କୁଚିଣ୍ଡା: ରାଜ୍ୟର ଅନ୍ୟତମ ଦଳବଦଳକାରୀ ନେତା ଭାବେ ପରିଚିତ କୁଚିଣ୍ଡାର ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ପୁଣିଥରେ ଆଜି ଶଙ୍ଖ ଫୁଙ୍କିଛନ୍ତି। ସେ ନିଜର ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ବୃନ୍ଦାବନ ମାଝୀ ନିକଟରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ତଥା ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ସାକ୍ଷାତ କରିଥିଲେ।

Advertisment

ବୃନ୍ଦାବନ ୧୯୯୦ ମସିହାରେ ଜନତା ଦଳ ଟିକେଟରୁ କୁଚିଣ୍ଡା ବିଧାୟକ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହେବା ସହିତ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ିଥିଲେ। ସମ୍ବଲପୁରର ପ୍ରଥମ ଜିଲ୍ଲା ପରିଷଦ ସଭାପତି ପଦ ଅକ୍ତିଆର କରିଥିଲେ। ୨୦୦୫ ମସିହାରେ ଲଇକେରା ବିଧାନସଭା କ୍ଷେତ୍ରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ପୂର୍ବ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ପରାଜିତ କରିଥିଲେ। ୨୦୦୮ ମସିହାରେ ସେ ବିଜେପି ଛାଡ଼ି  ସମୃଦ୍ଧ ଓଡ଼ିଶା ଦଳରେ ସାମିଲ ହୋଇଥିଲେ। ୨୦୦୯ରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ବିଜେଡିରେ ଯୋଗ ଦେଇଥିଲେ। ସେହି ନିର୍ବାଚନରେ ବିଜେଡି ଟିକେଟରେ କୁଚିଣ୍ଡା ବିଧାନସଭା ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୨୦୨୪ ଓ‌ ୨୦୧୯ରେ ବିଜେଡି ଟିକେଟ ନମିଳିବାରୁ ପୁଣି ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜମନକିରା ବ୍ଲକ୍ ନିଜର ବଡ଼ମାଳ ପଞ୍ଚାୟତରୁ ସମିତି ସଭ୍ୟ ନିର୍ବାଚନ ଲଢ଼ି ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ୨୦୨୩ ମସିହାରେ ବିଜେପି ଛାଡ଼ି ତେଲେଙ୍ଗାନା ଯାଇ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ଦଳରେ ସାମିଲ ହୋଇଥିଲେ। ବିଆର୍‌ଏସ୍‌ର ଓଡ଼ିଶାରେ ଅଗ୍ରଗତି ନହେବାରୁ ପୁଣି ତାଙ୍କୁ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଏକଦା ଜମନକିରା ପଞ୍ଚାୟତ ସମିତି ଅଧ୍ୟକ୍ଷ, କୁଚିଣ୍ଡା କାର୍ଡ ବ୍ୟାଙ୍କ ସଭାପତି ପଦ ମଧ୍ୟ ଅଳଙ୍କୃତ କରିଥିବା ବୃନ୍ଦାବନ ପୁଣି ଶଙ୍ଖ ଫୁଙ୍କିବା ପାଇଁ ଭୁବନେଶ୍ବରରେ ଡେରା ପକାଇଥିଲେ।