ନକଲି ପୁଲିସକୁ ଗିରଫ କଲା ଅସଲି ପୁଲିସ

ପୁଲିସ ନାଁରେ ଝିଅଙ୍କୁ ବିବାହ ପ୍ରଲୋଭନ

ସମ୍ବଲପୁର: ଗୋବିନ୍ଦପୁର ଥାନା ପୁଲିସ ବୁଧବାର ଜଣେ ନକଲି ପୁଲିସକୁ ଗିରଫ କରିଛି। ପୁଲିସ କହିବା ଅନୁସାରେ ଯୁବକ ଜଣକ ବିଭିନ୍ନ ଥାନାଞ୍ଚଳରେ ନିଜକୁ ପୁଲିସର ସ୍ପେସାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) କର୍ମଚାରୀ କହି ପ୍ରଥମେ ଥାନା କର୍ମଚାରୀଙ୍କୁ ହାତ କରୁଥିଲା। ପରେ ସେହି ଥାନାଞ୍ଚଳରେ ଝିଅମାନଙ୍କୁ ବିବାହର ପ୍ରଲୋଭନ ଦେଖାଉଥିଲା। ଝିଅଙ୍କ ପରିବାର ଲୋକେ ମଧ୍ୟ ସହଜରେ ବିଶ୍ୱାସ କରି ଯାଉଥିଲେ। ଗୋବିନ୍ଦପୁର ପୁଲିସ ତାକୁ ଗିରଫ କରି ତା’ ପାଖରୁ ପୁଲିସ ପୋଷାକ ଏବଂ ୩ଟି ଏଟିଏମ୍‌ କାର୍ଡ ଜବତ କରିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାଞ୍ଚଳର ସେନ୍ଦରୀଟାଙ୍ଗର ଗ୍ରାମର ଯୁବକ ରତ୍ନେଶ୍ୱର ମାଝୀ ଓରଫ ରତ୍ନା ବୋଲି ଜଣାପଡ଼ିଛି। ତା’ଠାରୁ ନକଲି ପୁଲିସ ପରିଚୟ ପତ୍ର ମଧ୍ୟ ଜବତ କରାଯାଇଛି।

ଘଟଣା ଥିଲା ଏମିତି

ଜଣେ ଯୁବତୀ ସମ୍ବଲପୁରକୁ ପୁଲିସ ପରୀକ୍ଷା ପାଇଁ ଯାଇଥିଲେ। ସେଠାରେ ଉକ୍ତ ଯୁବକ ନିଜକୁ ପୁଲିସର ପରିଚୟ ଦେଇ ବନ୍ଧୁତା ସ୍ଥାପନ କରିଥିଲା। ପରେ ତାଙ୍କ ଘରକୁ ଯା’ଆସ୍‌ କରି ବିବାହର ପ୍ରଭୋଭନ ଦେଖାଇଥିଲା। କିଛି ଦିନ ପରେ ଏକ ବାହା ଉତ୍ସବରେ ଗଡ଼ପୋଷ ଅଞ୍ଚଳର ଜଣେ ଯୁବତୀ ସହ ସାକ୍ଷାତ ପରେ ସେହି ଢ଼ଙ୍ଗରେ ତାଙ୍କ ସହ ସମ୍ପର୍କ ବଢ଼ାଇଥିଲା। ଉକ୍ତ ଯୁବତୀଙ୍କ ଠାରୁ ମୋବାଇଲ ଫୋନ୍‌ ଲୁଟିବା ସହ ମାଡ଼ପିଟ୍‌ ମଧ୍ୟ କରିଥିଲା। ଉଭୟ ଯୁବତୀ ପରେ ଏନେଇ ଥାନାରେ ଏତଲା ଦେଇଥିଲେ। ରତ୍ନା ଏହିପରି ଭାବରେ ବହୁ ଅଞ୍ଚଳରେ ଠକି ଲୋକଙ୍କୁ ଭକୁଆ ବନଉଥିଲା। ବଡ଼ଗାଁ, କିରେଇ, ବାମରା ଏବଂ ଅନ୍ୟ ଅଞ୍ଚଳରେ ମଧ୍ୟ ଏପରି କରିଛି। ଅଭିଯୁକ୍ତ ରତ୍ନା କିରେଇରେ ଡିପ୍ଲୋମା ପାଠ ପଢ଼ିଥିବା, କମ୍ପ୍ୟୁଟର ଏବଂ କରାଟେ ଶିକ୍ଷା ଗ୍ରହଣ କରିଥିବା ତାଙ୍କ ମାଆ ଜଣାଇଛନ୍ତି।

ବର୍ଷେ ହେବ ସେ ଚାକିରି ପାଇଛି ବୋଲି ଘରେ କହିଥିଲେ। ସମୟ ବ୍ୟବଧାନରେ ଘରକୁ ଆର୍ଥିକ ସାହାର୍ଯ୍ୟ ମଧ୍ୟ କରୁଥିବା ତାଙ୍କ ମଆ ଜଣାଇଛନ୍ତି। କେତେକ ଲୋକଙ୍କୁ ପୁଲିସ ଏସ୍‌ପି ବୋଲି ମଧ୍ୟ କହୁଥିଲା। ଗୋବିନ୍ଦପୁର ଆଇଆଇସି ବିଶ୍ୱପତି ପଣ୍ଡାଙ୍କ ନେତୃତ୍ୱରେ ଏସ୍‌ଆଇ ଟି. କେରକେଟା, ଭାସତ୍‌ ରଞ୍ଜନ ରାୟ, ଏସ୍‌ଆର୍‌ ପାଲଟା ସିଂ, ଜେ କିସାନ୍‌ ସହ ଅନ୍ୟ ପୁଲିସ କର୍ମଚାରୀ ତାକୁ ଗଡ଼ପୋଷ ଫାଣ୍ଡି ଅଞ୍ଚଳରୁ ଗିରଫ କରିଛନ୍ତି।

ସମ୍ବନ୍ଧିତ ଖବର