ସମ୍ବଲପୁର: ଜନମଙ୍ଗଳ ରାଷ୍ଟ୍ରରେ ମାସିକ ୫୦୦ ଟଙ୍କାର ଭତ୍ତା ବ୍ୟବସ୍ଥା ସଂପୃକ୍ତ ଅସହାୟ ହିତାଧିକାରୀଙ୍କ ପ୍ରତି ଏକ ଚରମ ଉପହାସ। କ୍ଷମତାଲୋଭୀ ଗଣତନ୍ତ୍ରରେ ଗରିବଙ୍କ ସ୍ୱର ଚାପି ହୋଇଗଲାଣି। ସଚେତନ ବରିଷ୍ଠ ନାଗରିକ ସମାଜ ଓ ବୁଦ୍ଧିଜୀବୀ ଯଦି ସେମାନଙ୍କ ସ୍ୱର ହେବେ, ତାହେଲେ ସରକାର ବି ଗରିବଙ୍କ କଥା ଶୁଣିବେ ବୋଲି ‘ସମ୍ବାଦ’ ଓ ଜିଲ୍ଲା ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଆୟୋଜିତ ‘ଅସହାୟ ଭତ୍ତା: ପାଂଚ’ଶରେ କଣ ପେଟ ପୂରେ?’ ଶୀର୍ଷକ ଆଲୋଚନା ସଭାରେ ସମ୍ମାନିତ ବକ୍ତା ଅର୍ଥନୀତି ବିଶାରଦ ଡ. ଦିଲୀପ କୁମାର ପଣ୍ଡା କହିଛନ୍ତି।
ସମ୍ବଲପୁର ସାକ୍ଷୀପଡ଼ା ସ୍ଥିତ ସମ୍ବାଦ ଭବନଠାରେ  ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ କହିଲେ, ଆଜି ଭାରତ ଚନ୍ଦ୍ରରେ ପହଞ୍ଚିଲାଣି। କିନ୍ତୁ, ଆମର ସମ୍ବିଧାନର ମୂଳ ଲକ୍ଷ୍ୟକୁ ଆମେ କାର୍ଯ୍ୟକାରୀ କରିପାରିନୁ। ୧୯୬୦ ମସିହା ପର୍ଯ୍ୟନ୍ତ ରାଜନୀତି ଏକ ସେବା ଥିଲା। ଏବେ କିନ୍ତୁ କ୍ଷମତା କେମିତି ହାସଲ କରାଯିବ ସେଦିଗରେ ସମସ୍ତେ ଚେଷ୍ଟିତ। ନିର୍ବାଚନୀ ପ୍ରତିଶ୍ରୁତିରେ ଯାହା ରହୁଛି ତାହା ବି କାର୍ଯ୍ୟକାରୀ ହେଉନି। ନୂଆ ଆଇନ ପ୍ରଣୟନ ହେଉଛି, କିନ୍ତୁ ତାହା ବି ବାସ୍ତବରେ କାର୍ଯ୍ୟକାରୀ କରାଯାଉନାହିଁ। ଗରିବଙ୍କ ସ୍ୱର ଆଉ ନାହିଁ। ଏଣୁ ବରିଷ୍ଠ ନାଗରିକ ସମାଜ ଗରିବଙ୍କ ଭତ୍ତା ଟଙ୍କା ପ୍ରସଙ୍ଗ ସରକାରଙ୍କୁ ପତ୍ର ମାଧ୍ୟମରେ ଜଣାଇବା ଦରକାର। ଯଦି ନଶୁଣିବେ ତାହେଲେ ଆନ୍ଦୋଳନକୁ ବି ଓହ୍ଲାଇବାକୁ ହେବ। କାରଣ ଅଭାବୀ, ଅସହାୟ, ନିଷ୍ପାପଙ୍କୁ ସାହାଯ୍ୟ କରିବା ଆମ ସଂସ୍କୃତିରେ ରହିଛି ବୋଲି ସେ କହିଥିଲେ।

Advertisment

publive-image
ସମ୍ମାନିତ ବକ୍ତା ଭାବରେ ଯୋଗେଦଇ ଅର୍ଥନୀତି ବିଶାରଦ ଡ.ଦିଲୀପ କୁମାର ପଣ୍ଡା କହିଲେ, ଓଡ଼ିଶାରେ ପୂର୍ବରୁ ଚାଲିଥିବା ଦୁଇଟି ଯୋଜନାକୁ ମିଶାଇ ୨୦୦୮ରୁ ମଧୁବାବୁ ପେନସନ ଯୋଜନା ଆରମ୍ଭ ହୋଇଥିଲା। ଏବେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦୁଇଟି ଯୋଜନାରେ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭଳି ବିଭିନ୍ନବର୍ଗର ହିତାଧିକାରୀଙ୍କୁ ଭତ୍ତା