ବେଜବରୁଆ ବାସଭବନକୁ କରାଯିବ ସାଂସ୍କୃତିକ ପରିସର

ସମ୍ବଲପୁରରେ ଆସାମ ସଂସ୍କୃତି ମନ୍ତ୍ରୀ

ସମ୍ବଲପୁର : ବେଜବରୁଆଙ୍କ ବାସଭବନ ରକ୍ଷା ପାଇଁ ପହଞ୍ଚିଛନ୍ତି ସଂସ୍କୃତି-ଯୁବ ବ୍ୟାପାର ମନ୍ତ୍ରୀ ନବକୁମାର ଡୋଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ମିଡିଆ ପରାମର୍ଶଦାତା ହୃଷୀକେଶ ଗୋସ୍ୱାମୀ। ସୋମବାର ଦିନ ଉଭୟେ ବେଜବରୁଆ ବାସଭବନର ଜମି ମାମଲା ନେଇ ଜିଲ୍ଲାପାଳ ସମର୍ଥ ବର୍ମା, ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଏହି ଅବସରରେ ସେମାନେ ବେଜବରୁଆ ବାସଭବନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅନୁରୋଧ ପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଦେବେ। ଆଗାମୀ ଦିନରେ ବେଜବରୁଆଙ୍କ ଏହି ବାସଭବନକୁ ସାଂସ୍କୃତିକ ପରିସର ପାଇଁ ଯୋଜନା ରଖିଥିବା କହିଛନ୍ତି ଉଭୟ। ଏଥିରେ ଉଭୟ ଓଡ଼ିଶା ଏବଂ ଆସାମ ସରକାରଙ୍କ ସହଭାଗିତା ନେଇ ଅନୁରୋଧ କରାଯିବ ବୋଲି କହିଛନ୍ତି ବେଜବରୁଆ ସ୍ମୃତି କମିଟିର ଦୀପକ ପଣ୍ଡା। ସମ୍ବଲପୁରର ନେଲ୍‌ସନ ମଣ୍ଡେଲା ଛକର ସଂପ୍ରସାରଣ କରାଯାଉଛି। ଏଥିରେ କଚେରୀ ଛକର ୨.୭୨ ଡିସମିଲସ୍ଥିତ ବେଜବରୁଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉଚ୍ଛେଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ବେଜବରୁଆଙ୍କ ଘରର ସୁରକ୍ଷା ପାଇଁ ଆସାମ ସରକାର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ମନ୍ତ୍ରୀ ନବକୁମାର ଡୋଲେ କହିଛନ୍ତି, ଏହି ବାସଭବନର ସୁରକ୍ଷା ନେଇ ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି। ବାସଭବନ ସଂରକ୍ଷଣ ନେଇ ଆସାମ ମୁଖ୍ୟମନ୍ତ୍ରୀ ପତ୍ର ଦେଇଛନ୍ତି। ୨.୭୨ ମାଲିକାନାର ପ୍ରକୃତ ତଥ୍ୟ ବାବଦରେ ସୋମବାର ଜିଲ୍ଲାପାଳଙ୍କ ଠାରୁ ଅବଗତ ହେବେ। ବେଜବରୁଆ ସ୍ମୃତି କମିଟି ଏବଂ ସ୍ଥାନୀୟ ଅଧିବାସୀଙ୍କ ସହିତ ମଧ୍ୟ ଏ ନେଇ ଆଲୋଚନା କରିବେ। ଏହାର ସମାଧାନ ସୂତ୍ରନେଇ ଉଭୟ ମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହିତ ଆଲୋଚନା କରିବେ। ମିଡିଆ ପରାମର୍ଶଦାତା ହୃଷୀକେଶ ଗୋସ୍ୱାମୀ କହିଛନ୍ତି, ଆସାମ ଏବଂ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ସମ୍ପର୍କ ରହିଛି। ବେଜବରୁଆଙ୍କ ଘର ସଂରକ୍ଷିତ ରଖାଯାଇ ଏଥିରେ ଉଭୟ ରାଜ୍ୟର ସାହିତ୍ୟ ଏବଂ ସଂସ୍କୃତି ବିକାଶ ନେଇ କାର୍ଯ୍ୟ କରାଯାଇ ପାରିବ। ଆସାମ ସାହିତ୍ୟ ସହିତ ଓଡ଼ିଶା ସାହିତ୍ୟ ଏବଂ ହସ୍ତତନ୍ତ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ। ଏଠାରେ ବେଜବରୁଆଙ୍କ ପ୍ରତିମୂର୍ତ୍ତି ମଧ୍ୟ କରାଯିବ। ଏଥିପୂର୍ବରୁ ମଧ୍ୟ ବେଜବରୁଆଙ୍କ ଘର ଏବଂ କାର୍ଯ୍ୟାଳୟ ସ୍ଥିତ ୨.୭୨ ଡିସମିଲ ଜମିକୁ ଓଁକାରଲାଲ ପୋଦ୍ଦାର ନିଜ ଜମି ବୋଲି ଦାବି କରି ଅଦାଲତରେ ମାମଲା ଦାୟର କରିଥିଲେ। ସେତେବେଳେ ଏହି ବାସଭବନ ଉଚ୍ଛେଦ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଜମି ମାଲିକାନା ନେଇ ଓଡ଼ିଶା ସରକାର ଅଦାଲତରେ ପରାଜିତ ହୋଇଥିଲେ। ଏ ନେଇ ଆବଶ୍ୟକ ଅର୍ଥ ଦାଖଲ କରି ସରକାର ଜମି ଅଧିଗ୍ରହଣ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର