ସମ୍ବଲପୁର: ସମ୍ବଲପୁରରେ ପୁଣି ଏକ ବଡ଼ ଧରଣର ସାଇବର୍‌ ଠକେଇ ହୋଇଛି। ଜିଓ ସିନେମାର କଷ୍ଟମର୍‌ କେୟାର୍‌ ନମ୍ବର ଗୁଗୁଲ୍‌ରେ ସର୍ଚ୍ଚ କରି ସମ୍ବଲପୁର ବରେଇପାଲି ନିବାସୀ ସଂଜୀବ ପଣ୍ଡା ଏହି ଠକେଇର ଶିକାର ହୋଇଛନ୍ତି। ଠକ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷରୁ ଅଧିକ ଟଙ୍କା କାଟିନେଇଛି।

Advertisment

ସୂଚନା ଅନୁଯାୟୀ, ନଭେମ୍ବର ୨୩ ତାରିଖ ଦିନ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳ ହୋଇଥିଲା। ଯାହାର ସିଧାପ୍ରସାରଣ ଜିଓ ସିନେମାରେ ହେଉଥିଲା। କିନ୍ତୁ ସଂଜୀବଙ୍କ ଜିଓ ସିନେମା ଆପ୍‌ ୨୩ ତାରିଖ ଦିନ ଖୋଲି ନଥିଲା। ଜିଓ ସିନେମା ଚାଲିବାରେ ଅସୁବିଧା ହେବାରୁ ସଂଜୀବ ନଭେମ୍ବର ୨୩ ତାରିଖ ରାତି କଷ୍ଟମର୍‌ କେୟାର ସହ ଯୋଗଯୋଗ କରିବାକୁ ଗୁଗୁଲ୍‌ରେ ନମ୍ବର ସର୍ଚ୍ଚ କରିଥିଲେ। ସେଥିରୁ ପାଇଥିବା ନମ୍ବରରେ ଯୋଗାଯୋଗ କରିଥିଲେ। କିଛି ସମୟ ପରେ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍‌ ଆସିଲା। ଜିଓ ସିନେମାର କଷ୍ଟମର୍‌ କେୟାର ଅଧିକାରୀ ବୋଲି ସେ ନିଜ ପରିଚୟ ଦେଇଥିଲା। ଅସୁବିଧାର ସମାଧାନ ପାଇଁ ହ୍ବାଟ୍ସଆପ୍‌ରେ ଏକ ଲିଙ୍କ୍‌ ସଂଜୀବଙ୍କୁ ପଠାଇଥିଲା। ବ୍ୟକ୍ତି ଜଣକ ଲିଙ୍କ୍‌ କ୍ଲିକ୍‌ କରିବା ପାଇଁ ସଂଜୀବଙ୍କୁ କହିଥିଲା। ଲିଙ୍କ୍‌ ଖୋଲିବା ପରେ ଯେଉଁ ପେଜ୍‌ ଖୋଲିଲା, ସେଥିରେ ସଂଜୀବ ନିଜ ନାଁ ଓ ମୋବାଇଲ୍‌ ନମ୍ବର ପୂରଣ କରିଥିଲେ। ତାପରେ ସେ ୧୦ ଟଙ୍କା ରିଚାର୍ଜ କରିବା ପାଇଁ କହିଥିଲା।

ସେ କହିବା ଅନୁଯାୟୀ ସଂଜୀବ ୧୦ ଟଙ୍କା ରିଚାର୍ଜ କରିଥିଲେ। ୨୪ ତାରିଖ ଦିନ ୨ଟି ଟ୍ରାନଜେକ୍‌ସନରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ୨୦ ହଜାର ଟଙ୍କା କଟିଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ବୁଧବାର ରାତି ସଂଜୀବ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।