ଦେଉଛନ୍ତି। ମାସିକ ୫୦୦ ଟଙ୍କା ଭତ୍ତା ଦେଇ ଦରିଦ୍ର ଓ ଦାରିଦ୍ର‌୍ୟକୁ ଦୟା ଦେଖାଇବା ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ପ୍ରତିକୂଳ ସ୍ଥିତିକୁ ଜଣାଏ। ଏବେ ଗରିବଙ୍କ ପାଖରୁ ଭୋଟ ଆଣିବାରେ ସମସ୍ତେ ଆଗଭର। ହେଲେ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ଓଡ଼ିଶାରେ ତ ବର୍ତ୍ତମାନ କେଉଁ ପ୍ରକାରର ଶାସନ ବ୍ୟବସ୍ଥା ଚାଲିଛି, ତାହା କେହି କହିପାରିବା ବି କଷ୍ଟକର ବୋଲି ଡ. ପଣ୍ଡା କହିଥିଲେ।
ସାକ୍ଷୀପଡ଼ା ଅଂଚଳର ଜଣେ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ସନାତନ ପ୍ରଧାନ ସଭାରେ ଯୋଗଦେଇ ମାସକୁ ମିଳୁଥିବା ମାତ୍ର ୫୦୦ ଟଙ୍କାର ଭତ୍ତା କ’ଣ ହେବ ବୋଲି ପ୍ରଶ୍ନ କରିଥିଲେ। ପରିଣତ ବୟସରେ ଯଦି ଡାକ୍ତରଖାନା ଯାଉଛୁ, ତାହେଲେ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହିପାରୁନାହୁଁ। ବାଧ୍ୟ ହୋଇ ଘରୋଇ କ୍ଲିନିକ୍ ଯାଉଛୁ। ସେଠାରେ ଡାକ୍ତରଙ୍କ ଫି’ ୩୦୦ ଟଙ୍କା। ଔଷଧ କେତେ ଟଙ୍କାର ହେବ, ଆପଣମାନେ କହନ୍ତୁ? ଏପଟେ ପରିବା ଦର ଆକାଶଛୁଆଁ। ଖାଇବା ତେଲ ଲିଟର ୧୫୦ ପାଖାପାଖି। ଏମିତିରେ ୫୦୦ ଟଙ୍କା କ’ଣ ହେବ? ସରକାର ଯଦି ଆମକୁ ବଂଚି ରହିବା ପାଇଁ ଭତ୍ତା ଦେଉଛନ୍ତି, ଅତି କମ୍‌ରେ ମାସିକ ୨୦୦୦ ଟଙ୍କା ଦିଅନ୍ତୁ। ଏହା ଆମ ପାଇଁ କିଛିଟା ସହାୟକ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।
‘ସମ୍ବାଦ’ ଉପ ମହାପ୍ରବନ୍ଧକ ସୁବ୍ରତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ବରିଷ୍ଠ ନାଗରିକ ସମାଜର ସଭାପତି ଅର୍ଜୁନ ରଂଜନ ପଣ୍ଡା କହିଲେ, ଗରିବଙ୍କୁ ସହାୟତା ନାଁରେ ସରକାର ଯାହା ଟଙ୍କା ଦେଉଛନ୍ତି ତାହା ଠକାମୀ ସଦୃଶ । ଏଣୁ ଗରିବଙ୍କ ପାଇଁ ଆମେ ସ୍ବର ଉତ୍ତୋଳନ କରିବାକୁ ହେବ ବୋଲି ସେ କହିଥିଲେ। ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ ନାଗରିକ ସମାଜର ସଂପାଦକ ପ୍ରଦୀପ ପଣ୍ଡା ଅତିଥି ପରିଚୟ ତଥା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। କଣ୍ଠଶିଲ୍ପୀ ତ୍ରିଲୋଚନ ତ୍ରିପାଠୀ ଆବାହନୀ ସଂଗୀତ ଓ ‘ସମ୍ବାଦ’ର ନଗର ପ୍ରତିନିଧି ବିଶ୍ୱଜିତ ଦାଶ ଧନ୍ୟବାଦ ଦେଇଥିଲେ।