ସମ୍ବଲପୁର: ପଦାରେ ପଡ଼ିଲା ସମ୍ବଲପୁର ଜନସ୍ବାସ୍ଥ୍ୟ ବିଭାଗର ଅପାରଗତା। ସହରସାରା ପାଇପ ଲାଇନରେ ଚାଲୁଣୀ ଭଳି କଣା। ଠାଏଁ ଠାଏଁ ରାସ୍ତାରେ ବର୍ଷା ଋତୁ ଭଳି ପାଣି ଜମା ହୋଇରହୁଛି। ହେଲେ ବିଭାଗ ମରାମତି କରିବାର ନାଁ ନେଉନାହିଁ। କେବଳ ମୈତ୍ରୀନଗର ଓ ମାତୃବିହାର ନୁହେଁ, ବୁଢ଼ାରଜା ଅଞ୍ଚଳର ଅନେକ ପଡ଼ାରେ ଝାଡ଼ାବାନ୍ତି ବ୍ୟାପିଲାଣି। ଏବେଠୁ ପଦକ୍ଷେପ ନନେଲେ ସମ୍ବଲପୁରରେ ହୀରାକୁଦର ସ୍ଥିତି ଉପୁଜିବା ଆଶଙ୍କା ରହିଛି।
ବୁଢ଼ାରଜା ଶାନ୍ତିନଗର ଅଞ୍ଚଳରେ ରାସ୍ତା ଉପରେ ପାଣି ମାଡ଼ୁଛି। ନର୍ଦ୍ଦମା ପାଣି ନା ଫଟା ପାଇପର ପାଣି ପିଏଚଡି ବିଭାଗକୁ ଜଣାନାହିଁ। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ଡ୍ରେନ ପାଣି ସହ ପାଇପା ପାଣି ମିଶି ରାସ୍ତା ଅତିକ୍ରମ କରୁଛି। ଅଧିକାଂଶ ପାଇପ ଲାଇନ ଡ୍ରେନକୁ ଲାଗି ରହିଥିବାରୁ ଜାଣିବା ମୁସ୍କିଲ। ମୈତ୍ରୀନଗର ଓ ମାତୃବିହାର ଅଞ୍ଚଳରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ଶନିବାର ‘ସମ୍ବାଦ’ରେ ସଂକ୍ଷିପ୍ତ ଖବର ପ୍ରକାଶିତ ହୋଇଥିଲା। ରବିବାର ପିଏଚଡି ଓ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଦଳ ପଡ଼ାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଅଞ୍ଚଳରେ ଅଧିକାଂଶ ପରିବାର ସମ୍ଭ୍ରାନ୍ତ ଶ୍ରେଣୀର ହୋଇଥିବା ବେଳେ ଡାକ୍ତରଖାନା‌ରେ ଭର୍ତ୍ତି ନହୋଇ ଘରୋଇ ଭାବରେ ଚିକିତ୍ସିତ ହେଉଛନ୍ତି। ବୁଢ଼ାରଜା ଅଞ୍ଚଳର ଅନ୍ୟାନ୍ୟ ପଡ଼ାରେ ମଧ୍ୟ ଏଭଳି ସ୍ଥିତି ଦେଖାଦେଇଛି। ଏପରିକି ପରିବାରର ସମସ୍ତ ସଦସ୍ୟ ଆକ୍ରାନ୍ତ ହୋଇଥିବା ଖବର ରହିଛି।

Advertisment

ଖବରକାଗଜରେ ନାଁ ପ୍ରକାଶ ନକରିବା ଅନୁରୋଧ କରି ଆକ୍ରାନ୍ତଙ୍କ ପରିବାର ଲୋକେ ପ୍ରକୃତ ସ୍ଥିତି ବଖାଣିଛନ୍ତି। ‌ଗୋଳିଆ ପାଣି ଯୋଗାଣ ହେଉଥିବା ବେଳେ ଉପରେ ଫେଣ ରହୁଛି ଓ ଦୁର୍ଗନ୍ଧ ହେଉଛି। ପ୍ରାୟ ୨୦ ବାଲ୍‌ଟି ପାଣି ଫିଙ୍ଗିବା ପରେ ବ୍ୟବହାର ପାଇଁ ସଂଗ୍ରହ କରୁଛନ୍ତି। ଅଭିଯୋଗ କରିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଫୋନ ନମ୍ବର ଜାରି କରାଯାଇନାହିଁ। ଫଳରେ ଦୈନନ୍ଦିନ ବ୍ୟସ୍ତତା ମଧ୍ୟରେ ଅଭିଯୋଗ କରିବା ସମ୍ଭବ ହେଉନାହିଁ। ସମୟ କାଡ଼ି ଅଇଁଠାପାଲି ଅଫିସକୁ ଗଲେ ଅଧିକାରୀଙ୍କୁ ପାଉନଥିବା ଅଭିଯୋଗ କରିଛନ୍ତି। ଶକ୍ତିନଗର ଅଞ୍ଚଳର ଜଣେ ବ୍ୟବସାୟୀ ଝାଡ଼ାବାନ୍ତିରେ ଗୁରୁତର ଭାବରେ ଆକ୍ରାନ୍ତ ହେବା ପରେ ସାମାନ୍ୟ ସୁସ୍ଥ ହୋଇଛନ୍ତି। ହୋଲି ଦିନଠାରୁ ରବିବାର ପର୍ଯ୍ୟନ୍ତ ଲଗାତର ଭାବରେ ୧୬ଟି ସାଲାଇନ ଓ ଅନେକ ପ୍ରକାରର ଇଞ୍ଜେକ୍ସନ ଚାଲିଛି। ସେହିପରି ସେହି ଅଞ୍ଚଳର ଜଣେ ଜିଲ୍ଲାସ୍ତରୀୟ ଅଧିକାରୀ ମଧ୍ୟ ବର୍ତ୍ତମାନ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଏ ବିଷୟରେ ଏଡିଏମଓ ଡା.ଅଶୋକ ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ମୈତ୍ରୀନଗର ଓ ମାତୃବିହାର ଅଞ୍ଚଳକୁ ଡାକ୍ତରୀ ଦଳ ଯାଇ ସ୍ଥିତି ପରଖିଛନ୍ତି। ସୋମବାର ଶକ୍ତିନଗର ଅଞ୍ଚଳକୁ ମଧ୍ୟ ଡାକ୍ତରୀ ଦଳ ପଠାହେବ ବୋଲି କହିଛନ୍ତି।