ଯୁଯୁମୁରା/ବାଲିକୁଦା : ସ୍ଥାୟୀ ଦରମା ପ୍ରଦାନ କରିବାକୁ ଦାବି କରି ଯୁଯୁମୁରା ବ୍ଲକର ୧୮ଟି ପଞ୍ଚାୟତର କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଗଣ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି ଯେ, ପୂର୍ବରୁ ସେମାନଙ୍କୁ ସ୍ଥାୟୀ ଦରମା ଦିଆଯାଉଥିଲା। କିନ୍ତୁ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ, ପ୍ରଦର୍ଶନ ଭିତ୍ତିକ ଇନସେନଟିଭ୍ ପ୍ରଣାଳୀ ଚାଲୁ କରାଯାଇଛି। ଫଳରେ ସେମାନଙ୍କ ଆର୍ଥିକ ସମସ୍ୟା ବଢ଼ିବା ସହିତ ମନୋବଳ ମଧ୍ୟ ନଷ୍ଟ ହେଉଛି। ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହେଲାନାହିଁ । ଫଳସ୍ୱରୂପ ବ୍ଲକ କମିଟି ଜିପିଏଲଏଫର ସମସ୍ତ କାର୍ଯ୍ୟକୁ ଅନିର୍ଦିଷ୍ଟକାଳ ପାଇଁ ବନ୍ଦ କରିବା, ବ୍ଲକ ପରିସରରେ ଗଣଧାରଣା ଜାରି ରଖିବା ଓ ଓଏଲଏମ ଅଫିସରେ ତାଲା ପକାଇବା ପାଇଁ ସଂଘ ନିଷ୍ପତ୍ତି ନେଇଥିବା ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି। ଏନେଇ ଯୁଯୁମୁରା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଦାବିପତ୍ରର ନକଲ ମଧ୍ୟ ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ, ଯୁଯୁମୁରା ବ୍ଲକରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ମଧ୍ୟରେ ଏମବିକେ ୧୮ ଜଣ, ସିଆରପି ୧୩୩ ଜଣ, ବ୍ୟାଙ୍କ ମିତ୍ର ୭ ଜଣ, କୃଷି ମିତ୍ର ୩୪ ଜଣ ଓ ପ୍ରାଣୀ ମିତ୍ର ଭାବେ ୨୧ ଜଣ କାର୍ଯ୍ୟ କରୁଛନ୍ତି ।
ସେହିପରି ବାଲିକୁଦା ବ୍ଲକ କମ୍ୟୁନିଟ କ୍ୟାଡର ସଂଘ ପକ୍ଷରୁ ସଭାନେତ୍ରୀ ଭାରତୀ ଦାସ ଓ ସମ୍ପାଦିକା ମନ୍ଦାକିନୀ ପରିଡାଙ୍କ ନେତୃତ୍ୱରେ ଏକ ବିରାଟ ଆନ୍ଦୋଳନ ବାଲିକୁଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଇନସ୍ଏଟିଭ ବେସଡ଼ ଦରମା ପରିବର୍ତ୍ତେ ସ୍ଥାୟୀ ଦରମା ପ୍ରଦାନ ସହ କମ୍ୟୁନିଟ କ୍ୟାଡର ଗାଇଡ଼ଲାଇନକୁ ସାର୍ବଜନୀନ କରିବା ସହ ସିଏଲ ଏଫ ପୁର୍ନଗଠନ ସହ ୬ ମାସର ବକେୟା ଦାବିରେ ଜୋରଦାର ଆନ୍ଦୋଳନ କରିଥିଲେ। ଏପରିକି ସରକାର ସେମାନଙ୍କ ଦାବି ନଶୁଣିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ପୂର୍ବରୁ ସଂଘ ପକ୍ଷରୁ ବିଧାନସଭା ଘେରାଉ, ଗତ ୧୫ ସେପ୍ଟେମ୍ବରରେ ଓଡିଶା ଓଏଲ ଏମ କାର୍ଯ୍ୟାଳୟ ଘେରାଉ, ଡିପି ଏମ ଓଏଲ ଏମ, ବିଧାୟକ, ଜିଲ୍ଲାପାଳ, ବିଡ଼ିଓ, ବ୍ଲକ ଅଧକ୍ଷ, ଡିପିସି ମିଶନ ଶକ୍ତି, ତହସିଲଦାର, ଥାନା ଅଧିକାରୀଙ୍କୁ ଭେଟି ଦାବି ଜଣାଇବା ସହ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି ଚଳିତ ବିଧାନସଭା ଚାଲୁଥିବା ବେଳେ ୨୧ ତାରିଖ ମଧ୍ୟରେ ସେମାନେ ଦେଇଥିବା ଦାବି ସ୍ଥାୟୀ ଦରମା ସହ ରାଜସ୍ବ ଗ୍ରାମ ଅନୁସାରେ ସି ଏଲ ଏଫ ଗଠନରୁ ବାଦ ପଡୁଥିବା ସି ଆର ପି ଙ୍କ ସ୍ଥାୟିତ୍ୱ, ସମସ୍ତ ସିଆର ଏସ ଏସ ଙ୍କ ସ୍ଥାୟୀ ଦରମାର ସମାଧାନ ନହେଲେ ବିଡ଼ିଓ କାର୍ଯ୍ୟାଳୟ ଓ ବ୍ଲକ ଓଏଲ ଏମ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କାର୍ଯ୍ୟ ବନ୍ଦ କରି ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରେ ବସି ରହିବେ।
ଏହି ଆନ୍ଦୋଳନ ରାଜ୍ୟ ସଂଘ ପକ୍ଷରୁ ସମସ୍ତ ବ୍ଲକ ସମ୍ମୁଖରେ କରାଯାଉଥିବା ସୂଚନା ମିଳିଛି। ଆନ୍ଦୋଳନ ରତ ସଦସ୍ୟା ମାନଙ୍କ ସହ ବିଡ଼ିଓ ସାଗର କୁମାର ନନ୍ଦ ଆଲୋଚନା କରିବା ସହ ସେମାନଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଥିବା କହିବା ସହ ଆନ୍ଦୋଳନ ରୁ ଓହରିଯିବାକୁ ନିବେଦନ କରିଥିଲେ। ହେଲେ ସଂଘ ପକ୍ଷରୁ ସରକାର ସମାଧାନ ନକରିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଥିଲା।ଏହି ଆନ୍ଦୋଳନରେ ବାଲିକୁଦା ବ୍ଲକର ସମସ୍ତ ୩୦ ପଞ୍ଚାୟତ ର ଏମ ବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ଏଲ ଏସ ପି ସଦସ୍ୟା ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/22/new-project-34-2025-09-22-20-08-28.jpg)