ସମ୍ବଲପୁର: ଏଣିକି ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ କରିବ ସମ୍ବଲପୁର ପୁଲିସ। ମଦ ପିଇ ଗାଡ଼ ଚଲାଉଥିବା ବେଳେ ଧରାପଡ଼ିଲେ ଗାଡ଼ିକୁ ପୁଲିସ ଜବତ କରିନେବ। ଚାଳକଙ୍କୁ ବି ନୋଟିସ୍‌ ଦେଇ ଛାଡ଼ିବ। ସମ୍ବଲପୁରରେ ବଢ଼ୁଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ସମ୍ବଲପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏବେ ସମ୍ବଲପୁର ସହରର ଛକେ ଛକେ ପୁଲିସର କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି। ମଦୁଆ ଚାଳକ ଧରାପଡ଼ିଲେ ପୁଲିସ ଗାଡ଼ିକୁ ଜବତ କରି ନେଇଯାଉଛି। ଗୁରୁବାର ସନ୍ଧ୍ୟାରେ ସଦର ଥାନା ଅଧୀନ ସିନ୍ଦୁରପଙ୍କ ଅଞ୍ଚଳରେ ରେଢ଼ାଖୋଲ ବଡ଼ବାହାଲର ମଧୁସୂଦନ ଭୋଇ ଓରଫ୍‌ ମଣ୍ଟୁ ମଦ ପିଇ ଗାଡ଼ି ଚଲାଉଥିବା ବେଳେ ଧରାପଡ଼ିଥିଲେ। ସେ ଚଲାଉଥିବା ହାଇଵା(ଓଡି ୦୯ କେ ୧୯୦୮)କୁ ସଦର ଥାନା ପୁଲିସ ଜବତ କରିବା ସହ ମଣ୍ଟୁଙ୍କୁ ନୋଟିସ ଦେଇ ଛାଡ଼ିଛି। ସେଭଳି ଧନୁପାଲି ଥାନା ଅଞ୍ଚଳରେ ୨ ଜଣ ମଦ ପିଇ ଗାଡ଼ି ଚଲାଉଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେମାନଙ୍କ ବାଇକ୍‌କୁ ପୁଲିସ ଜବତ କରିଛି। ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ଆଗକୁ ଜାରି ରହିବ ବୋଲି କହାଯାଇଛି।