ସମ୍ବଲପୁର: ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ପର୍ଯ୍ୟାୟକ୍ରମେ ବନ୍ଦ କରି ଦେବାର ଅପଚେଷ୍ଟା ବିରୋଧରେ ସ୍ବର ତେଜିବାରେ ଲାଗିଛି। ବିଭିନ୍ନ ସଂଗଠନ ଓ ସଂସ୍କୃତିପ୍ରେମୀ ଏହାର ଦୃଢ଼ ପ୍ରତିବାଦ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଉପରେ ବି ଚାପ ବଢ଼ିବାକୁ ଲାଗିଲାଣି। ସମ୍ବଲପୁର ସାଂସଦ ନିତେଶ ଗଂଗଦେବ ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟର ଏହି ପ୍ରଥମ ଦୂରଦର୍ଶନ କେନ୍ଦ୍ରର ଉନ୍ନତି ଓ ଆଧୁନିକୀକରଣ କରିବାକୁ ଦାବି କରିଛନ୍ତି।

Advertisment

ଏହି କେନ୍ଦ୍ରର ଜଣେମାତ୍ର କ୍ୟାମେରାମ୍ୟାନ୍‌ ସୁଧାଂଶୁ ପୃଷ୍ଟିଙ୍କୁ ଅହମ୍ମଦାବାଦ ବଦଳି କରି କାର୍ଯ୍ୟକ୍ରମ ବିଭାଗକୁ କର୍ମଚାରୀ ଶୂନ୍ୟ କରାଯିବା ସଂପର୍କିତ ଖବର ଗୁରୁବାର ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଶୁକ୍ରବାର ସାଂସଦ ମନ୍ତ୍ରୀଙ୍କ ଏହି ଚିଠି ଲେଖି ଏଭଳି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ଭାବନା ସହ ଜଡ଼ିତ ହୋଇଥିବାରୁ ଏହାର ଉନ୍ନତି ଓ ଆଧୁନୀକୀକରଣ ପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ସାଂସଦ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଏହା ପୂର୍ବରୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ଏହି ପ୍ରସଂଗ ସଂସଦରେ ଉଠାଇଥିଲେ, କିନ୍ତୁ ମନ୍ତ୍ରୀଙ୍କଠାରୁ ନକରାତ୍ମକ ଉତ୍ତର ମିଳିଥିଲା। ଶୁକ୍ରବାର ସଂଧ୍ୟାରେ ବହୁ ସଂଖ୍ୟାରେ ସଂସ୍କୃତିପ୍ରେମୀ ଶ୍ରୀ ପୂଜାରୀଙ୍କୁ ତାଙ୍କ ସମ୍ବଲପୁର କାର୍ଯ୍ୟାଳୟରେ ଭେଟି ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ବଞ୍ଚାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ୨୦୦ରୁ ଅଧିକ କଳାକାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି।

