ଫ୍ଲାଏଓଭର ନିର୍ମାଣ ଦାବି : ବରେଇପାଲି ରାଜପଥ ଅବରୋଧ

ସମ୍ବଲପୁର:ବାରଂବାର ଦୁର୍ଘଟଣା ଘଟୁଥିବାରୁ ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ବରେଇପାଲି ଛକରେ ଫ୍ଲାଏଓରଭ କିମ୍ବା ଅଣ୍ଡର ପାସ୍‌ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବରେଇପାଲି ଛକରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା। ବରେଇପାଲି ଛକ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଦୁର୍ଘଟଣା ଯୋଗୁଁ ଅନେକ ଲୋକଙ୍କ ଜୀବନ ହାନି ଘଟିଛି। ରାସ୍ତା ମଧ୍ୟ ସେଠାରେ ଖରାପ ହୋଇଯାଇଛି।

ତେଣୁ ରାସ୍ତାର ପ୍ରଶସ୍ତିକରଣ ସାଂଗକୁ ଫ୍ଲାଏଓଭର କିମ୍ବା ଅଣ୍ଡରପାସ ନିର୍ମାଣ, ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ, ରାସ୍ତାର ଉଭୟ ପାର୍ଶ୍ୱରେ ଜଳ ନିଷ୍କାସନ ପାଇଁ ନାଳି ନିର୍ମାଣ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ବରେଇପାଲି ଛକରେ ହମ୍ପସ ନିର୍ମାଣ, ହାଇମାକ୍ସ ଲାଇଟ୍‌ ଲଗାଇବା ଆଦି ଦାବି ନେଇ ଲୋକେ ଗତ ନଭେମ୍ବର ମାସରେ ଜିଲ୍ଲାପାଳଙ୍କୁ ଭେଟିଥିଲେ। ତଥାପି ପଦକ୍ଷେପ ନିଆନଯିବାରୁ ଲୋକେ ମଂଗଳବାର ଦିନ ୧୦ଟାରେ ରାଜପଥ ଅବରୋଧ କରିଥିଲେ।

ଏସ୍‌ଏମ୍‌ସି କମିସନର, ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀ, ଏସ୍‌ଡିପିଓ ପ୍ରମୁଖ ଅଧିକାରୀ ଘଟଣାସ୍ଥଳରେ ପହଂଚି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ଅସ୍ଥାୟୀ ଭାବେ ନାଳି ନିର୍ମାଣ କାମ ଆରମ୍ଭ କରିବା ପରେ ଦିନ ୧୨ଟାରେ ଲୋକେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପୂର୍ବତନ କାଉନସିଲର ନୀଲାମ୍ବର ସିକନ୍ଦର, ସୁଶାନ୍ତ ପ୍ରଧାନ, ନିରଂଜନ ଦାଶ, ସୁଧୀର ପାଲିଓ୍ଵାଲ, ଜ୍ୟୋତିର୍ମୟ ପଣ୍ଡା, ରାଜେଶ ଗୁପ୍ତା, ନନ୍ଦୁ ରଜକ, ମହମ୍ମଦ ଇସ୍ମାଇଲ, ଗୁରଦୀପ ସିଂ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର