ପୁଲିସ୍‌ ବିରୋଧରେ ପୁଲିସ୍‌: ଧନୁପାଲିର ପୂର୍ବତନ ଥାନାଧିକାରୀ ଅନିତା ପ୍ରଧାନଙ୍କ ନାଁରେ ମାମଲା

ସମ୍ବଲପୁର: ଦିନେ ନିଜେ ଯେଉଁ ଥାନାରେ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ, ସେହି ଥାନାରେ ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା। ସମ୍ବଲପୁରରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବହୁ ବିବାଦୀୟ ଧନୁପାଲିର ପୂର୍ବତନ ଥାନାଧିକାରୀ ଅନିତା ପ୍ରଧାନଙ୍କ ନାଁରେ ଏବେ ମାମଲା ରୁଜୁ ହୋଇଛି। ତାଙ୍କ ନାମରେ ଅନେକ ସଂଗିନ ଦଫା ଲାଗିଛି। ଗତ ଜୁନ୍‌ ପହିଲାରେ ସମ୍ବଲପୁର ଜିଲ୍ଲାରୁ ବଲାଙ୍ଗୀରକୁ ତାଙ୍କର ବଦଳି ହୋଇଥିଲା। ସେ ଏବେ ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଧନୁପାଲି ଥାନାରୁ ବଦଳି ହୋଇଯିବା ପରେ ବର୍ତ୍ତମାନର ଥାନା ଅଧିକାରୀ ରଂଜନ ବିଶ୍ବାଳଙ୍କୁ ସେ କେସ୍‌ ରେକର୍ଡ ହସ୍ତାନ୍ତର କରିନାହାନ୍ତି। ସମ୍ବଲପୁରରୁ ବଦଳି ହୋଇଯିବା ସମୟରେ ନୂଆ ଥାନା ଅଧିକାରୀଙ୍କୁ ସଂପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରିବାର ନିୟମ ରହିଛି। ତେବେ, ଅନିତାଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ବଦଳି ହୋଇଯିବାର ୪ ମାସରୁ ଅଧିକ ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ ସେ ନୂତନ ଥାନାଧିକାରୀଙ୍କୁ ରେକର୍ଡଗୁଡ଼ିକୁ ହସ୍ତାନ୍ତର କରିନାହାନ୍ତି। ଏ ସଂକ୍ରାନ୍ତରେ ବାରଂବାର ଅନୁରୋଧ କରାଯିବା ପରେ ବି ସେ କିଛି ଶୁଣିନଥିଲେ। କେସ୍‌ ରେକର୍ଡ ବ୍ୟତୀତ ଅନ୍ୟ କେତେକ ଜିନିଷପତ୍ର ବି ଗାଏବ ଥିବା କହାଯାଉଛି। ଏଭଳି ସ୍ଥିତିରେ ଧନୁପାଲି ପୁଲିସ ନିଜ ଆଡ଼ୁ ଅନିତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ୩୯ ପୁଲିସ ଆଇନ୍ ସହିତ ଆଇପିସିର କେତେକ ସଂଗୀନ ଦଫା ଅନିତାଙ୍କ ବିରୋଧରେ ଲଗାଯାଇ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଅନିତା ପ୍ରଧାନ ଧନୁପାଲି ଥାନାଧିକାରୀ ଥିବା ବେଳେ ଅନେକ ବିବାଦ ମୁଣ୍ଡ ଟେକି ଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଆନ୍ଦୋଳନ ସମୟରେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସହିତ ତାଙ୍କ ଧସ୍ତାଧସ୍ତି ‌ହୋଇଥିଲା। ଜୟ ନାରାୟଣ ତାଙ୍କୁ ପିଟିଥିବା ନେଇ ସେ ଅଭିଯୋଗ ଆଣିଥିଲେ। ଅପରପକ୍ଷରେ ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଗତ ଏପ୍ରିଲ ୧୨ ତାରିଖ ଦିନ ବାଇକ୍‌ ରାଲି ଉପରକୁ ମୋତିଝରଣ ଠାରେ ପଥରମାଡ଼ ହୋଇଥିଲା। ପଥର ମାଡ଼ ଯୋଗୁ ଅନିତାଙ୍କ ମୁହଁ ଫାଟି ଯାଇଥିଲା। ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଯୋଗୁ ତାଙ୍କ ଥାନା ଅଂଚଳରେ ଘଟିଥିବା ଏହି ଘଟଣା ଯୋଗୁ ପରବର୍ତ୍ତୀ ସମୟରେ ସମ୍ବଲପୁର ହିଂସା ସୃଷ୍ଟି ହେବା ସହ ବ୍ୟାପକ ଜଳାପୋଡ଼ା ହୋଇଥିଲା। ସମ୍ବଲପୁରବାସୀଙ୍କୁ ଅନେକ ଦିନ ପର୍ଯ୍ୟନ୍ତ କର୍ଫ୍ୟୁର ସାମ୍‌ନା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର