ବାମରା: ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ମଞ୍ଜୁଲତା ବିଶ୍ୱାଳ(୪୪)ଙ୍କର ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସେ ଦୀର୍ଘ ଦିନରୁ ଲିଭର କ୍ୟାନ୍ସରରେ ପୀଡ଼ିତ ଥିଲେ। ଗତ ୩ ମାସରୁ ଅଧିକ ଦିନ ହେବ ମଞ୍ଜୁଲତା ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।
ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ସ୍ୱାମୀ ବାମରା ନିବାସୀ ସୁଧାଂଶୁ ଶେଖର ନାୟକ(ଖୁକୁନା),ଏକମାତ୍ର ପୁଅ ସୁଜଳ ନାୟକ(୨୧)ଙ୍କ ସମେତ ପରିବାରବର୍ଗ ତାଙ୍କ ଅନ୍ତିମ ସମୟରେ ଉପସ୍ଥିତ ଥିଲେ। ଶନିବାର ଦିନ ଭୁବନେଶ୍ୱରରୁ ଯାଇ ତାଙ୍କ ପାର୍ଥିବ ଶରୀର ବାମରାରେ ପହଞ୍ଚିବ। ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ବୋଲି ଜଣାପଡିଛି।
ସେ ଜଣେ ଧର୍ମପରାୟଣା ତଥା ମେଳାପୀ ମହିଳା ଥିବାରୁ ତାଙ୍କ ପରଲୋକରେ ବାମରା ଓ ଆଖପାଖ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କର ପରଲୋକ ଖବର ପାଇ କୁଚିଣ୍ଡା ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ବ୍ଲକ କଂଗ୍ରେସ ସଭାପତି କ୍ଷୀରୋଦ କୁମାର ସା ତଥା ମହିଳା ସଭାନେତ୍ରୀ ଶାନ୍ତି କଂସଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/de0d8ddc-208e-4bc6-87c4-573ab69b246d.jpg)