ବ୍ରଜରାଜନଗର: ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୮ତାରିଖ ଦିନ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ। ଏହି କାମ ସକାଳ ୫ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ବ୍ରଜରାଜନଗରର  ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା ଅଂଚଳରେ ପକ୍ଷୀ ଗଣନା ପାଇଁ ୮ଟି ସେକ୍ଟର କରାଯାଇଛି। ସେଥିରେ ବ୍ରଜରାଜନଗର ବନାଞ୍ଚଳରେ  ୧୫ ଓ ୧୬ ନମ୍ବର ସେକ୍ଟରରେ ତିଲିଆ, ଗୁଜାପାହାଡ଼ ଅଞ୍ଚଳ ଓ ବେଲପାହାଡ଼  ବନାଞ୍ଚଳରେ ଥିବା ୯ ଓ ୧୦  ନମ୍ବର ସେକ୍ଟରରେ ଝାରପଡ଼ା, ୧୧, ୧୨, ୧୩ ଓ ୧୪ ନମ୍ବର ସେକ୍ଟରରେ ରମ୍ପାଲୁଗା ରହିଛି। ପକ୍ଷୀ ଗଣନା କାର୍ଯ୍ୟ ପାଇଁ ସମୁଦାୟ ୧୩ଟି ବୋଟ ବ୍ୟବହାର ହେବ। ସେଥିରେ ୫ଟି ଶବ୍ଦ ବିହୀନ ବୋଟ ରହିବା ସମୟରେ ଅନ୍ୟଗୁଡ଼ିକ ଡଙ୍ଗା ବ୍ୟବହାର ହେବ। ଗତବର୍ଷ  ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା ଏହି ଅଂଚଳକୁ ୧୦୮ ପ୍ରଜାତିର ପ୍ରାୟ ୧ ଲକ୍ଷ ୨୦ ହଜାର ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିଲା। ମଙ୍ଗୋଲିଆରୁ ଆସିଥିବା ଲେସର ହୁଇସିଲିଙ୍ଗ ଡକ୍‌ ଅଧିକ ଥିଲେ। ଏଥିରେ ନୂତନ ଭାବେ ଆସିଥିବା ୧୦ଟି ପ୍ରଜାତି ରହିଥିଲେ।

Advertisment

ପକ୍ଷୀ ଗଣନା ପାଇଁ ବ୍ରଜରାଜନଗର ଓ ବେଲପାହାଡ଼ ବନାଞ୍ଚଳ ପାଇଁ ୯ ନମ୍ବର ସେକ୍ଟର ପାଇଁ ଫରଷ୍ଟେର ଲଳିତ ଆଢ଼ା, ଫରେଷ୍ଟଗାର୍ଡ ମାନସ ପଟେଲ, ୧୦ ନମ୍ବର ସେକ୍ଟରରେ ଫରେଷ୍ଟର ହରେନ୍ଦ୍ର ସାହୁ, ଫରେଷ୍ଟଗାର୍ଡ ସୌଦାଗର କିସାନ, ୧୧ ନମ୍ବର ପାଇଁ ଫରେଷ୍ଟର ବୁଧରାମ ରୋହିଦାସ ଓ ଗାର୍ଡ ଯୁଧିଷ୍ଠିର ବାରୁ, ୧୨ ନମ୍ବର ପାଇଁ ଫରେଷ୍ଟର ସରୋଜ ଭୋଇ ଓ ଗାର୍ଡ  ଭାଗୀରଥି ପ୍ରଧାନ, ୧୩ ନମ୍ବର ପାଇଁ ଫରେଷ୍ଟର ସୁନୀଲ ଭୋଇ ଓ ଗାର୍ଡ ସୁରେଶ ତରେଇ, ୧୪ ନମ୍ବର ପାଇଁ ଫରେଷ୍ଟର ଡୋଳାମଣି ନାୟକ ଓ ଗାର୍ଡ  ସୁରେନ୍ଦ୍ର ଖମାରୀ, ୧୫ ନମ୍ବର ପାଇଁ ଫରେଷ୍ଟର ଅରକ୍ଷିତ ପ୍ରଧାନ ଓ ଗାର୍ଡ  ଉପେନ୍ଦ୍ର ବେଶନ, ୧୬ ନମ୍ବର ପାଇଁ ଫରେଷ୍ଟର ଗୌରାଙ୍ଗ ସାହୁ ଓ ଗାର୍ଡ  ଶାନ୍ତନୁ ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି। ପକ୍ଷୀ ଗଣନା ପାଇଁ ବିଶେଷଜ୍ଞ ଭାବେ ଶୁଭମ ରାଉତ, ଆଶିଷ ଶୁକ୍ଳା ଓ ଗୌରାଙ୍ଗ ପତିଙ୍କ ସହିତ ଆହୁରି ୫ଜଣଙ୍କୁ ନିଯୁକ୍ତ କରାଯାଇଛି। ସେଥିପାଇଁ ୭ ତାରିଖ ସକାଳୁ ୮ତାରିଖ ଅପରାହ୍ନ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରକୁ ମସ୍ୟଜୀବୀମାନଙ୍କୁ ଯିବାକୁ ବାରଣ କରାଯାଇଛି। ସେହିପରି ରମ୍ପାଲୁଗା ପିକ୍‌ନିକ୍‌ ସ୍ପଟ୍‌ ମଧ୍ୟ ବନ୍ଦ ରହିବ ବୋଲି ବେଲପାହାଡ଼ ରେଞ୍ଜର ସରମିଲ ନାୟକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶୀତ ଲହରି ଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିଥିବେ ବୋଲି ଅନୁମାନ କରାଯାଉଛି।