ସେହିପରି ସହରର ବୁଦ୍ଧିଜୀବୀମାନଙ୍କୁ ନେଇ ଗଠିତ ସମ୍ବଲପୁର ଡେଭ୍‌‌ଲପ୍‌ମେଣ୍ଟ ଫୋରମ୍ ପକ୍ଷରୁ ମନ୍ତ୍ରୀ ଶ୍ରୀ ଠାକୁରଙ୍କୁ ଚିଠି ଲେଖାଯାଇ ଜଣେ ମାତ୍ର କ୍ୟାମେରାମ୍ୟାନ୍‌ଙ୍କ ବଦଳିର ଦୃଢ଼ ପ୍ରତିବାଦ କରାଯାଇଛି। ‌ବର୍ତ୍ତମାନ ଏହି କେନ୍ଦ୍ରର କାର୍ଯ୍ୟକ୍ରମ ବିଭାଗ କର୍ମଚାରୀ ଶୂନ୍ୟ ହୋଇ ଯାଇଥିବାରୁ ଷ୍ଟୁଡିଓଟି ଅଚଳ ହୋଇପଡ଼ିବ ବୋଲି ସେମାନେ ଆଶଂକା ବ୍ୟକ୍ତ କରିଛନ୍ତି। ସଂସଦରେ ଏକ କେନ୍ଦ୍ର ସଂପର୍କିତ ପ୍ରଶ୍ନର ନକରାତ୍ମକ ଉତ୍ତର ନେଇ ମଧ୍ୟ ଫୋରମ କ୍ଷୋଭ ପ୍ରକଟ କରିଛି। ତେଣୁ ‌ଏହି କେନ୍ଦ୍ରର ନବୀକରଣ ସହ ସର୍ବନିମ୍ନ ସଂଖ୍ୟକ କର୍ମଚାରୀ ଦେଇ ଏହାକୁ ଏକ ଉନ୍ନତ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପ୍ରସାରଣ କେନ୍ଦ୍ରରେ ପରିଣତ କରିବାକୁ ଫୋରମ୍‌ର ସଭାପତି ପ୍ର. ଶଙ୍କର ପ୍ରସାଦ ପତି ଚିଠିରେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସେହିପରି ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ପଣ୍ଡା ମନ୍ତ୍ରୀ ଶ୍ରୀ ଠାକୁରଙ୍କୁ ପତ୍ର ଲେଖି କେନ୍ଦ୍ର ସରକାର ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ସଂପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଅନୁରୋଧ କରିଛନ୍ତି। ନିଜ ପତ୍ରରେ ସେ ଲେଖିଛନ୍ତି ଯେ ଲକ୍ଷଲକ୍ଷ ଦର୍ଶକ ଓ କଳାକାର ନିର୍ଭର କରୁଥିବା ପଶ୍ଚିମ ଓଡ଼ିଶାର ଏହି କେନ୍ଦ୍ର ଏବେ ଅବକ୍ଷୟମୁଖୀ। ୧୯୭୮ରେ ତତ୍କାଳୀନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟର ପ୍ରଥମ ଓ ଦେଶର ସପ୍ତମ ଦୂରଦର୍ଶନ କେନ୍ଦ୍ର ଭାବେ ଏହାର ଉଦ୍‌ଘାଟନ କରିଥିଲେ। କିନ୍ତୁ ଏହାକୁ ଏକ ପୂର୍ଣ୍ଣାଙ୍ଗ ଦୂରଦର୍ଶନ କେନ୍ଦ୍ରର ରୂପ ଦିଆଗଲା ନାହିଁ। ଆରମ୍ଭରୁ ଏହି କେନ୍ଦ୍ରରେ କର୍ମଚାରୀ ମରୁଡ଼ି ଲାଗି ରହିଲା। କଳା, ସଂସ୍କୃତିରେ ରୁଦ୍ଧିମନ୍ତ ଏହି ଅଞ୍ଚଳରେ ଦୂରଦର୍ଶନ କେନ୍ଦ୍ର ପାଇଁ ଭରପୂର ଖୋରାକ ଓ କାର୍ଯ୍ୟକ୍ରମ ପ୍ରସ୍ତୁତିର ଅବକାଶ ରହିଥିଲାବେଳେ କେଉଁ କାରଣରୁ ଏହାକୁ ସ୍ଥାଣୁ କରି ରଖାଯାଇଛି ବୋଲି ଶ୍ରୀ ପଣ୍ଡା ନିଜ ପତ୍ରରେ ପ୍ରଶ୍ନ କରିଛନ୍ତି। ଏହି ଦୂରଦର୍ଶନ କେନ୍ଦ୍ରର ଭବିଷ୍ୟତକୁ ନେଇ ଅଞ୍ଚଳବାସୀଙ୍କ ମନରେ ସୃଷ୍ଟ ସନ୍ଦେହ ଦୂର କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ମନ୍ତ୍ରୀଙ୍କୁ ନିଜ ପତ୍ରରେ ଅନୁରୋଧ କରିଛନ୍ତି।