ସମ୍ବଲପୁର: ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର କ୍ଷେତ୍ରରେ ସମ୍ବଲପୁର ସ୍ଥିତ ସମ୍ବଲଶ୍ରୀ ଫେସନ ଆଉ ଏକ ପାଦ ଆଗକୁ ପକାଇଛି। ପୁରୁଷ, ମହିଳା ଓ ଶିଶୁଙ୍କ ପାଇଁ ରେଡିମେଡ ପୋଷାକ ପ୍ରସ୍ତୁତ ପରେ ସମ୍ବଲଶ୍ରୀ ଫେସନ ଏବେ ସମ୍ବଲପୁରୀ ଫେବ୍ରିକ ଜ୍ବେଲେରୀ (ସମ୍ବଲପୁରୀ କପଡାର ଅଳଙ୍କାର) ପ୍ରସ୍ତୁତି ଆରମ୍ଭ କରିଛି। ସମ୍ବଲପୁରୀ ଫେବ୍ରିକ ଜ୍ବେଲେରୀ ପ୍ରସ୍ତୁତ କରିବାରେ ସମ୍ବଲଶ୍ରୀ ଫେସନ ଦେଶରେ ପ୍ରଥମ ବୋଲି ଏହାର ତତ୍ତ୍ବାବଧାରକ ପ୍ରମୋଦ ମହାପାତ୍ର ସ୍ଥାନୀୟ ଡ୍ୟାନ୍ସ ଫ୍ଲୋରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ନିଜର ରଙ୍ଗ, ସ୍ଥାୟିତ୍ବ ଆଦି ବୈଶିଷ୍ଟ ପାଇଁ ସମ୍ବଲପୁରୀ ବସ୍ତ୍ର ଲୋକଙ୍କ ପ୍ରଥମ ପସନ୍ଦ ହୋଇ ପାରିଥିବା ବେଳେ ଏଥିରେ ପ୍ରସ୍ତୁତ ଜ୍ବେଲେରୀ ମଧ୍ୟ ନିଜର ସ୍ବାତନ୍ତ୍ରତା ପାଇଁ ମହିଳାଙ୍କୁ ବିଶେଷ ଭାବେ ଆକର୍ଷିତ କରିବ ବୋଲି ଶ୍ରୀ ମହାପାତ୍ର ଆଶାପ୍ରକାଶ କରିଛନ୍ତି। ସଂପ୍ରତି ସମ୍ବଲପୁରୀ ଫେବ୍ରିକ ନେକଲେସ, ଇୟର ରିଂ, ପିଲାଙ୍କ ପାଇଁ ହେୟାର କ୍ଲିପ୍‌, ବ୍ରାସଲେଟ୍‌ ଆଦି ବର୍ଗର ଜ୍ବେଲେରୀ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ସେ ସୂଚନା ଦେଇ କହିଥିଲେ, ସମ୍ବଲପୁରୀ ଫେବ୍ରିକ ଜ୍ବେଲେରୀର ମୂଲ୍ୟ ବଜାରରେ ଉପଲବ୍ଧ ଅନ୍ୟ ଯେ କୌଣସି ଫେବ୍ରିକ ଜ୍ବେଲେରୀ ମୂଲ୍ୟ ତୁଳନାରେ ଢ଼େର କମ୍‌। ସମ୍ବଲପୁରୀ ଫେବ୍ରିକ ଜ୍ବେଲେରୀ ସେଟ୍‌ ୩୫୦ରୁ ୫୦୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ। ମନ ମତାଣିଆ ଡ୍ରେସ ମେଚିଂ ଜ୍ବେଲେରୀ, ହାଲୁକା (କାନ ଉପରେ କମ୍‌ ବୋଝ ପକାଇବ), ଇକୋ ଫ୍ରେଣ୍ଡଲି ଏବଂ ସ୍କିନ୍‌ ଫ୍ରେଣ୍ଡଲି ସାମଗ୍ରୀ, କାର୍ଡବୋର୍ଡ ବଦଳରେ ପାଣିରେ ନଷ୍ଟ ହେଉ ନଥିବା ପତଳା କାଠର ବ୍ୟବହାର ପରି ବହୁ ବୈଶିଷ୍ଠ ଲୋକଙ୍କ ପସନ୍ଦ ହୋଇ ପାରିବ। ଏହି ଜ୍ବେଲେରୀ ମହିଳାଙ୍କ ବ୍ୟକ୍ତିତ୍ବକୁ ଅଧିକ ଆକର୍ଷକ କରୁଥିବା ବେଳେ ଏହା ସବୁ ବର୍ଗର ଲୋକଙ୍କ ବଜେଟ୍‌ ଅନୁକୂଳ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଜ୍ବେଲେରୀ ପ୍ରସ୍ତୁତି ଆଗ୍ରହୀ ମହିଳାଙ୍କ ପାଇଁ ରୋଜଗାରର ମଧ୍ୟ ପନ୍ଥା ହୋଇ ପାରିବ। ସଂପ୍ରତି ଏହି ଜ୍ବେଲେରୀ ଶ୍ରୀ ମହାପାତ୍ରଙ୍କ ବଡ଼ ଭଉଣୀ ମମତା ମହାପାତ୍ର ପ୍ରସ୍ତୁତ କରୁଥିବା ବେଳେ ତାଙ୍କ ଅଧୀନରେ ୫ଜଣ ମହିଳା କାର୍ଯ୍ୟ କରିବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି। ଆଗାମୀ ଦିନରେ ଆହୁରୀ ବହୁ ମହିଳାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ପାଇଁ ଏକ ସମ୍ମାନଜନକ ରୋଜଗାର ସୃଷ୍ଟିର ପନ୍ଥା ଆରମ୍ଭ କରାଯିବ ବୋଲି ଶ୍ରୀ ମହପାତ୍ର କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀ ଅବସରରେ ମଡେଲ ଭାବେ ସ୍ବାତୀ ପଟେଲ, ସିଦ୍ଧି ପଣ୍ଡା, ଶ୍ବେତା ଗୁରୁ, ଅନନ୍ୟା ପ୍ରଧାନ ଓ ବର୍ଷା ଦାଶ ଜ୍ବେଲେରୀଗୁଡିକୁ ପ୍ରଦର୍ଶନ କରିଥିଲେ।