୨୨ କିଲୋମିଟର୍‌ ପାଦଯାତ୍ରା କଲେ ଚାଷୀ

ମରୁଡ଼ି ଘୋଷଣା ଓ ବିଭିନ୍ନ ସମସ୍ୟାର ସମାଧାନ ଦାବି

ସମ୍ବଲପୁର : ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ୨୨ କିମି ପଦଯାତ୍ରା କରି ଜିିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀ। ଶୁକ୍ରବାର ଯୁଯୁମୁରା ବ୍ଲକ୍‌ ପଡ଼ିଆବାହାଲ ଅଞ୍ଚଳର ଶତାଧିକ ଚାଷୀ ପଡ଼ିଆବାହାଲଠାରୁ ଏକ ଶୋଭାଯାତ୍ରାରେ ବାହାରି ପାଦରେ ଚାଲିଚାଲି ସମ୍ବଲପୁର ଆସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯୁଯୁମୁରା ବ୍ଲକ୍‌କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ତଥା ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ୨୦୨୦ ଖରିଫ ଓ ରବି ଋତୁରେ ଯଥାକ୍ରମେ ମରୁଡ଼ି, ରୋଗପୋକ, ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି ବାବଦ ବୀମା ରାଶି ଚାଷୀଙ୍କୁ ମିଳି ନଥିବାବେଳେ ୨୦୨୧ ଖରିଫ ଋତୁରେ ଚକଡ଼ା, ଲିଫ୍‌ ବ୍ଲାଇଟ୍‌, ସିଡ୍‌ ବ୍ଲାଇଟ୍, ଗଣ୍ଠିପୋକ, ବ୍ଲାଷ୍ଟ ପ୍ରକୃତି ରୋଗ ପୋକ କାରଣରୁ ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି।

ସେହିପରି ସଂପୂର୍ଣ୍ଣ ବର୍ଷା ଜଳ ଉପରେ ନିର୍ଭର କରୁଥିବା ପଞ୍ଚାୟତର ଅଣଜଳସେଚିତ ଜମି ଗୁଡ଼ିକ ଏଥର ବର୍ଷାଭାବରୁ ମରୁଡ଼ିଗ୍ରସ୍ତ ହୋଇଛି। ଯେଉଁ କିଛି ଜମିରେ ରୋଗପୋକ ଲାଗି ନାହିଁ କି ମରୁଡ଼ି ହୋଇ ନାହିଁ ତହିଁରେ ହାତୀ, ବାର୍‌ହା ଆଦି ବନ୍ୟଜନ୍ତୁ ଫସଲ ନଷ୍ଟ କରି ଦେଇଛନ୍ତି। ଏଭଳି ପରିସ୍ଥିତିରେ ସରକାର ସଂପୂର୍ଣ୍ଣ ବ୍ଲକ୍‌କୁ ମରୁଡ଼ି ଘୋଷଣା କରନ୍ତୁ ବୋଲି ଚାଷୀ ମାନେ ଦାବି ରଖିଛନ୍ତି। ସେମାନେ ୨୦୨୧ ଫସଲ ବୀମା ଉଚିତ ଆକଳନ ଓ ମରୁଡ଼ି ଘୋଷଣା, ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ, ଚାଷ ଜମି ପାଇଁ ଉପଯୁକ୍ତ ପରିମାଣର ଟୋକନ ବ୍ୟବସ୍ଥା, ଇ-ପରିବହନ ବ୍ୟବସ୍ଥା ବନ୍ଦ କରିବା, କଟ୍‌ନି ଛଟ୍‌ନି ସଂପୂର୍ଣ୍ଣ ବନ୍ଦ, କୃଷି ଋଣ ସଂପୂର୍ଣ୍ଣ ଛାଡ଼, ଦୁଗ୍‌ଧ ଚାଷୀଙ୍କୁ ଲିଟର୍‌ ପିଛା ଉଚିତ ମୂଲ୍ୟ ପ୍ରଦାନ, ବ୍ଲକ୍‌ରେ ୧୦୦% ଜଳସେଚନ ବ୍ୟବସ୍ଥା, ବନ୍ୟଜନ୍ତୁଙ୍କଠାରୁ ଫସଲ ରକ୍ଷା ପାଇଁ ପଦକ୍ଷେପ, ଚାଷ ଜନିତ କ୍ଷୟକ୍ଷତିର ଉପଯୁକ୍ତ ଆକଳନ ଓ ଠିକ୍‌ଭାବେ ହିତାଧିକାରୀ ଚିହ୍ନଟ, ଚାଷୀଙ୍କ ପାଇଁ ବୁର୍ଲା ବଡ଼ ଡାକ୍ତରଖାନାରେ ସ୍ବତନ୍ତ୍ର ଆଇସିୟୁ କରିବାକୁ ଦାବି କରିଥିଲେ। ଜୟଦୁର୍ଗା କୃଷକ ସଂଗଠନ ପଡ଼ିଆବାହାଲର ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ନେତୃତ୍ବରେ ଚାଷୀ ମାନେ ଏହି ଶୋଭାଯାତ୍ରାରେ ଆସିଥିଲେ।

ସମ୍ବନ୍ଧିତ ଖବର