ବନ୍ଧିତ ଖବର