ଟ୍ରେନ ଭିତରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁର ରେଳ ଷ୍ଟେସନ୍(କ୍ଷେତରାଜପୁର) ଠାରେ ଟ୍ରେନ୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା- ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ ମହିଳାଙ୍କ ସ୍ୱାଭାବିକ ମୃତ୍ୟୁ ଘଟିଛି କି ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଟ୍ରେନଟି ରାୟଗଡ଼ାରୁ ଫେରି ସମ୍ବଲପୁର ଷ୍ଟେସନରେ ରହିଥିଲା। ସଫେଇ କର୍ମଚାରୀମାନେ ସଫା କରିବା ପାଇଁ ଯାଇଥିବା ବେଳେ ଗୁରୁବାର ରାତିରେ ଟ୍ରେନ୍ ବଗି ଭିତରେ ମହିଳାଙ୍କ ମୃତଦେହ ଦେଖି ଜିଆରପି ପୁଲିସକୁ ସୂଚନା ଦେଇଥିଲେ। ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ଜିଆରପି ପୁଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ତେବେ ମୃତଦେହକୁ ଟ୍ରେନ୍ ଭିତରୁ କାଢିବାରେ ବିଳମ୍ବ ହେବାରୁ ସମ୍ବଲପୁର- ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସ ପାଖାପାଖି ୨ ଘଣ୍ଟା ବିଳମ୍ବରେ ଷ୍ଟେସନ ଛାଡ଼ିଥିଲା। ପ୍ରତିଦିନ ସକାଳ ୬ ଟା ସମୟରେ ଟ୍ରେନ୍‌ଟି ରାୟଗଡ଼ା ଅଭିମୁଖେ ଯାତ୍ରା କରେ, ଶୁକ୍ରବାର କିନ୍ତୁ ସକାଳ ୮ଟାରେ ଟ୍ରେନ୍ ଛାଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର